ଜୟୀ ରାଜଗୁରୁଙ୍କ ନାମରେ ନାମିତ ହେଉ ‘ଜନପଥ’

ଭୁବନେଶ୍ବର () ଭୁବନେଶ୍ବର ବାଣିବିହାର ଛକରୁ ରାଜମହଲ ଛକ, ଯାହାକୁ ଏବେ ଜନପଥ ବୋଲି କୁହାଯାଉଛି ତାହାକୁ ଜୟୀ ରାଜଗୁରୁଙ୍କ ନାମରେ ନାମିତ କରାଯାଇ “ଜୟୀ ରାଜଗୁରୁ ଜନପଥ” କରାଯାଉ ବୋଲି ଦାବି କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏହି ଦାବି ଉଠାଇଛନ୍ତି ବିରୋଧୀ ଦଳ ନେତା ।

ଆସନ୍ତା ୨୯ ଅକ୍ଟୋବରରେ ଜୟୀ ରାଜଗୁରୁଙ୍କର ଜୟନ୍ତୀ ପଡୁଛି । ଇଂରେଜମାନେ ଯେଉଁଭଳି ଭାବରେ ଜୟୀ ରାଜଗୁରୁଙ୍କୁ ବରଗଛର ଡାଳରେ ଦୁଇ ଗୋଡକୁ ବାନ୍ଧି ଜିଅନ୍ତା ଫାଡିଦେଲେ ଏପରି ବର୍ବରତାର ହତ୍ୟା ବିଶ୍ବ ଇତିହାସରେ ବିରଳ । ମହାପ୍ରଭୁ ଜଗନ୍ନାଥଙ୍କ ସୁରକ୍ଷା, ଓଡିଶାର ସ୍ବାଧୀନତାକୁ ବଜାୟ ରଖିବା ପାଇଁ ଜୟୀ ରାଜଗୁରୁଙ୍କର ଲଢେଇ ଏକ ସମ୍ପୃର୍ଣ୍ଣ ଜନ ଆନ୍ଦୋଳନ ଥିଲା । ତାଙ୍କ ଭଳି ଜଣେ ମହାନ ଦେଶଭକ୍ତ, ସାହସୀ, ଯୋଦ୍ଧା, ସଂସ୍କୃତ ପଣ୍ଡିତଙ୍କୁ ଆମେ ଠିକ ଭାବେ ସମ୍ମାନ ଦେଉ ନାହୁଁ । ସ୍କୁଲ, କଲେଜର ପାଠ୍ୟ ପୁସ୍ତକରେ ସେ କେବଳ ଗୋଟିଏ ପୃଷ୍ଠାରେ ସିମିତ ହୋଇଯାଇଛନ୍ତି । ଓଡିଶା ବାହାରେ ତାଙ୍କ ବିଷୟରେ ଲୋକମାନେ ବହୁତ ବେଶି ଜାଣିନାହାନ୍ତି । ସମୟ ଆସିଛି ତାଙ୍କୁ ଉଚିତ ସମ୍ମାନ ଦେବାର । ଦେଶ ମାତୃକାରେ ସେବାରେ ସମର୍ପିତ ତାଙ୍କ ଜିବନ ବିଷୟରେ ଗବେଷଣା କରିବାର । ଜୟୀ ରାଜଗୁରୁଙ୍କ ବିରତ୍ବର କାହାଣି ସାରା ଦୁନିଆକୁ ଜଣାଇବାର । ରାଜଧାନୀକୁ ରାଜ୍ୟ ବାହାରୁ ଅନେକ ଲୋକ ବିଭିନ୍ନ ସମୟରେ ଆସନ୍ତି । ଜୟୀ ରାଜଗୁରୁଙ୍କ ନାମରେ ରାଜଧାନୀରେ ଏକ ମୁଖ୍ୟ ରାସ୍ତାକୁ ନାମିତ କଲେ ରାଜ୍ୟ ବାହାର ଲୋକମାନେ ଯେଉଁମାନେ ଓଡିଶାକୁ ଆସୁଛନ୍ତି ସେମାନେ ସେହି ମହାନ ଯୋଦ୍ଧାଙ୍କ ବିଷୟରେ ଜାଣନ୍ତେ ବୋଲି ଶ୍ରୀ ନାଏକ କହିଛନ୍ତି ।

ସେ କହିଛନ୍ତି ଯେ, ସେହିପରି ଓଡିଶାର କୌଣସି ବଡ ଶିକ୍ଷାନୁଷ୍ଠାନକୁ ତାଙ୍କ ନାମରେ ନାମିତ କରାଯାଉ । ସ୍କୁଲ, କଲେଜ ବିଶେଷ ଭାବରେ ବିଶ୍ବବିଦ୍ୟାଳୟ ସ୍ତରରେ ଜୟୀ ରାଜଗୁରୁଙ୍କର ବିଷୟରେ ବ୍ୟାପକ ଭାବରେ ପଢାଯାଉ । ପୁଜ୍ୟ ପୁଜାର ସମ୍ମାନ ସବୁବେଳେ ଆମର ପ୍ରାଥମିକତାରେ ରହିବା ଦରକାର ।

Share

Leave a Reply

Your email address will not be published. Required fields are marked *

three × 5 =