ଚୋର ଗଲା ପରେ ବୁଦ୍ଧି ଆସିଲା

ଭୁବନେଶ୍ବର (ନିପ୍ର): ଚିଲିକା ଡଙ୍ଗାବୁଡ଼ି ଘଟଣାରେ ୬ ଜଣଙ୍କ ମୃତ୍ୟୁ ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି । ଏଣିକି ଚିଲିକାରେ ଡଙ୍ଗାରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଲାଇଫ୍ ଜ୍ୟାକେଟ୍ ବାଧ୍ୟତାମୂଳକ କରାଯିବ । ଚିଲିକାରେ ଚଳାଚଳ କରୁଥିବା ସବୁ ଡଙ୍ଗାକୁ ପଞ୍ଜିକୃତ କରାଯିବା ସହ ପୁଣି ଥରେ ସେସବୁର ଫିଟନେସ୍ ଯାଞ୍ଚ ହେବ । ଚିଲିକାରେ ସୁରକ୍ଷା ସଂପର୍କିତ ବୈଠକ ପରେ ଆଜି ମୁଖ୍ୟ ଶାସନ ସଚିବ ଏହି ସୂଚନା ଦେଇଛନ୍ତି ।

ସେପଟେ ଘଟଣାର ତଦନ୍ତ କରୁଥିବା ଅନ୍ତର୍ଦେଶୀୟ ଜଳପଥର ନିର୍ଦ୍ଦେଶକ ଦେଇଥିବା ତଦନ୍ତ ରିପୋର୍ଟରେ ଚିଲିକାରେ ଚଳାଚଳ କରୁଥିବା ସବୁ ଡଙ୍ଗାରେ ଜିପିଏସ୍ ଲଗାଇବାକୁ ପ୍ରସ୍ତାବ ଦେଇଛନ୍ତି । ଏହାଦ୍ବାରା ଡଙ୍ଗାର ସ୍ଥିତି ଓ ପାଣିପାଗ ସଂପର୍କରେ ସୂଚନା ମିଳିପାରିବ । ତେବେ ଏହି ବ୍ୟବସ୍ଥା କେବଳ ଚିଲିକାରେ ନ କରି ରାଜ୍ୟର ସବୁ ଜଳାଶ୍ରୟରେ ପର୍ଯ୍ୟଟକମାନଙ୍କ ପାଇଁ ଚାଲୁଥିବା ଡଙ୍ଗାରେ ଲାଗୁ କରିବାକୁ ସରକାର ଅନୁଧ୍ୟାନ କରିବେ । ଚିଲିକା ନୌକା ଦୁର୍ଘଟଣାରେ ଡଙ୍ଗାର ମାଲିକଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପାଖରେ ଲାଇଫ ଜାକେଟ ଥାଇ ଯାତ୍ରୀ ମାନଙ୍କୁ ଦେଇନଥିବାରୁ ଡଙ୍ଗା ଚାଳକ ବିରୁଦ୍ଧରେ ଏହି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ  ବୋଲି ପରିବହନ ମନ୍ତ୍ରୀ ନୃଶିଂହ ସାହୁ କହିଛନ୍ତି ।

ଗତକାଲି ଚିଲିକାରେ ଡଙ୍ଗା ବୁଡ଼ି ପାଇଁ ଝଡ଼ତୋଫାନକୁ ଦାୟୀ କରାଯାଇଥିବାବେଳେ ଆଜି ମନ୍ତ୍ରୀ ମାନିଛନ୍ତି ଯେ, ଡଙ୍ଗାରେ କଣା ଥିଲା ଏବଂ ଏହାର ଫିଟନେସ୍ ସାର୍ଟିଫିକେଟ ମଧ୍ୟ ନ ଥିଲା । ଡଙ୍ଗାରେ ଲାଇଫ୍ ଜ୍ୟାକେଟ୍ ପର୍ଯ୍ୟାପ୍ତ ପରିମାଣର ଥିଲେ ବି ଯାତ୍ରୀଙ୍କୁ ବ୍ୟବହାର କରିବାକୁ ଦିଆଯାଇନଥିଲା । ଏ ଦୃଷ୍ଟିରୁ ଏଣିକି ସବୁ ଡଙ୍ଗାରେ ଲାଇଫ୍ ଜ୍ୟାକେଟ୍ ସହ ଲାଇଫ୍ ବୟ ମଧ୍ୟ ରହିବେ । ସେମାନେ ଯାତ୍ରୀମାନଙ୍କୁ ଲାଇଫ୍ ଜ୍ୟାକେଟ୍ ବ୍ୟବହାର ସଂପର୍କରେ ସଚେତନ କରିବା ସହ କୌଣସି ଅଘଟଣ ଘଟିଲେ ଯାତ୍ରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବେ ବୋଲି ସେ କହିଛନ୍ତି ।

ଆଜି ଶନିବାର ଦିନ ସଚିବାଳୟଠାରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କର ଅଧ୍ୟକ୍ଷତାରେ ଚିଲିକାରେ ଯାତ୍ରୀ ସୁରକ୍ଷା ଓ ନୌକା ପରିଚାଳନା ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ କହିଥିଲେ ଯେ, ଯାତ୍ରୀମାନଙ୍କର ସୁବିଧା ପାଇଁ ଚିଲିକାରେ ବୋଟ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯିବ । ଏହା ବ୍ୟତୀତ ଜାତିର ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏହି ବୈଠକରେ ବ୍ରହ୍ମଗିରି ବିଧାୟକ, ପୁରୀ ଜିଲ୍ଲାପାଳ, ପରିବହନ କମିଶନରଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

fourteen + one =