ଗରିବଙ୍କୁ ପକ୍କାଘର ବିଜ୍ଞାପନ କାଳ୍ପନିକ

ଭୁବନେଶ୍ବର (): ଗରିବଙ୍କୁ ପକ୍କାଘର ଓ ସହରାଚଂଳ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ମାମଲାରେ ରାଜ୍ୟ ସରକାର ସାଧାରଣ ଲୋକଙ୍କ ଆଖିରେ ଆଙ୍ଗୁଟି ଗେଞ୍ଜି ବାରମ୍ବାର ମିଛ କହୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି  । ରାଜ୍ୟ ସରକାରଙ୍କର ଯଦି ସତସାହସ ଅଛି ତାହାହେଲେ ବିଜେପି ଦେଉଥିବା ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଦତ ତଥ୍ୟ ପ୍ରମାଣକୁ ଜନସାଧାରଣରେ ତଥ୍ୟ ଆଧାରରେ ଉତର ଦିଅନ୍ତୁ ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଗୋଲକ ମହାପାତ୍ର ଆହ୍ବାନ ଜଣାଇଛନ୍ତି ।

ଗତ ଦୁଇଦିନରେ ରାଜ୍ୟ ସରକାର ଗଣମାଧ୍ୟମରେ ଗ୍ରାମାଚଂଳରେ ବିଜୁ ପକ୍କାଘର ଯୋଜନା ଓ ସହରାଚଂଳର ବସ୍ତିବାସିନ୍ଦା ଭୂମି ଅଧିକାର ଜାଗା ଯୋଜନା ସମ୍ପର୍କରେ ବିଜ୍ଞାପନ ସମ୍ପୂର୍ଣ ଭାବେ ମିଥ୍ୟା ଓ କାଳ୍ପନିକ ତଥ୍ୟ ଉପରେ ଆଧାରିତ ବୋଲି ବିଜେପି ତରଫରୁ ଅଭିଯୋଗ କରାଯିବା ସହ ସରକାରୀ ଦସ୍ତାବିଜକୁ ଉପସ୍ଥାପନ କରାଯାଇ ତଥ୍ୟ ପ୍ରମାଣ ଉପସ୍ଥାପନ କରାଯାଇଛି । ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞାପନରେ ୨୦୧୪ରୁ ୨୦୧୮ ମସିହା ମଧ୍ୟରେ ବିଜୁ ପକ୍କାଘର ଯୋଜନାରେ ୧୭ ଲକ୍ଷ କଚ୍ଚାଘରକୁ ପକ୍କାଘରରେ ପରିଣତ କରାଯାଇଛି ବୋଲି ଦାବି କରାଯାଉଛି । ମାତ୍ର ଗତ ୨ ବର୍ଷର ବଜେଟରେ ରାଜ୍ୟ ସରକାରଙ୍କ ନିଜସ୍ବ ବିଜୁ ପକ୍କାଘର ଯୋଜନାରେ ଟଙ୍କାଟିଏ ବ୍ୟୟ ବରାଦ ହୋଇନାହିଁ ବୋଲି କହିବା ସହ ରାଜ୍ୟ ସରକାର ସର୍ବସାଧାରଣରେ ଏହି ତଥ୍ୟକୁ ସ୍ବୀକାର କରନ୍ତୁ ବୋଲି ଶ୍ରୀ ମହାପାତ୍ର ଆହ୍ବାନ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯେତିକି ପକ୍କାଘର ମଂଞ୍ଜୁର ହୋଇଛି ସେ ଘର ଗୁଡିକ ଛାଡି ରାଜ୍ୟ ସରକାର ଆଉ  କେଉଁ ଅର୍ଥରେ କେତେ ପକ୍କାଘର ନିର୍ମାଣ କରୁଛନ୍ତି ଓାର୍କଅର୍ଡର ତାରିଖ ଓ ୟୁସିର ତାରିଖ ସହ ସମ୍ପୂର୍ଣ ତଥ୍ୟ  ସାର୍ବଜନୀନ କରନ୍ତୁ ବୋଲି ସେ ଦାବୀ କରିଛନ୍ତି ।

