୧୮ ଦିନରେ ମିଳିବ ଅଗ୍ନି ସୁରକ୍ଷା ପ୍ରମାଣ ପତ୍ର

2020 ଜାନୁଆରୀ ପହିଲାରୁ ମୋ ସରକାର କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହେବ

ଏପ୍ରିଲ ପହିଲାରୁ କେବଳ ଅନଲାଇନରେ ମିଳିବ ପ୍ରମାଣପତ୍ର

ଭୁବନେଶ୍ବର() ବିଭିନ୍ନ ବାସଗୃହ ଓ ବିଲଡିଂ ପାଇଁ ସୁରକ୍ଷା ପ୍ରମାଣପତ୍ର ପାଇଁ ଏବେ ଆଉ ଅଗ୍ନିଶମ ସେବା ନିଦେ୍ର୍ଧଶାଳୟକୁ ଯିବାକୁ ପଡିବ ନାହିଁ । ବିଭାଗର କ୍ଷେତ୍ରୀୟ କର୍ମଚାରୀମାନେ ଏଥିପାଇଁ ଆବଶ୍ୟକ ଅନୁମୋଦନ ଓ ପ୍ରମାଣପତ୍ର ଦେଇପାରିବେ । ଅଗ୍ନି ସୁରକ୍ଷା କ୍ଷେତ୍ରରେ ଅଧିକ ସଚେତନତା ଓ ସୁରକ୍ଷିତ ବ୍ୟବସ୍ଥା ପାଇଁ ବିଭିନ୍ନ ଅନୁମୋଦନ ଓ ପ୍ରମାଣ ପତ୍ର ପ୍ରଦାନ ଅଧିକାର କ୍ଷେତ୍ରୀୟ କର୍ମଚାରୀମାନଙ୍କୁ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ସଂକ୍ରାନ୍ତରେ ବିସ୍ତୃତ ଘୋଷଣାନାମା ପ୍ରକାଶ ପାଇଛି ।

ଏହି ନୂତନ ନିଷ୍ପତି ଦ୍ବାରା ଦୈନନ୍ଦିନ ଚଳଣି ଓ ବ୍ୟବସାୟରେ ଅଧିକ ସହଜତା ଆସିପାରିବ । ରାଜ୍ୟ ସରକାରଙ୍କ ୫-ଟି ନୀତି ଅନୁଯାୟୀ ମଧ୍ୟ ଏହି ପ୍ରକ୍ରିୟାକୁ ଅଧିକ ସରଳ ଓ ସମୟ ଉପଯୋଗୀ କରାଯାଇଛି । ନୂଆ ନିୟମ ଅନୁଯାୟୀ କ୍ଷେତ୍ରୀୟ କର୍ମଚାରୀ ମାନେ ଆବଶ୍ୟକ ପ୍ରକ୍ରିୟା ଅନୁସରଣ କରି ଆବେଦନ ଗ୍ରହଣ କରିବାର ୧୮ ଦିନ ମଧ୍ୟରେ ମଧ୍ୟରେ ପ୍ରମାଣ ପତ୍ର ପ୍ରଦାନ କରିବେ । ପ୍ରମାଣପତ୍ରର ଅବଧି ୨ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ ଏବଂ ଆବାସିବ କୋଠାବାଡି କ୍ଷେତ୍ରରେ ୫ବର୍ଷ ପର୍ଯ୍ୟନ୍ତ ବଳବତ୍ତରହିବ । ଏହାଦ୍ବାରା ଅଗ୍ନି ସୁରକ୍ଷା ପ୍ରମାଣ ପତ୍ର ପ୍ରଦାନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିପାରିବ । ୨୦୨୦ ଏପ୍ରିଲ ପହିଲା ସୁଦ୍ଧା ଅଗ୍ନି ସୁରକ୍ଷା ଅନୁମୋଦନ ଓ ପ୍ରମାଣ ପତ୍ର ପ୍ରଦାନର ସଂପୂର୍ଣ୍ଣ ବ୍ୟବସ୍ଥା ଅନଲାଇନ ଜରିଆରେ କରିବା ପାଇଁ ମଧ୍ୟ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ।

