Friday, October 30, 2026
Latestରାଜ୍ୟ

ଆଜି ଦକ୍ଷିଣ ମୋଡ ନେବେ ତିନି ରଥ

ପୁରୀ()  ଆଜି ତିନି ରଥକୁ ଦକ୍ଷିଣମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖକୁ ନିଆଯିବ। ଏହା ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତିର ସଙ୍କେତ । ରଥ ଦକ୍ଷିଣ ମୋଡ଼ ପାଇଁ ବଡ଼ଦାଣ୍ଡରେ ବାଲି ବିଛାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ଏଥି ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରିଛି । ମଧ୍ୟାହ୍ନ ସାଢ଼େ ୧୨ଟାରେ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ତିନି ରଥ ଦକ୍ଷିଣ ମୋଡ଼ ନେଇ ଶରଧାବାଲିରେ ବାହୁଡ଼ା ପାଇଁ ପ୍ରସ୍ତୁତ ହୋଇ ରହିବେ ।

ପରମ୍ପରା ଅନୁସାରେ ପ୍ରଥମେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣ ମୋଡ଼ ପାଇଁ ଶରଧାବାଲିକୁ ନିଆଯିବ। ଏହା ପରେ ବଡ଼ଠାକୁରଙ୍କ ତାଳଧ୍ୱଜ ରଥ ଓ ଶେଷରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥକୁ ଟାଣି ଦକ୍ଷିଣମୁଖୀ କରି ରଖାଯିବ । ଦକ୍ଷିଣମୋଡ଼ ପାଇଁ ନିର୍ଘଣ୍ଟ ନୀତି ଅନୁଯାୟୀ, ଭୋର ୪ଟାରେ ଦ୍ବାରଫିଟା, ସାଢ଼େ ୪ଟାରେ ଭିତରଶୋଧ, ୫ଟାରେ ମଙ୍ଗଳ ଆଳତି, ସାଢ଼େ ୫ଟାରେ ମଇଲମ-ତଡ଼ପଲାଗି, ୬ଟାରେ ଅବକାଶ ନୀତି ଅନୁଷ୍ଠିତ ହୋଇଛି ।

ଗତକାଲି ବିଳମ୍ବିତ ରାତିରେ ଶ୍ରୀକ୍ଷେତ୍ରରେ ହେରା ପଞ୍ଚମୀ ନୀତି ଅନୁଷ୍ଠିତ ହୋଇଥିଲା। ନନ୍ଦିଘୋଷ ରଥ ନିକଟରେ ପହଞ୍ଚି ମହାଲକ୍ଷ୍ମୀ ହସଂପଟାର କିଛି ଅଂଶ ଭାଙ୍ଗିଥିଲେ। କାରଣ ରଥଯାତ୍ରା ଦିନ ସାଙ୍ଗରେ ଆଣି ନଥିବାରୁ ଅଭିମାନିନୀ ମହାଲକ୍ଷ୍ମୀ ରାଗରେ ଜର୍ଜରିତ ହୋଇ ନନ୍ଦିଘୋଷ ରଥ ଭାଙ୍ଗିବା ସହ ନିରାଡମ୍ବର ଶୋଭାଯାତ୍ରାରେ ପୁନର୍ବାର ଶ୍ରୀମନ୍ଦିରକୁ ଫେରି ଆସିଥିଲେ। ଶ୍ରୀମନ୍ଦିରରୁ ଏକ ବିମାନରେ ବିରାଜମାନ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ମହାଲକ୍ଷ୍ମୀ ଆସିଥିଲେ।

Share

Leave a Reply

Your email address will not be published. Required fields are marked *

eight − four =