ରାଜ୍ୟ

ସଂଗ୍ରାମୀ ଓ ବୀର ସହିଦଙ୍କ ବୀରତ୍ବ ଗାଥାର ସଂକଳନ ହେବ

ଭୁବନେଶ୍ବର () :  ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ୩୦ଟି ସହିଦ ପୀଠରୁ ପବିତ୍ର ମାଟି ଆଣି ଭୁବନେଶ୍ବର ସହିଦ ସ୍ମାରକୀ ସ୍ବାଧୀନତା ସଂଗ୍ରାମୀ ସଦନଠାରେ ସ୍ମୃତିସ୍ତମ୍ଭ  ନିର୍ମାଣ କରାଯିବ । ରାଜ୍ୟର ସ୍ବାଧୀନତା ସଂଗ୍ରାମୀ ଓ ସହିଦଙ୍କ ବୀରତ୍ବ ଗାଥାର ସଂକଳନ ପ୍ରସ୍ତୁତ ହେବ । ଏଥିଲାଗି କାର୍ଯ୍ୟକ୍ରମ ଚୂଡ଼ାନ୍ତ କରାଯାଇଛି । ସହିଦ ପୀଠରୁ ମାଟି ଆଣିବାକୁ ପବିତ୍ର କଳସ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଛି ।

ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ସମିତିର ସଭାପତି ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ସଭାପତିତ୍ବରେ ଶୁକ୍ରବାର ଏହି ସମାରୋହ ଅନୁଷ୍ଠିତ ହୋଇଥିଲା । ସ୍ବାଧୀନତା ସଂଗ୍ରାମୀ ଯୁବ ସାମ୍ମୁଖ୍ୟର ସର୍ବଭାରତୀୟ ସଭାପତି ସାଂସଦ ଭର୍ତ୍ତୃହରି ମହତାବ  ଯୋଗଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ସାମ୍ମୁଖ୍ୟର ରାଜ୍ୟ ସଭାପତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କିଭଳି ବିଭିନ୍ନ ସହିଦ ପୀଠରୁ ସଭା ଓ ଶୋଭାଯାତ୍ରା ଜରିଆରେ ମାଟି ଅଣାଯିବ ଓ ରାଜ୍ୟସ୍ତରୀୟ ସମାରୋହରେ ଏହାକୁ ସ୍ମୃତିସ୍ତମ୍ଭରେ ସ୍ଥାପନ କରାଯିବ ସେ ସମ୍ପର୍କରେ ସୂଚନା ଦେଇଥିଲେ ।

ବୀରହରେକୃଷ୍ଣପୁରଶାସନ, ଦାରୁଠେଙ୍ଗ, ଘେଁସ, ବାଦଭୂଇଁ, ତେନ୍ତୁଳିଗୁମ୍ମା, ସିଂହଭୂମ, ଖୋର୍ଦ୍ଧା, ଖିଣ୍ଡା, ଘୁମୁସର, ମ.ରାମପୁର, କନିକା, ରଣପୁର, ନୀଳକଣ୍ଠପୁର, ଭୁବନ, ତୁମସିଂହା, ପରଜଙ୍ଗ, କାମାକ୍ଷାନଗର, ବଡ଼ଗାଁ, ରାଇବଗା, ଲୁଣିଆ, ତୁଡ଼ିଗାଡ଼ିଆ, ଇରମ, କଳାମାଟିଆ, ନିମାପଡ଼ା, ପାପଡ଼ାହାଣ୍ଡି, କୁଶବିଡ଼ା, ଥୁଆବାରି, ବଡ଼ଭରାଣ୍ଡି, ପାରଳାଖେମୁଣ୍ଡି ଓ ମାଥିଲିରୁ ମାଟି ଅଣାଯିବାକୁ ଘୋଷଣା କରାଯାଇଥିଲା ।

