ରାଜ୍ୟର ବିକାଶ ହିଁ ଏକ ମାତ୍ର ଲକ୍ଷ୍ୟ

ଭୁବନେଶ୍ବର () ଗତ ଦୁଇ ଦଶନ୍ଧୀ ଧରି ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିକାଶର ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି । ବିକାଶର ସବୁ ସୂଚଙ୍କାକର ସବୁ ମାନଦଣ୍ଡରେ ଓଡିଶା ଆଗରେ ରହିଛି । ଏସବୁ ସମ୍ଭବ ହୋଇଛି କେବଳ ମୁଖ୍ୟମନ୍ତ୍ରୀଙ୍କ ଦୃଢ ଇଚ୍ଛାଶକ୍ତି ଏବଂ ଏକ ବିଶ୍ବାସଜନକ ଟିମ ଯାହା ରାଜ୍ୟ ପାଇଁ କାମ କରୁଛି ।

ରାଜ୍ୟରେ ଦେଖାଦେଇଥିବା ଏହି ପରିବର୍ତ୍ତନର କ୍ରେଡିଟ କିଛି ଯୁବ, ଅନୁଭବୀ ପ୍ରଶାସକଙ୍କୁ ଯାଉଛି, ଯେଉଁମାନେ ସଦାସର୍ବଦା ରାଜ୍ୟବାସୀଙ୍କ ସେବା ପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5-ଟି ସଚିବ ଭି.କେ ପାଣ୍ଡିଆନ ।

ରାଜ୍ୟର ବିଭିନ୍ନ ସ୍ଥାନରେ ସଫଳତାର ସହ କାର୍ଯ୍ୟ କରିବା ପରେ ଯୁବ ପାଣ୍ଡିଆନ 2007ରେ ଗଂଜାମ ଜିଲ୍ଲାପାଳ ଭାବେ ଦାୟିତ୍ବ ନେଇଥିଲେ । ତାଙ୍କ ନେତୃତ୍ବରେ ଗଂଜାମ ଜିଲ୍ଲାରେ ଦୃଢ ପରିବର୍ତ୍ତନର ପ୍ରକ୍ରିୟା ସୃଷ୍ଟି ହୋଇଥିଲା । ମନରେଗାରେ ଦେଶର ଏକ ନମ୍ବର ଜିଲ୍ଲାର ମାନ୍ୟତା ପାଇବା ଏବଂ କୃଷି ଓ ଦାଦନ ଶ୍ରମିକଙ୍କ ସମସ୍ୟା ସମାଧାନ କରି ସେ ନିଜର ଦକ୍ଷତା ଦେଖାଇଛନ୍ତି । ତାଙ୍କର କାର୍ଯ୍ୟ ଶୈଳୀ ଏବଂ ଲୋକଙ୍କୁ ସେବା ଯୋଗାଇବାରେ ତାଙ୍କ ନିଶା ମୁଖ୍ୟମନ୍ତ୍ରୀଙ୍କୁ ଆକୃଷ୍ଟ କରିଥିଲା । 2011ରେ ସେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଲେ । ରାଜ୍ୟର ସାମାଜିକ ଏବଂ ଆର୍ଥିକ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଦେଖିଥିବା ସ୍ବପ୍ନକୁ ସାକାର କରାଇବାରେ ତାଙ୍କୁ ସହଯୋଗ କରିବାରେ ତାଙ୍କର ମହତ୍ବପୂର୍ଣ୍ଣ ଭୁମୀକା ରହିଲା ।