ରାଜ୍ୟ ସରକାରଙ୍କ ମିଥ୍ୟା ତଥ୍ୟକୁ ଗତ ପଂଚାୟତ ନର୍ବାଚନ ସମୟରେ ବିଜେପି ପର୍ଦ୍ଦାଫାସ କରିବା କାରଣରୁ ରାଜ୍ୟ ସରକାରଙ୍କ ୱେବସାଇଟରେ ଦିଆଯାଇଥିବା ବ୍ଲକ, ପଂଚାୟତ ଓ ଗ୍ରାମ  ଓାରୀ ପକ୍କାଘର ହିତାଧିକାରୀଙ୍କ ନାମ ଅନୁସାରେ ତାଲିକାକୁ ହଟାଇ ଦିଆଯାଇଛି । ଅପରପକ୍ଷରେ ଜିଲାଓାରୀ କେତେ ଲକ୍ଷ୍ୟଧାର୍ଯ୍ୟ ଓ କେତେ ଲକ୍ଷ୍ୟ ପୂରଣର ଏକ କାଳ୍ପନିକ ହିସାବକୁ ୱେବସାଇଟରେ ଦିଆଯାଇଛି ।

ରାଜ୍ୟ ସରକାରଙ୍କ ତରଫରୁ ପକ୍କାଘର ନିର୍ମାଣର ଯେଉଁ ଗୋଲାପୀ ଚିତ୍ର ଦିଆଯାଇଛି ପୂର୍ବରୁ ଏ ସମ୍ବନ୍ଧରେ ତଥ୍ୟ ଭିତିକ ପ୍ରଶ୍ନ କଲେ ମଧ୍ୟ ଉତର ନଦେଇ ପ୍ରସଙ୍ଗକୁ କାହିଁକି ଏଡାଇ ଦେଇ ଯାଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।  ତତକାଳୀନ ପଂଚାୟତିରାଜ ମନ୍ତ୍ରୀ ତଥା ଗୃହ ନିର୍ମାଣ ଦାୟିତ୍ବରେ ଥିବା ଅରୁଣ ସାହୁଙ୍କୁ ନୟାଗଡ ଜିଲା ଗଣିଆ ପଂଚାୟତର ପ୍ରଫୁଲ ନାଏକ ଓ ସୁବାସ ବାରିକଙ୍କ ନାଁରେ ୨୦୦୧-୦୨ ମସିହାରେ କାର୍ଯ୍ୟାଦେଶ ମିଳିଥିଲା । ମାତ୍ର ୨୦୧୪-୧୫ରେ ଏହି ଘର ନିର୍ମାଣ ଶେଷ ହୋଇଥିବା ରାଜ୍ୟ ପଂତାୟତିରାଜ ବିଭାଗ ୱେବସାଇଟରେ ଥିବା ତଥ୍ୟକୁ ନେଇ ପ୍ରଶ୍ନ ପଚରାଯାଇଥିଲେ ମଧ୍ୟ ରାଜ୍ୟ ସରକାର ବା ଶାସକ ଦଳ ଏ ପ୍ରଶ୍ନକୁ ଏଡାଇ ଯାଇଥିଲେ । ଏବେ ଅନ୍ୟଜଣେ ପୂର୍ବତନ ପଂଚାୟତିରାଜ ମନ୍ତ୍ରୀ ଡା.ଦାମୋଦର ରାଉତ ରାଜ୍ୟ ସରକାରଙ୍କ ଦାବି ମୁତାବକ ଗୃହ ନିର୍ମାଣକୁ ବିଶ୍ବାସ କରୁନାହାନ୍ତି ବୋଲି ସର୍ବଜନୀନ ଭାବେ ମନ୍ତବ୍ୟ ଦେଇ ସରକାରୀ ମିଛର ପର୍ଦ୍ଦାଫାସ କରିଛନ୍ତି ।  ୨୦୦୦ରୁ ୨୦୧୮ମଧ୍ୟରେ ମୁଖ୍ୟତଃ କେନ୍ଦ୍ରୀୟ ଯୋଜନାରେ ନିର୍ମାଣ ହୋଇଥିବା ଗୃହକୁ ୨୦୧୪ରୁ ୨୦୧୮ ମଧ୍ୟରେ ବିଜୁ ପକ୍କାଘର ନାଁରେ ବିଜ୍ଞାପନ ପ୍ରକାଶ କରି ମିଛ ବାହାବା ନେବାକୁ ରାଜ୍ୟ ସରକାର ଅପଚେଷ୍ଟା କରୁଛନ୍ତି କି ନାହିଁ ବୋଲି ଏହା ଉପରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ରଖିବାକୁ ସେ ଆହ୍ବାନ ଦେଇଛନ୍ତି ।

