ମହୁ ଖାଇଲେ ଜାଗି, ବକାରା ହେଲେ କର୍ମଚାରୀ …

ଭୁବନେଶ୍ୱର: ଓଡ଼ିଶା ଇନଫ୍ରାଟେକ୍‌ର ନିର୍ଦ୍ଦେଶକ ପଦ ଓ ଓଟିଭିର ସିଏଫଓ ପଦରୁ ମନୋରଂଜନ ଷଡ଼ଙ୍ଗୀ ଇସ୍ତଫା ଦେଇଛନ୍ତି । ଗଣମାଧ୍ୟମକୁ ଏ ସମ୍ପର୍କରେ ମନୋରଂଜନଙ୍କ ଶଳା ଏହି ସୂଚନା ଦେଇଛନ୍ତି । ସାରୁଅ ଜମି ଜାଲିଆତି ମାମାଲାରେ ଗିରଫ ହୋଇ ମନୋରଂଜନ ଏବେ ଝାରପଡା ଜେଲରେ ଅଛନ୍ତି । କିନ୍ତୁ ମାନସିକ ଚାପରେ ଅସୁସ୍ଥ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧିନ ।

ମୋଟାମୋଟି କହିବାକୁ ଗଲେ ସେ ଓଟିଭି ସହ ବୃତ୍ତିଗତ ସଂପର୍କ ଛିନ୍ନ କରିଛନ୍ତି । ଗତ ୧ ତାରିଖ ଦିନ ମନୋରଂଜନକୁ କ୍ରାଇମବ୍ରାଞ୍ଚ ଗିରଫ କରି ବିଚାର ବିଭାଗୀୟ ହାତଜକୁ ପଠାଇଥିଲା । ଏଥି ସହ ରିମାଣ୍ଡରେ ଆଣି ପଚରାଉଚୁରା ବେଳେ ସାରୁଅ ଜମି କେଳେଙ୍କାରୀର ଅନେକ ଗୁମର ଖୋଲିଥିଲେ । ଦଳିତ ଯୁବକ ରବୀନ୍ଦ୍ର ସେଠୀଙ୍କୁ ମୋହରା କରି କେମିତି ଜଗିମଙ୍ଗତ ପଣ୍ଡା ଅନସୂଚିତ ଜାତି ଲୋକଙ୍କ ଜମି ହଡ଼ପ କରିଥିବା ଜଣାପଡିଛି । ଏହି କେଳେଙ୍କାରୀରେ ବେନାମୀ ଅର୍ଥ କାରବାର ହୋଇଥିବାରୁ ଆୟକରକୁ ତଦନ୍ତ ପାଇଁ ଅନୁରୋଧ କରାଯାଇଛି । 

ଅପରପକ୍ଷରେ ମନୋରଞ୍ଜନ ଷଡଙ୍ଗୀଙ୍କ ଶଳା ହରି ମିଶ୍ର କହିଛନ୍ତି, ଭିଣୋଇଙ୍କ ସଚ୍ଚୋଟତାର ସୁଯୋଗ ନେଇ ତାଙ୍କୁ ଫସାଇ ଦିଆଯାଇଛି। ମନୋରଞ୍ଜନ ୨୦୦୮ରେ ଓମଫେଡ୍ ଛାଡି ଓରଟେଲରେ ଯୋଗ ଦେଇଥିଲେ। ମହୁ ଖାଇଲା କିଏ ମାଛି କାମୁଡିଲା କାହାକୁ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ମନୋରଂଜନ ତୃଣମୂଳସ୍ତରରୁ ଉଠିଛନ୍ତି । ସେ ସ୍ପଷ୍ଟ ଭାବେ ଅଭିଯୋଗ କରିଛନ୍ତି ଯେ, ଜାଗି ମଙ୍ଗତ ପଣ୍ଡା ଓ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ମନୋରଂଜନଙ୍କୁ ବକରା ଭାବେ ବ୍ୟବହାର କରିଛନ୍ତି । 

୨୦୦୮ରେ ଓଡିଶା ଇନଫ୍ରାଟେକ ଗଠନ ହୋଇଥିଲା । ଏଥିରେ ପ୍ରଥମେ ଜାଗିମଙ୍ଗତ ପଣ୍ଡା ଓ ବିଭୁ ପ୍ରସାଦ ରଥ ପ୍ରତିଷ୍ଠାତା ନିର୍ଦ୍ଦେଶକ ଥିଲେ । ଚକ୍ରାନ୍ତର କ୍ଲାଇମାକ୍ସ ଟାଇମ ଆସିବା ସମୟରେ ୨୦୧୦ରେ ଜାଗିମଙ୍ଗତ ଓଡିଶା ଇନଫ୍ରାଟେକରୁ ଇସ୍ତଫା ଦେଇ ମନୋରଂଜନଙ୍କୁ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଲେ । କିନ୍ତୁ ଏହି ଜାଲିଆତିରୁ ମନୋରଂଜନ ଟଙ୍କାଟିଏ ବି ଆର୍ଥିକ ଲାଭ ପାଇ ନାହାଁନ୍ତି । ପାୱାର ଅଫ ଅଟର୍ଣ୍ଣୀ ଦୀପକ ପଣ୍ଡା, ବିଶ୍ବଜିତ, ବିଭୁ ରଥଙ୍କ ଶଳାକୁ ଦିଆଯାଇଛି । ସେହିମାନେ ହିଁ ଏସବୁ କେଳେଙ୍କାରୀର ସୁତ୍ରଧର । ସେପଟେ ଜାଗିମଙ୍ଗତଙ୍କ ଉପରେ ବର୍ଷିଛନ୍ତି ମନୋରଂଜନଙ୍କ ଶଳା । ସେ ଅଭିଯୋଗ କରିଛନ୍ତି ଯେ, କମ୍ପାନୀର ମୁଖ୍ୟ ଭାବେ ଜାଗିମଙ୍ଗତ ଓ ବୈଜୟନ୍ତ ସବୁ ମହୁ ଖାଇଲେ । କିନ୍ତୁ ଯେତେବେଳେ କର୍ମଚାରୀଙ୍କ ଉପରେ ବିପଦ ପଡିଲା ସେତେବେଳେ ସୁରକ୍ଷା ଦେଲେନାହିଁ । ଏପରିକି ନିଜେ ଜାଗି ଓ ବୈଜୟନ୍ତ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ନେଇଛନ୍ତି । 

Share

Leave a Reply

Your email address will not be published. Required fields are marked *

four × 1 =