ଦୁର୍ନୀତି ଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଜାରି, ଆଉ ୯ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ବର () ଦୁର୍ନୀତି ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ ରାଜ୍ୟ ସରକାରଙ୍କର କଠୋର ଆଭିମୁଖ୍ୟ ଜାରି ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଉପରେ ଜୋର ଦେଇଆସିଛନ୍ତି । ସାଧାରଣ ଜୀବନରେ ସାଧୁତା ଓ ନୈତିକତା ବଜାୟ ରଖିବା ସହ ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି।

ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଖଣି ବିଭାଗର ଜଣେ ଉପନିର୍ଦ୍ଦେଶକ ଓ ଶ୍ରମ ବିଭାଗର ଯୁଗ୍ମ କମିଶନରଙ୍କ ସମେତ ଜଙ୍ଗଲ, ଜନସ୍ବାସ୍ଥ୍ୟ, ଶ୍ରମ ବିଭାଗର ୯ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ବିରୁଦ୍ଧରେ ଦୁର୍ନୀତି ମାମଲା ଥିବାବେଳେ, ୨ ଜଣଙ୍କୁ ଅପାରଗତା ଯୋଗୁଁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଖଣି ବିଭାଗର ୨ ଜଣ ଅଧିକାରୀ ତଥା ବଲାଙ୍ଗୀର ମୂରିବାହଲ ଫରେଷ୍ଟ ରେଞ୍ଜ ଅଫିସର ଏବଂ ସୁନ୍ଦରଗଡ ଜିଲ୍ଲା ସାଧାରଣ ଜନସ୍ବାସ୍ଥ୍ୟ ବିଭାଗର ଆସିଷ୍ଟାଣ୍ଟ ଇଂଜିନିୟରଙ୍କୁ ଆଜି ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଅନ୍ୟ ୫ ଜଣଙ୍କୁ କିଛି ଦିନ ତଳେ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା।

ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଅଧିକାରୀମାନେ ହେଲେ ଖଣି ବିଭାଗର ଉପନିର୍ଦ୍ଦେଶକ ମଦନ ମୋହନ ବିଶ୍ବାଳ। ଶ୍ରୀ ବିଶ୍ବାଳଙ୍କ ବିରୁଦ୍ଧରେ ୯ଟି ଭିଜିଲାନ୍‌ସ କେସ୍‌ ରହିଛି । ତାଙ୍କର ସାଧୁତା ଅତ୍ୟନ୍ତ ସନ୍ଦେହଜନକ ଥିଲା । ସେହିପରି ସରକାରୀ କାର୍ଯ୍ୟରେ ତାଙ୍କର ଆନ୍ତରିକତା ଅଭାବ ରହିଥିଲା ଏବଂ ଜଣେ ସରକାରୀ ଅଧିକାରୀ ଭାବରେ ଆବଶ୍ୟକ ସୌଜନ୍ୟ ମଧ୍ୟ ସେ ରକ୍ଷା କରୁ ନଥିଲେ।
ଶ୍ରୀ ରମେଶ ଚନ୍ଦ୍ର ମହାଲିକ, ଖଣି ଅଧିକାରୀ ଗ୍ରୁପ-କ ପାହ୍ୟାର ଅଧିକାରୀ ଶ୍ରୀ ମହାଲିକଙ୍କ ବିରୁଦ୍ଧରେ ୪ଟି ଭିଜିଲାନ୍‌ସ କେସ୍ ଥିବାବେଳେ ତାଙ୍କର ସାଧୁତା ମଧ୍ୟ ସନ୍ଦେହଜନକ ଥିଲା । ଜଣେ ସରକାରୀ ଅଧିକାରୀ ଭାବରେ ଆବଶ୍ୟକ ଆନ୍ତରିକତା ଓ ସୌଜନ୍ୟର ଅଭାବ ତାଙ୍କ ଠାରେ ଥିଲା ।