ବିଭିନ୍ନ ସହିଦ ପୀଠରୁ ପବିତ୍ର ମାଟି ଆଣିବା ଲାଗି ଏହି ସମାରୋହରେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଅନୁସୂଚିତ ଜନଜାତି ଓ ଜାତି କଲ୍ୟାଣ ମନ୍ତ୍ରୀ ରମେଶ ମାଝୀ, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ବାଚସ୍ପତି ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର କୁମାର ମହାନ୍ତି, ପୂର୍ବତନ ମନ୍ତ୍ରୀ ସାରଦା ନାୟକ, ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ରବିନାରାୟଣ ମହାପାତ୍ର ଓ  ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ କଳସ ପ୍ରଦାନ କରାଯାଇଥିଲା । ଅତିଥିମାନେ କଳସ ପ୍ରଦାନ କରିଥିଲେ ।

ସେହିପରି ବରୀ କଳାମାଟିଆର ସହିଦ ସ୍ମୃତି ପରିଷଦ କର୍ମକର୍ତ୍ତା ମନୀନ୍ଦ୍ର ସାମଲ, ଡା. ସର୍ବେଶ୍ୱର ଶତପଥୀ, ପ୍ରମେଶ ମହାନ୍ତି, ବୈଷ୍ଣବ ଜେନା, କାହ୍ନୁଚରଣ ବେହେରା, କାଞ୍ଚନବାଳା ଯତି, ଶ୍ୟାମସୁନ୍ଦର ମଲ୍ଲିକ ପ୍ରମୁଖ କଳସ ଗ୍ରହଣ କରିଥିବାବେଳେ ଦାରୁଠେଙ୍ଗ ଲାଗି ପ୍ରଫୁଲ୍ଲ ବାହୁବଳେନ୍ଦ୍ର, କବିରାଜ ବିଧାର ଓ ତପନ ବଳିଆରସିଂ, ଇରମ ଓ ଲୁଣିଆର ରଘୁନାଥ ଲେଙ୍କା କଳସ ଗ୍ରହଣ କରିଥିଲେ । ନିଷ୍ପତ୍ତି ହୋଇଥିଲା ଯେ, ଜୁଲାଇ ୨୫ରୁ ୩୧ ତାରିଖ ମଧ୍ୟରେ ସହିଦ ପୀଠରେ ସଭା କରାଯାଇ ମାଟି ସଂଗ୍ରହ ହେବ ଓ ଶୋଭାଯାତ୍ରାରେ ଭୁବନେଶ୍ୱର ଅଣାଯିବ ।

ଅଗଷ୍ଟ ୯ କ୍ରାନ୍ତି ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସହିଦ ସ୍ମୃତିସ୍ତମ୍ବରେ ସେହିସବୁ କଳସ ସ୍ଥାପନ କରାଯିବ । କାର୍ଯ୍ୟକ୍ରମରେ ବିଧାୟକ ଦେବୀ ପ୍ରସାଦ ମିଶ୍ର, ପ୍ରଭାତ ତ୍ରିପାଠୀ, ମହେଶ ସାହୁ, ପୂର୍ବତନ ସରକାରୀ ମୁଖ୍ୟ ସଚେତକ ରବିନାରାୟଣ ପାଣି, ଶ୍ରମିକ ନେତା ଯୋଗେନ୍ଦ୍ର ତ୍ରିପାଠୀ, ବ୍ରଜବନ୍ଧୁ ପରିଡ଼ା ପ୍ରମୁଖ ଯୋଗ  ଦେଇଥିଲେ । ସ୍ବାଧୀନତା ସଂଗ୍ରାମୀ ସଦନ ଟ୍ରଷ୍ଟ ପକ୍ଷରୁ ଉପେନ୍ଦ୍ର ପାଢ଼ୀ ଓ ବିରୁପାକ୍ଷ ତ୍ରିପାଠୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଶ୍ରୀକାନ୍ତ ସାମଲ, ବିଭୁଦତ୍ତ ତ୍ରିପାଠୀ, ଶ୍ୟାମାପ୍ରସାଦ ପଟ୍ଟନାୟକ, ଅଭୟ ବଡ଼ଜେନା, ସନ୍ତୋଷ ମହାପାତ୍ର, ଦିଲୀପ ଜେନା, ଦୀନବନ୍ଧୁ ଦାସ ପ୍ରମୁଖ ପରିଚାଳନା କରିଥିଲେ ।

Share

Leave a Reply

Your email address will not be published. Required fields are marked *

five + 3 =