ବ୍ୟକ୍ତିଗତ ସଚିବ ଭାବେ ରାଜ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଦେଖିଥିବା ସ୍ବପ୍ନକୁ ସଫଳ କରାଇବାରେ ସେ ଏକ ଅଦୃଶ୍ୟ ଶକ୍ତି କାର୍ଯ୍ୟ କରୁଥିଲେ । କିନ୍ତୁ ନବୀନଙ୍କ ରାଜନୈତିକ ବିରୋଧୀ ଏହାକୁ ହଜମ କରିପାରୁନାହାଁନ୍ତି । ସେ ରାଜନୈତିକ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ନେଇ ବାରମ୍ବାର ଅଭିଯୋଗ କରୁଥିଲେ, ଯାହାର କୌଣସି ସତ୍ୟତା ନାହିଁ । ଜିଲ୍ଲାପାଳ ସମୟରେ ଯେଉଁ ପାଣ୍ଡିଆନ ସକ୍ରିୟ ଭାବେ ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ହେଉଥିଲେ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେବା ପରେ ସେ ନିଜକୁ ଲୋକ ଲୋଚନରୁ ଦୁରେଇ ଦେଇଛନ୍ତି ।

ତାଙ୍କୁ ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ନେତାମାନେ ବ୍ୟକ୍ତିଗତ ଓ ରାଜନୈତିକ ଆକ୍ରମଣ କଲେ ମଧ୍ୟ ସେ କେବେ ବି ପ୍ରତିଶୋଧପରାୟଣ ହୋଇନାହାଁନ୍ତି । ଏପରିକି ଗତ 2018 ଫେବୃଆରୀ ମାସରେ ତାଙ୍କ ବାସଭବନ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ମଧ୍ୟ ସେ କାହା ବିରୋଧରେ ପ୍ରତିଶୋଧପରାୟଣ ହୋଇନାହାଁନ୍ତି । ତାଙ୍କ ଉପରେ ଉଦ୍ଦେଶ୍ୟମୂଳକ ଭାବେ ହେଉଥିବା ରାଜନୈତିକ ଅଭିଯୋଗ ପାଇଁ ସେ କେବେ ବି ଉତକ୍ଷିପ୍ତ ହୋଇନଥିବା ବେଳେ ସାଧାରଣ କୌଣସି ମତ ମନ୍ତବ୍ୟ ବି ଦେଇନାହାଁନ୍ତି । ସମ୍ପୁର୍ଣ୍ଣ ଭାବେ ନିରବତାର ସହ ରାଜ୍ୟର ବିକାଶ ପାଇଁ କାମ କରୁଥିବା ଏହି ଯୁବ ଅଫିସରଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ ଆସ୍ଥା ଓ ଭରସା ରହିଛି ।

5-ଟିର ସଚିବ ଭାବେ ପାଣ୍ଡିଆନଙ୍କ ନିଯୁକ୍ତି ଏଭଳି ଏକ ସମୟରେ ହୋଇଥିଲା ଯେଉଁ ସମୟରେ ରାଜ୍ୟ ବିକାଶର ନୂଆ ଧାରାକୁ ରୂପାନ୍ତରିତ ହେଉଥିଲା । ଲୋକ କୈନ୍ଦ୍ରିକ ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଥିଲା ଏବଂ ଏହାକୁ ସମସ୍ତେ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଥିଲା । ରୂପାନ୍ତରଣ ପାଇଁ ନବୀନଙ୍କ ନୂଆ ମନ୍ତ୍ର ତୃଣମୂଳ ସ୍ତରରେ କାର୍ଯ୍ୟ କରିବା ଆରମ୍ଭ କରିଥିଲା । କାଳିଆ, ମିଶନ ଶକ୍ତି ଜରିଆରେ ମହିଳା ସଶକ୍ତିକରଣ, ପୁରୀର ରୂପାନ୍ତରଣ ଏବଂ ସର୍ବୋପରି ମୋ ସରକାର ଭଲି କିଛି ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ କରିବାରେ ରହିଥିଲା କିଛି କିଛି ପ୍ରତିବନ୍ଧକ ।