ବଲାଙ୍ଗୀର ମୂରିବାହାଲ ଫରେଷ୍ଟ ରେଞ୍ଜ ଅଫିସର ପ୍ରଶାନ୍ତ କୁମାର ନାୟକ ୧ କୋଟି ୪୦ ଲକ୍ଷ ଟଙ୍କାର ଆୟବହିର୍ଭୁତ ସଂପତ୍ତି ସହିତ ବଲାଙ୍ଗୀର ଜିଲ୍ଲାରେ ତାଙ୍କର ୧୦ଟି ପ୍ଲଟ ଓ ୨ଟି କୋଠା ମଧ୍ୟ ଠାବ କରାଯାଇଥିଲା । ସେଥିପାଇଁ ତାଙ୍କ ନାମରେ ଭିଜିଲାନ୍‌ସ ମାମଲା ରହିଛି ।

ସେହିପରି ସୁନ୍ଦରଗଡ ଜିଲ୍ଲା ସାଧାରଣ ଜନସ୍ବାସ୍ଥ୍ୟ ବିଭାଗର ଆସିଷ୍ଟାଣ୍ଟ ଇଂଜିନିୟର ନାରାୟଣ ପ୍ରଧାନଙ୍କ ବିରୁଦ୍ଧରେ ଭିଜିଲାନ୍‌ସ ମାମଲା ରହିଛି । ତାଙ୍କର ଆୟ ବହିର୍ଭୂତ ୨ କୋଟି ୨୦ ଲକ୍ଷ ଟଙ୍କାର ସଂପତ୍ତି ସହିତ ଦେଓଗଡ ଜିଲ୍ଲାରେ ୪ଟି କୋଠା, ସମ୍ବଲପୁର, ଦେଓଗଡ, ଅନୁଗୁଳ ଓ ଖୋର୍ଦ୍ଧା ଜିଲ୍ଲାରେ ୩୧ଟି ଜମି ମଧ୍ୟ ରହିଛି ।

ଜଂଗଲ ବିଭାଗର ସହକାରୀ ବନ ସଂରକ୍ଷକ ଲକ୍ଷ୍ଣଣ କୁମାର ପ୍ରଧାନଙ୍କ ବିରୁଦ୍ଧରେ ୨ଟି ଭିଜିଲାନ୍‌ସ କେସ ରହିଛି । ଭରତ କୁମାର ଘଡେଇ ଜଙ୍ଗଲ ବିଭାଗର ରେଞ୍ଜ ଅଫିସରଙ୍କ ବିରୁଦ୍ଧରେ ୩ଟି ଭିଜିଲାନ୍‌ସ କେସ୍ ରହିଛି । ଶ୍ରୀ ପ୍ରଦୀପ କୁମାର ଭୋଇ, ରାୟଗଡା ଜିଲ୍ଲା ଶ୍ରମ ଅଧିକାରୀଙ୍କ ବିରୁଦ୍ଧରେ ଗୋଟିଏ ଭିଜିଲାନ୍‌ସ କେସ ରହିଛି । ଏମାନଙ୍କୁ ସମସ୍ତଙ୍କୁ ଦୁର୍ନୀତି ଅଭିଯୋଗରେ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ଭୁବନେଶ୍ବରର ଯୁଗ୍ମ ଶ୍ରମ କମିଶନର ଶରତ କୁମାର ଚୌଧୁରୀ ଏବଂ ଗଜପତି ଜିଲ୍ଲାର ଡିଭିଜିନାଲ ଶ୍ରମ କମିଶନର ନମିତା ଦାସଙ୍କୁ ଅପାରଗତା ଯୋଗୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଉପରୋକ୍ତ ୯ ଜଣ ଅଧିକାରୀଙ୍କ ସମେତ ଏପର୍ଯ୍ୟନ୍ତ ୧୧୩ଜଣଙ୍କୁ ଦୁର୍ନୀତି ଓ ଅପାରଗତା ଅଭିଯୋଗରେ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି।

Share

Leave a Reply

Your email address will not be published. Required fields are marked *

fourteen + sixteen =