Friday, October 30, 2026
Latestରାଜ୍ୟ

ଏଣିକି ଟ୍ରେନ୍ ଲାଇନ୍ ପାଖକୁ ଆସିବେନି ହାତୀ

ରାଜ୍ୟରେ ରେଳ ଦୁର୍ଘଟଣା ଜନିତ ହାତୀ ମୃତ୍ୟୁହାର ବୃଦ୍ଧି ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ହାତୀ ମୃତ୍ୟୁ ରୋକିବାକୁ ଏକ ଅଭିନବ ପନ୍ଥା ଗ୍ରହଣ କରିବାକୁ ରେଳ ଓ ବନ ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି। ଏଣିକି ରେଳଧାରଣା କଡ଼ରେ ଏକ ପ୍ରକାର ମେସିନ୍ ଲଗାଯିବ। ଯେଉଁଥିରୁ ମହୁମାଛିର ଶବ୍ଦ ବାହାରିବ । ଫଳରେ ଆଉ ହାତୀ ରେଳଧାରଣା ପାଖ ମାଡ଼ିବେନି ଏବଂ ହାତୀ ମୃତ୍ୟୁ ରୋକାଯାଇପାରିବ ବୋଲି ପିସିଏଫ୍ ସୁଦର୍ଶନ ପଣ୍ଡା ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଶୁକ୍ରବାର ରେଳ ବିଭାଗ, ଶକ୍ତି ବିଭାଗ ଓ ବନ ବିଭାଗର ଅଧିକାରୀଙ୍କୁ ନେଇ ଏକ ବୈଠକ ବସିଥିଲା। ହାତୀ ମୃତ୍ୟୁ କିପରି ରୋକାଯାଇପାରିବ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା। ଉକ୍ତ ବୈଠକରେ ରେଳଧାରଣା କଡ଼ରେ ମହୁମାଛି ବାହାରୁଥିବା ଶବ୍ଦ ମେସିନ ଲଗାଯିବା ନେଇ ନିଷ୍ପତି ହୋଇଥିଲା। ରେଳ ଚଳାଚଳ ସମୟରେ ଏହି ମେସିନଟି ମହୁମାଛି ପରି ଶବ୍ଦ କରିବ । ଫଳରେ ହାତୀମାନେ ସେହି ସମୟରେ ଆଉ ଟ୍ରେନ୍ ଲାଇନ୍ ପାଖକୁ ଆସିପାରିବେ ନାହିଁ। ପ୍ରାଥମିକ ପର୍ୟ୍ୟାୟରେ ଏହି ବ୍ୟବସ୍ଥା ଢେଙ୍କାନାଳ ଜିଲ୍ଲା ସଦାଶିବପୁର ଷ୍ଟେସନରେ କରାଯିବ । ଯାହା ପାଇଲଟ ପ୍ରେଜେକ୍ଟରେ ନାମିତ ହେବ। ପରବର୍ତ୍ତୀ ପର୍ୟ୍ୟାୟରେ ଅନ୍ୟ ହାତୀ ଚଳପ୍ରଚଳ ସ୍ଥାନ ମାନଙ୍କରେ ଏହି ମେସିନ ଲଗାଯିବ । ଏଥିପାଇଁ ସ୍ଥାନ ଚିହ୍ନଟ କରିବାକୁ ଝାରସୁଗୁଡ଼ା, କେନ୍ଦୁଝର, ଢେଙ୍କାନାଳର ବନ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପିସିଏଫ ଶ୍ରୀ ପଣ୍ଡା କହିଛନ୍ତି।

Share

Leave a Reply

Your email address will not be published. Required fields are marked *

one × four =