ଓଡ଼ିଶା ଫେରିବ ଡାକୋଟା

ଭୁବନେଶ୍ୱର: ବହୁ ସ୍ମୃତି ବିଜଡ଼ିତ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଡାକୋଟା ବିମାନ । ଖୁବ୍ଶୀଘ୍ର ଏହା କୋଲକାତାରୁ ଓଡ଼ିଶା ଆସିବ । ଏନେଇ ରାଜ୍ୟ ସରକାର ଜୋର୍ଦାର୍ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ରାଜ୍ୟ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶକ କହିଛନ୍ତି, ବିମାନକୁ କୋଲକାତାରୁ କିପରି ଅଣାଯିବ ସେଥିପାଇଁ ସପ୍ତାହକ ମଧ୍ୟରେ ଟେଣ୍ଡର ହେବ । ତା’ ପୂର୍ବରୁ ଏହା କେଉଁଠି ରହିବ ସେଥିପାଇଁ ରାଜ୍ୟ ସରକାର ସ୍ଥାନ ଚିହ୍ନଟ କରିସାରିଛନ୍ତି । ଭୁବନେଶ୍ୱର ଏୟାରପୋର୍ଟ ଗୋଲେଇ ଛକରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ଏହାକୁ ରଖାଯିବ । ଏଥିଲାଗି ଜିଏ ବିଭାଗ ଅନୁମତି ଦେଇସାରିଛି । ବାକି ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ)କୁ ଅନୁମତି ମଗାଯାଇଛି । ଏନ୍ଓସି ଆସିଲେ ପରବର୍ତ୍ତୀ କାର‌୍ୟ୍ୟପନ୍ଥା ଗ୍ରହଣ କରାଯିବ ।

ସୂଚନା ଥାଉକି, ବିଜୁବାବୁଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା କଳିଙ୍ଗ ଏୟାର ଲାଇନ୍ସରେ ୧୪ଟି ବିମାନ ଥିଲା । ସେଥିମଧ୍ୟରୁ ଡାକୋଟା ବିମାନ ବିଜୁବାବୁଙ୍କ ଅଧିକ ପ୍ରିୟ ଥିଲା । ଏହାକୁ ବିଜୁବାବୁ ନିଜେ ଚଲାଉଥିଲେ । ବହୁ ଦୁଃସାହସିକ ଅଭିଯାନରେ ବିଜୁଙ୍କ ସାଥୀ ଥିଲା ଏହି ଡାକୋଟା, ଯାହା ଅନେକ କାହାଣୀର ମୁଖସାଖୀ । ତାକୁ ଆଣିବାକୁ ପ୍ରୟାସ ଆରମ୍ଭ କରିଥିବା ସରକାରଙ୍କ ଉଦ୍ୟମକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଅନେକ ବିଜୁପ୍ରେମୀ କହିଛନ୍ତି, ଆଗାମୀ ଦିନରେ ଏହି ବିମାନଟି ପରପିଢ଼ିଙ୍କୁ ଅପୁପ୍ରେରିତ କରିବ । ବିଜୁବାବୁଙ୍କ ସ୍ମୃତିକୁ ଉଜ୍ଜୀବିତ କରିବ । ସରକାରଙ୍କ ଏହି ପଦକ୍ଷେପ ନିଶ୍ଚିତ ଭାବେ ପ୍ରଶଂସନୀୟ ।

Share

Leave a Reply

Your email address will not be published. Required fields are marked *

three × two =