ବିବନ ବିଶ୍ୱାଳ ଗିରଫ ପରେ ସିବିଆଇର ତତ୍ପରତା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଦୀର୍ଘ ୨୨ ବର୍ଷ ପରେ ମାଷ୍ଟର ମାଇଣ୍ଡ ବିବନ ବିଶ୍ୱାଳ ଧରାପଡିବା ପରେ ଘଟଣାର ତଦନ୍ତ କରୁଥିବା ସିବିଆଇ ତତ୍ପରତା ଦେଖାଇଛି । ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ଆସି ଭେଟିଛନ୍ତି ସିବିଆଇର ୨ ଜଣିଆ ଟିମ୍ । ତଦନ୍ତର ଅଗ୍ରଗତି ନେଇ ପୋଲିସ କମିଶନରଙ୍କ ସହ ଆଲୋଚନା କରିଛନ୍ତି ଉଭୟ ଅଧିକାରୀ ।ତେବେ ଆଲୋଚନା କରିବା ପରେ ସିବିଆଇ ଅଧିକାରୀ ପ୍ରତିକ୍ରିୟା ରଖି କହିଛନ୍ତି ଏହା, ଗୁପ୍ତ ଆଲୋଚନା ଥିଲା । ତେଣୁ କାହାରି ଆଗରେ ପ୍ରକାଶ କରାଯାଇ ପାରିବନାହିଁ ।

ସିବିଆଇ ଆଖିରେ ଧୂଳି ଦେଇ ୨୨ ବର୍ଷ ଧରି ବୁଲୁଥିବା ବିବନକୁ ପୁଣେରେ କମିଶନରେଟ୍‌ ପୋଲିସ ଗିରଫ କରିଥିଲା । ବହୁ ଚର୍ଚ୍ଚିତ ୧୯୯୯ ବାରଙ୍ଗ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ଥିଲା ବିବନ ବିଶ୍ୱାଳ | ବିବନକୁ ପୁଣେରୁ ଗିରଫ କରିଛି କମିଶନରେଟ୍‌ ପୋଲିସ । ପୁଣେରେ ନିଜ ପରିଚୟ ଗୋପନ ରଖି ଜଳନ୍ଧର ସ୍ୱାଇଁ ନାଁରେ ଏକ ପାଇପ୍ ମିସ୍ତ୍ରୀ ଭାବେ କାମ କରୁଥିଲା ବିବନ । ସବୁ ନାଁ ଗାଁ ଠିକଣା ବଦଳେଇ ଦେଇଥିଲା । ମହାରାଷ୍ଟ୍ର ପୋଲିସ ସହାୟତାରେ କମିଶନରେଟ୍ ପୋଲିସ ବିବନକୁ ଗିରଫ କରିଛି । ମାମଲାର ଅନ୍ୟ ଦୁଇ ଅଭିଯୁକ୍ତ ପ୍ରଦୀପ ସାହୁ ଓ ଧିରେନ୍ଦ୍ର ମହାନ୍ତି ୧୯୯୯ ଜାନୁଆରୀ ୨୬ରେ ଗିରଫ ହୋଇଥିଲେ । ତେବେ ସେହିଦିନଠାରୁ ଫେରାର ଥିଲା ବିବନ।

ଅନ୍ୟପଟେ ଏହି ଗଣଦୁଷ୍କର୍ମ ମାମଲାରେ ମୁହଁ ଖୋଲିଛନ୍ତି ଗିରଫ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କ ପତ୍ନୀ । ୨୨ ବର୍ଷ ହେଲାଣି ସେ ଘର ଛାଡି କୁଆଡେ ଚାଲି ଯାଇଛନ୍ତି, ଆଉ ଫେରି ନାହାନ୍ତି । ତାଙ୍କ ସହ କୌଣସି ଯୋଗାଯୋଗ ନଥିଲା । ସେ କେବେ ବି ଟଙ୍କାଟିଏ ଦେଇ ନାହାନ୍ତି । ୨୨ ବର୍ଷ ଧରି ସ୍ୱାମୀଙ୍କ ସହ କୌଣସି ସଂପର୍କ ନଥିବା ବେଳେ ବହୁ ଦୁଃଖ କଷ୍ଟ କରି ପିଲାଙ୍କୁ ଲାଳନ ପାଳନ କରିଥିବା କହିଛନ୍ତି ବିବନ ବିଶ୍ୱାଳଙ୍କ ପତ୍ନୀ ।

Share

Leave a Reply

Your email address will not be published. Required fields are marked *

15 + 7 =