ପୁରୀରେ ଚାଲିଥିବା ରୂପାନ୍ତରଣ ପ୍ରକ୍ରିୟାକୁ ନିଜେ ପାଣ୍ଡିଆନ ଦୈନିକ ସମୀକ୍ଷା କରୁଥିବା ବେଳେ ଆସନ୍ତା ଅକ୍ଟୋବର ଦୁଇ ତାରିଖରୁ ଆରମ୍ଭ ହେବ ମୋ ସରକାର କାର୍ଯ୍ୟକ୍ରମ । ମୋ ସରକାର କାର୍ଯ୍ୟକ୍ରମ ସମ୍ପର୍କରେ ସେ ରଖିଥିବା ସଂକ୍ଷିପ୍ତ କିନ୍ତୁ ମର୍ମସ୍ପର୍ଶୀ ବିବରଣୀ ତାଙ୍କ ଦକ୍ଷତା, ଲୋକଙ୍କ ପ୍ରତି ତାଙ୍କର ଉତ୍ସର୍ଗୀକୃତ ମାନୋଭାବର ପ୍ରତିଫଳନ ଥିଲା । ସେ କହିଥିଲେ ଯେ, କେହି ଥାନା କିମ୍ବା ଡାକ୍ତରଖାନାକୁ ନିଜ ଇଚ୍ଛାରେ ଆସିନଥାନ୍ତି । ଦୁର୍ଦ୍ଦିନ କିମ୍ବା ଦୁଃଖରେ ପଡିଲେ ଲୋକେ ଥାନା କିମ୍ବା ଡାକ୍ତରଖାନାକୁ ଯାଇଥାନ୍ତି । ନିଜର ପିଲା ହଜିଗଲେ କି ଅତ୍ୟାଚାରିତ ହେଲେ ଲୋକେ ଥାନାକୁ ଆସନ୍ତି । ଏଭଳିସ୍ଥିତିରେ ପୋଲିସ ସେମାନଙ୍କ ସହ କେମିତି ବ୍ୟବହାର କରିବ ତାହା ଶିଖିବା ଉଚିତ । ବର୍ତ୍ତମାନ ସମୟ ଆସିଛି ପରିବର୍ତ୍ତନର । ସବୁ ଥାନା ଅଧିକାରୀ ନିଜକୁ ଲୋକ ସେବା ପାଇଁ ଉତ୍ସର୍ଗ କରିବା ଆବଶ୍ୟକ ।

ତାଙ୍କର ଏହି ବିବୃତିର ସ୍ବାତନ୍ତ୍ରତା ଏୟା ଥିଲେ ଯେ, ସେ ଦୀର୍ଘ ବର୍ଷର ବ୍ୟବଧାନ ପରେ ଏକ ବିରାଟ ଶ୍ରୋତାଙ୍କ ସମ୍ମୁଖରେ ନିଜର ବିବରଣୀ ରଖିଥିଲେ । ଗଞ୍ଜାମ ଜିଲ୍ଲାପାଳ ଥିବା ସମୟରେ ସେ ଯେଉଁ ଭଳି ନିଜର ବକ୍ତବ୍ୟ ରଖୁଥିଲେ ଠିକ ସେଇ ଢଙ୍ଗରେ ଅତି ସଂକ୍ଷିପ୍ତରେ ସେ କହିଥିଲେ । ତାଙ୍କର ଏହି ଭାଷଣ କେବଳ ଗଣମାଧ୍ୟମର ହେଡଲାଇନ ହୋଇନଥିଲା, ଲୋକେ ମଧ୍ୟ ଅନୁଭବ କରିଛନ୍ତି ଯେ ଏହି ଯୁବ ଆଇଏଏସ ଅଫିସର ଏବେ ପୂର୍ବପରି କର୍ତ୍ତବ୍ୟନିଷ୍ଠ ଓ ଲୋକକୈନ୍ଦ୍ରିକ । ତୃଣମୂଳ ସ୍ତରରେ ଦୀର୍ଘ ଅନୁଭୂତି ରଖିଥିବା ଜଣେ ବ୍ୟକ୍ତି ହିଁ ଏଭଳି ବିବୃତି ରଖିପାରିବେ ।

Share

Leave a Reply

Your email address will not be published. Required fields are marked *

seven + 16 =