ଶାନ୍ତି, ସଂହତି ଓ ସଦ୍ଭାବନା ଯାତ୍ରାର ପ୍ରଥମ ପର୍ଯ୍ୟାୟ ଉଦଯାପିତ

ଭୁବନେଶ୍ବର () ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଗାନ୍ଧୀବାଦର ବାର୍ତ୍ତା ନେଇ ଶହୀଦ ଲକ୍ଷ୍ମଣ ନାୟକଙ୍କର ସ୍ମୃତିପୀଠ ମାଲକାନଗିରିର ମାଥିଲିରୁ ବାହାରିଥିବା ଶାନ୍ତି-ସଂହତି ଓ ସଦ୍ଭାବନା ଯାତ୍ରା ପ୍ରଥମ ପର୍ଯ୍ୟାୟରେ ଯାଜପୁର ଜିଲ୍ଲାର ବାଲିପଡ଼ିଆ ଠକ୍କରବାପା ଆଶ୍ରମରେ ଉଦଯାପିତ ହୋଇଛି । ଅକ୍ଟୋବର ୧୧ ଲୋକନାୟକ ଜୟପ୍ରକାଶ ଓ ମନମୋନହ ଚୌଧୁରୀଙ୍କ ଜୟନ୍ତୀରୁ  ଆରମ୍ଭ ହୋଇଥିବା ଏହି ଯାତ୍ରା ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ କଟକ ଜିଲ୍ଲାର ବିଭିନ୍ନ ସ୍ଥାନ ଅତିକ୍ରମ କରି ଶନିବାର ଯାଜପୁର  ଜିଲ୍ଲାରେ ପ୍ରବେଶ କରିଥିଲା ।

୧୯୩୪ରେ ମହାମ୍ଖା ଗାନ୍ଧୀ ପଦଯାତ୍ରା କରିଥିବା ବୈରୀରୁ ଚମ୍ପାପୁର ଗାନ୍ଧୀ ମାର୍ଗରେ ଅଭିଯାତ୍ରୀମାନେ ପଦଯାତ୍ରା କରି ଗାନ୍ଧୀ ଶିକ୍ଷାଶ୍ରମରେ ପହଞ୍ଚି ଥିଲେ । ସେଠାରେ  ଉଚ୍ଛସ୍ବିତ ସମ୍ବର୍ଦ୍ଧନା ପରେ ଅଭିଯାତ୍ରୀମାନେ ବାଲିପଡ଼ିଆ ଠକ୍କରବାପା ଆଶ୍ରମ ଯାଇଥିଲେ । ଛତିଆରୁ ଏହି ଅଭିଯାତ୍ରୀ ଦଳ ବାଲିଚନ୍ଦ୍ରପୁର ଦେଇ ବନ୍ଦରେଶ୍ବର  ଗ୍ରାମରେ ପହଞ୍ଚିଥିଲେ । ସେଠାରେ  ସଂଗ୍ରାମୀ ଜଗନ୍ନାଥ ମାନଧାତାଙ୍କ  ଶ୍ରାଦ୍ଧ ତିଥିରେ  ତାଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏକ ଶୋଭାଯାତ୍ରାରେ ପଲାଇ, ବିକ୍ରମତିରଣ ଓ ବରଦା ଗ୍ରାମ ଦେଇ ବାଲିପଡ଼ିଆରେ ପହଞ୍ଚି ଥିଲେ । ଗ୍ରାମ ଆରମ୍ଭରେ ‘ବଡ଼ଚଣା ଗାନ୍ଧୀ’ ବୃନ୍ଦାବନ ତ୍ରିପାଠୀଙ୍କ  ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ନେତାଜୀ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ମାଲ୍ୟାର୍ପଣ କରାଯାଇଥିଲା । ଏହାପରେ ପଦଯାତ୍ରାରେ ଅଭିଯାତ୍ରୀମାନେ ଠକ୍କରବାପା ଆଶ୍ରମକୁ ଯାଇଥିଲେ ।

ଉତ୍କଳ ଗାନ୍ଧୀ ସ୍ମାରକ ନିଧି ସଭାନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଝିଅ ଶ୍ରୀମତୀ କୃଷ୍ଣା ମହାନ୍ତି , ବିଶିଷ୍ଟ ଗାନ୍ଧୀବାଦୀ ସର୍ବୋଦୟ କର୍ମୀ ନିଶାକର ଦାସ, ରାଷ୍ଟ୍ରୀୟ ଯୁବା ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଡଃ ବିଶ୍ବଜିତ ଓ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ଅଧ୍ୟକ୍ଷ ଜଷ୍ଟିସ ମନୋରଞ୍ଜନ ମହାନ୍ତିଙ୍କ ନେତୃତ୍ବରେ ଆସିଥିବା ଅଭିଯାତ୍ରୀ ଦଳକୁ ଛତିଆରୁ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ସ୍ବାଗତ କରି ସାଙ୍ଗରେ ଆସିଥିଲେ । ବଡ଼ଚଣା ଗାନ୍ଧୀ ବୃନ୍ଦାବନ ତ୍ରିପାଠୀ ଓ ମା ସରସ୍ବତୀ ଦେବୀଙ୍କ ସାଧନା ପୀଠ ବାଲିପଡ଼ିଆ ଠକ୍କରବାପା ଆଶ୍ରମରେ ଗାନ୍ଧୀ ଶାନ୍ତି ଓ ସଂହତି ଯାତ୍ରାର  ଅଭିଯାତ୍ରୀମାନେ ମହାମ୍ଖା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ବଡ଼ଚଣା ଗାନ୍ଧୀଙ୍କ ସମାଧି ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ସମ୍ପାଦକ ବିରୂପାକ୍ଷ ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ ଏହି ସମାରୋହରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ଯାଜପୁର ଜିଲ୍ଲା ସ୍ବାଧୀନତା ସଂଗ୍ରାମୀ ସମିତି ସଭାପତି ନୀଳମଣି ସାମଲ ସଭାପତିତ୍ବ କରିଥିଲେ । ପ୍ରାରମ୍ଭରେ ଆଶ୍ରମର ପରିଚାଳନା କମିଟିର ସଦସ୍ୟ ଶରତ ଚନ୍ଦ୍ର ପ୍ରଧାନ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଆଶ୍ରମର ଟ୍ରଷ୍ଟି ତଥା ସ୍ବାଧୀନତା ସଂଗ୍ରାମୀ ଓ ଉତ୍ତରଦାୟାଦ ସଂଗଠନର ରାଜ୍ୟ ସାଧାରଣ ସମ୍ପାଦକ ବିଜୟ କୁମାର ତ୍ରିପାଠୀଙ୍କ ଆବାହକତ୍ବରେ ସମାରୋହ ଅନୁଷ୍ଠିତ ହୋଇଥିଲା ।