ବିଧାନସଭାରେ ରାଜ୍ୟ ସରକାରଙ୍କ ତରଫରୁ ୧୫-୧୨-୨୦୧୫ରେ ଗ୍ରାମାଚଂଳରେ ଗରିବ ଲୋକଙ୍କ ପାଇଁ ଦିଆଯାଇଥିବା ଗୃହ ନିର୍ମାଣ ଉପରେ ତଥ୍ୟ ଉଲେଖ କରାଯାଇଥିଲା । ଏଥିରେ ଜାନୁଆରୀ ୨୦୧୩ରୁ ଡିସେମ୍ବର ୨୦୧୫ ପଯ୍ୟନ୍ତ ମୋଟ ୩ ଲକ୍ଷ ୨ ହଜାର ୩୩୩ ଗୃହ ନିର୍ମାଣ କରାଯାଇଥିବା ସ୍ପଷ୍ଟ କରାଯାଇଛି । ଏହି ମୋଟ ଘର ମଧ୍ୟରୁ କେନ୍ଦ୍ରୀୟ ଯୋଜନାରେ ୨ ଲକ୍ଷ ୪୪ ହଜାର ୭୯୫ ଗୃହ ନିର୍ମାଣ କରାଯାଇଥିବା ବେଳେ ବିଜୁ ପକ୍କାଘର ଓ ମୋ କୁଡିଆ ଯୋଜନାରେ ୫୭ ହଜାର ୫୩୮ ଗୃହ ନିର୍ମାଣ କରାଯାଇଥିବା ତଥ୍ୟ ଉଲେଖ କରାଯାଇଥିଲା । ମାତ୍ର ରାଜ୍ୟ ସରକାରଙ୍କ ଏହି ତଥ୍ୟକୁ ବିଜେପି ତରଫରୁ ଚ୍ୟାଲେଞ୍ଜ କରାଯିବା ପରେ ୬-୧୨-୨୦୧୭ ମସିହାରେ ଏ ସମ୍ବନ୍ଧୀୟ ଏକ ପ୍ରଶ୍ନରେ ରାଜ୍ୟ ସରକାର ବିଧାନସଭାରେ ତଥ୍ୟ ନଦେଇ ତଥ୍ୟ ସଂଗ୍ରହ କରାଯାଉଛି ବୋଲି କହିଥିଲେ । ୨୦୧୫ ମସିହା ଶେଷ ସୁଦ୍ଧା ରାଜ୍ୟ ସରକାରଙ୍କ ମିଛ ଦାବି ହାଟରେ ପଡି ଦାଣ୍ଡରେ ଗଡୁଥିବା ବେଳେ ରାଜ୍ୟ ସରକାର ପୁଣି ମିଥ୍ୟାର ଆଶ୍ରୟ ନେଇଛନ୍ତି ବୋଲି ଗୋଲକ ଅଭିଯୋଗ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

three − 1 =