1୦୦ ଦିନର କ୍ଲାସ ପରେ ପରୀକ୍ଷା, ସ୍କୁଲ ଯିବାକୁ ବାଧ୍ୟ କରାଯାଇପାରିବନି

ଭୁବନେଶ୍ବର () ଆସନ୍ତା ୮ ତାରିଖରୁ ରାଜ୍ୟରେ ଖୋଲିବ ସ୍କୁଲ  । ଦଶମ ଓ ଦ୍ବାଦଶ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀ ସ୍କୁଲକୁ ପାଠ ପଢିବାକୁ ଯିବେ  । ମାଧ୍ୟମିକ ଶିକ୍ଷା ବୋର୍ଡ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି  । ୨୦-୨୧ ବର୍ଷ ପାଇଁ ୧୦୦ ଦିନିଆ ଶିକ୍ଷାବର୍ଷ ଲାଗି ନିଷ୍ପତ୍ତି ନିଆଯାଇଛି  ।

ଶନିବାର ଓ ରବିବାର ମଧ୍ୟ ସ୍କୁଲରେ ପାଠ ପଢାଯିବ । ସର୍ବଭାରତୀୟ ପ୍ରତିଯୋଗିତା ପରୀକ୍ଷାରେ ଅଂଶଗ୍ରହଣ କରିବା ନିମନ୍ତେ ସେମାନଙ୍କୁ ପ୍ରସ୍ତୁତ କରିବାକୁ ହେବ । ସେଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶିକ୍ଷାନୁଷ୍ଠାନ ଖୋଲିବା ନିମନ୍ତେ ନିଷ୍ପତି ନେଇଛି  । ଦଶମ ପରୀକ୍ଷା ପାଇଁ ଜାନୁଆରୀ ୮ ତାରିଖରୁ ଏପ୍ରିଲ ୨୬ ତାରିଖ ପର୍ଯ୍ୟନ୍ତ ପାଠପଢାଯିବ  । ଯୁକ୍ତ ପାଇଁ ଜାନୁଆରୀ ୮ରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ପାଠ ପଢ଼ାଯିବ  । ଦଶମ ଶ୍ରେଣୀ ପିଲାମାନଙ୍କର ପ୍ରାକ୍ଟିକାଲ୍‌ ପରୀକ୍ଷା ଏପ୍ରିଲ ୨୭ରୁ ମେ ୨ ଓ ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏପ୍ରିଲ ୨୯ରୁ ମେ ୧୪ ତାରିଖ ପର୍ଯ୍ୟନ୍ତ ପ୍ରାକ୍ଟିକାଲ ପରୀକ୍ଷା ହେବ । ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ମେ ୩ ତାରିଖରୁ ମେ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ  । ପ୍ଲସ ଟୁ ପରୀକ୍ଷା ମେ ୧୫ରୁ ଜୁନ୍ ୧୧ ମଧ୍ୟରେ ହେବ ।

ସ୍କୁଲ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଛି ଏସଓପି  । ଅନଲାଇନ ପଢିବାକୁ ଚାହିଁଲେ ଛାତ୍ରଛାତ୍ରୀଙ୍କୁ ଅନୁମତି ଦିଆଯିବ  । ସ୍କୁଲ ଖୋଲିଲେ ମଧ୍ୟ ଅନଲାଇନ କ୍ସାସ୍‌ ଜାରି ରହିବ  । ଅଭିଭାବକଙ୍କ ଲିଖିତ ସହମତିରେ ସ୍କୁଲ ଯିବେ ଛାତ୍ରଛାତ୍ରୀ  । ଉପସ୍ଥାନ ହାରକୁ କଡାକଡି ଭାବେ ଲାଗୁ କରାଯିବ ନାହିଁ  । ଜିଲ୍ଲାପାଳମାନେ ଅସାଧାରଣ ପରିସ୍ଥିତିରେ  ଚୂଡ଼ାନ୍ତ ନିଷ୍ପତ୍ତି ନେବେ  ।