ଉଦବୋଧନ ଦେଇ ପ୍ରଥମେ ଡଃ ବିଶ୍ବଜିତ ସଂପ୍ରତିକ ସମାଜରେ ଗାନ୍ଧୀବାଦର ବିରୁଦ୍ଧାଚରଣ କରାଯାଇ କିପରି ଏକ ହିଂସା ଓ  ଅସୂୟା ରାଜନୀତିର ବାତାବରଣ ସୃଷ୍ଟି କରାଯାଉଛି, ତାହା ଉଲ୍ଲେଖ କରିଥିଲେ । ସମାଜ ବିରୋଧୀ ଶକ୍ତି ରାଜନୀତି ଓ ରାଷ୍ଟ୍ରନୀତିରେ ସକ୍ରିୟ ହୋଇଥିବା ସେ କହିଥିଲେ । ବିଧାୟକ ଅମର ପ୍ରସାଦ ଶତପଥ ଅଭିଯାତ୍ରୀ  ଦଳର ଶାନ୍ତି-ସଂହତି ଓ ସଦ୍ଭାବନା ସହ ଏ ଯାତ୍ରା ସମାଜରେ ବେଶ ପ୍ରଭାବ ପକାଇବ ବୋଲି କହିଥିଲେ । ବଡ଼ଚଣାର ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନର କଥା ସେ ଉଲ୍ଲେଖ କରିଥିଲେ ।

ଅଭିଯାତ୍ରୀ ଦଳର ପ୍ରତ୍ୟେକ ସଦସ୍ୟ ସର୍ବଶ୍ରୀ କୃଷ୍ଣା ମହାନ୍ତି, ଡଃ ବିଶ୍ବଜିତ, ନିଶାକର ଦାସ, ଜଷ୍ଟିସ ମନୋରଞ୍ଜନ ମହାନ୍ତି, ମାନସ ପଟ୍ଟନାୟକ, ମାନସ ମିଶ୍ର, ରଣଜିତ ଦେହୁରୀ, ସୂର୍ଯ୍ୟନାରାୟଣ ନାଥ, ପ୍ରଦୀପ ଟାକ୍ରୀ, ସୋନାଲୀ ମିଶ୍ର, ପଦ୍ମଲୋଚନ ମହାପାତ୍ର, ଫୁଲଲତା ସେଠୀ, ପ୍ରଦ୍ୟୁମ୍ନ ସାହୁ, ଅରବିନ୍ଦ ନାୟକ, ଛୋଟରାୟ ମାଝୀ, ସୌମ୍ୟକାନ୍ତ ଜେନା, ପ୍ରିୟଙ୍କା ପ୍ରିୟଦର୍ଶିନୀ, ଶୁଭଶ୍ରୀ ଦୀପ  ପ୍ରମୁଖଙ୍କୁ ସମ୍ବର୍ଦ୍ଧତ କରାଯାଇଥିଲା । ଯାତ୍ରାର  ସଂଯୋଜକ ଡଃ ବିଶ୍ବଜିତ ଘୋଷଣା କରିଥିଲେ ଯେ  ମା’ ରମାଦେବୀଙ୍କ ଜୟନ୍ତୀ ଡିସେମ୍ବର ୩ରୁ ଦ୍ବିତୀୟ ପର୍ଯ୍ୟାୟ ଯାତ୍ରା ଆରମ୍ଭ ହେବ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ଜନ୍ମପୀଠ ସୁଆଣ୍ଡୋରୁ ଏହି ଯାତ୍ରା ବାହାରି ଝାରସୁଗୁଡ଼ା ଯିବ । ତୃତୀୟ ପର୍ଯ୍ୟାୟରେ ଶହୀଦ ବାଜି ରାଉତଙ୍କ ଗାଁ ନୀଳକଣ୍ଠପୁରରୁ ଯାତ୍ରା ଆରମ୍ଭ ହୋଇ  ନୂଆପଡ଼ା ଯିବ ।

Share

Leave a Reply

Your email address will not be published. Required fields are marked *

2 × 4 =