ନୂତନ ନିଷ୍ପତି ଅନୁଯାୟୀ ୧୫ ମିଟରରୁ କମ ଉଚ୍ଚତା ବିଶିଷ୍ଟ କୋଠା ପାଇଁ ସର୍କଲ ଡେପୁଟି ଫାୟର ଅଫିସର, 15ରୁ 35 ମିଟର ଉଚ୍ଚତା ବିଶିଷ୍ଟ କୋଠା (ମଲ୍ଟିପ୍ଲେକ୍ସ ବ୍ୟତିତ)  କୋଠା ପାଇଁ ରେଂଜ ଫାୟାର ଅଫିସର, ୩୫ ମିଟର ବା ତଦୁର୍ଦ୍ଧ ଉଚ୍ଚତା ବିଶିଷ୍ଟ କୋଠାବାଡି ପାଇଁ ଚିଫ ଫାୟର ଅଫିସର ଅଗ୍ନି ସୁରକ୍ଷା ପ୍ରମାଣପତ୍ର ଦେଇପାରିବେ । ୧୨ ମିଟିରରୁ କମୁ ଉଚ୍ଚତା ତଥା ୩୦ ଶର୍ଯ୍ୟା ବିଶିଷ୍ଟ ଚିକିତ୍ସାଳୟ ଯାହାର ସର୍ବନିମ୍ନ ଗୋଟିଏ ଆଇସିୟୁ ଥିବ ସେ କ୍ଷେତ୍ରରେ ଆସିଷ୍ଟାଣ୍ଟ ଫାୟାର ଅଫିସର ଏବଂ ୧୨ ମିଟରରୁ ଅଧିକ ଉଚ୍ଚତା ବିଶିଷ୍ଟ ଚିକିତ୍ସାଳୟ ପାଇଁ ଡେପୁଟି ଫାୟାର ଅଫିସର, ସିନେମା ହଲ ପାଇଁ ଜିଲ୍ଲାର ଆସିଷ୍ଟାଣ୍ଟ ଫାୟାର ଅଫିସର, ୩ ତାରକାରୁ କମ ହୋଟେଲ, ଲଜିଂ ଓ ଗେଷ୍ଟ ହାଉସ ପାଇଁ ଜିଲ୍ଲାର ଆସିଷ୍ଟାଣ୍ଟ ଫାୟାର ଅଫିସର ଏବଂ ୩ ତାରକାରୁ ଉର୍ଦ୍ଧ୍ବ ହୋଟେଲ ପାଇଁ ଡେପୁଟି ଫାୟର ଅଫିସର, ବିମାନ ବନ୍ଦର, ବିମାନ ଅବତରଣ କେନ୍ଦ୍ର, କାର ପାର୍କିଂ, ଷ୍ଟାଡିୟମ, ଭୂତଳ ଓ ଆଂଶିକ ଭୂତଳ କାର ପାର୍କିଂ ପାଇଁ ରେଂଜ ଅଫିସର ଅଗ୍ନି ସୁରକ୍ଷା ପ୍ରମାଣପତ୍ର ଦେଇପାରିବେ । ସେହିଭଳି ପେଟ୍ରୋଲ ପମ୍ପ ଓ ଏଲପିଜି ଗୋଦାମ ପାଇଁ ଆସିଷ୍ଟାଣ୍ଟ ଫାୟାର ଅଫିସର, କ୍ଷୁଦ୍ର ଶିଳ୍ପ କଳକାରଖାନା, ଗୋଦାମ ଘର, ବିସ୍ଫୋରକ ଦ୍ରବ୍ୟର ସଂରକ୍ଷଣ, ପରିବହନ, ବିକ୍ରୟ ଏବଂ ଆତସବାଜି ଉତ୍ପାଦନ ଓ ବିକ୍ରୟ ପାଇଁ ଡେପୁଟି ଫାୟାର ଅଫିସର ଏବଂ ବୃହତ ଶିଳ୍ପ ବିସ୍ଫୋରକ ଦ୍ରବ୍ୟ ଉତ୍ପାଦନକାରୀ, ପେଟ୍ରୋଲିୟମ ତଥା ଅନ୍ୟ ଦାହ୍ୟ ପଦାର୍ଥ ଡିପୋ ଆଦି କ୍ଷେତ୍ରରେ ରେଂଜ ଫାୟାର ଅଫିସର ଅଗ୍ନି ସୁରକ୍ଷା ପ୍ରମାଣପତ୍ର ଦେଇପାରିବେ ।

Share

Leave a Reply

Your email address will not be published. Required fields are marked *

14 − 7 =