କଣ୍ଟେନମେଣ୍ଟ ଜୋନ୍‌ ବାହାରେ ଥିବା ସ୍କୁଲ ଖୋଲିବାକୁ ଅନୁମତି ଦିଆଯାଇଛି  । କଣ୍ଟେନମେଣ୍ଟ ଜୋନ୍‌ରେ ଥିବା ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ଅନୁମତି ମିଳିବନି  । ଗୋଟିଏ ଶ୍ରେଣୀଗୃହରେ ସର୍ବାଧିକ ୨୫ ଛାତ୍ରଛାତ୍ରୀ ବସିବେ  । ପୂର୍ବଭଳି ୧୦ଟାରୁ ୪ଟା ପର୍ଯ୍ୟନ୍ତ ସ୍କୁଲରେ ହେବ ପାଠପଢା  । ଭିନ୍ନଭିନ୍ନ ଶ୍ରେଣୀ ପାଇଁ ଭିନ୍ନଭିନ୍ନ ଖାଇବା ଛୁଟି ରହିବ  । ସ୍କୁଲରେ ଖେଳ ଓ ବୈଠକକୁ ବାରଣ କରାଯାଇଛି  । ବାହାରର ଖାଦ୍ୟ ବିକାଳିଙ୍କୁ ସ୍କୁଲର ଶହେ ମିଟର ଭିତରକୁ ପ୍ରବେଶ ପାଇଁ ମନା କରାଯାଇଛି   । ପରବର୍ତ୍ତିତ ପାଠ୍ୟକ୍ରମ ଅନୁଯାୟୀ ପାଠପଢା ହେବ । ପ୍ରତି ସ୍କୁଲରେ ରହିବ କୋଭିଡ଼ ମନିଟରିଂ ଟିମ୍  । ମନିଟରିଂ ଟିମ୍‌ରେ ରହିବେ ଜଣେ ଶିକ୍ଷକ ଓ ଜଣେ ଅଭିଭାବକ  । ଦୈନିକ ଛାତ୍ରଛାତ୍ରୀଙ୍କର ହେବ ସ୍ବାସ୍ଥ୍ୟ ପରୀକ୍ଷା  । ଏଥିସହ ଦୈନିକ ସ୍କୁଲର କ୍ୟାମ୍ପସକୁ ସାନିଟାଇଜ୍‌ କରାଯିବ  । ସଫେଇ କାମରେ ଛାତ୍ରଛାତ୍ରୀଙ୍କୁ ବ୍ୟବହାର କରାଯିବ ନାହିଁ ବୋଲି କଡାକଡି ଭାବେ ନିର୍ଦ୍ଦେଶ ଦିଆଯାଇଛି  ।

ଛାତ୍ରଛାତ୍ରୀଙ୍କ ବ୍ୟବହାର ପାଇଁ ରହିବ ସାନିଟାଇଜର ଓ ସାବୁନ । ଛାତ୍ରଛାତ୍ରୀ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରଖିବାକୁ ପରାମର୍ଶ ଦିଆଯାଇଛି । ଏଥିସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଠ୍ୟ ଉପକରଣ ଆଦାନ ପ୍ରଦାନକୁ ମନା କରାଯାଇଛି । ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିବେ । ସ୍କୁଲରେ କେହି ପଜିଟିଭ୍‌ ବାହାରିଲେ ପ୍ରଥମେ ତାଙ୍କୁ ଆଇସୋଲେସନରେ ରଖାଯିବ । ଅଭିଭାବକଙ୍କୁ  ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ବାବଦରେ ସ୍କୁଲ ପ୍ରଶାସନ ଜଣାଇବେ । ତେବେ ହଷ୍ଟେଲ ଖୋଲିବା ନେଇ ପରେ ଗାଇଡ୍‌ଲାଇନ୍‌ ଜାରିହେବ । ସ୍କୁଲ ପରିବହନ ବ୍ୟବସ୍ଥାକୁ ମଧ୍ୟ ଏଡାଇବାକୁ ପରାମର୍ଶ ଦିଆଯାଇଛି । ଅଭିଭାବକମାନେ ଛାତ୍ରଛାତ୍ରୀଙ୍କ ସ୍କୁଲ ପହଞ୍ଚିବା ଦ୍ବାୟିତ୍ବ ନେବେ । ଛାତ୍ରଛାତ୍ରୀ ସ୍କୁଲ ଆସିବାକୁ ବାଧ୍ୟ କରାଯାଇ ପାରିବ ନାହିଁ  ।

Share

Leave a Reply

Your email address will not be published. Required fields are marked *

12 − four =