ବୈଜୟନ୍ତଙ୍କ ବନ୍ଧୁ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ବିରୋଧୀ

ଆୟାରଙ୍କୁ ଚାବୁକରେ ସାବାଡ କରାଯିବା ଉଚିତ – ତାରା

ଭୁବନେଶ୍ବର () ଓଡିଶାର କଳା ସଂସ୍କୃତି ଓ ପରମ୍ପରାକୁ ଏବେ ନୁହେଁ, ବହୁ ପୂର୍ବରୁ କୁଠାରଘାତ କରିଛନ୍ତି ଅଭିଜିତ ଆୟାର । ନିକଟରେ ସେ ବୈଜୟନ୍ତ ପଣ୍ଡାଙ୍କ ସହ ହେଲିକ୍ୟାପ୍ଟରରେ ପୁରୀ, କୋଣାର୍କ ଓ ଚିଲିକା ବୁଲିବା ଅବସରରେ କୋଣାର୍କର କଳାକୃତି ଉପରେ ଅରୁଚିକର ମନ୍ତବ୍ୟ ଦେଇଥିଲେ । ଏବେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ଆୟାରଙ୍କ ଟ୍ବିଟର ଆକାଉଣ୍ଟ ଖୋଳୁଖୋଳୁ ସେ ବହୁ ପୂର୍ବରୁ ରାଜ୍ୟର ସଂସ୍କୃତି ଓ ପରମ୍ପରାକୁ କୁଠାରଘାତ କରିଛନ୍ତି ।

2017 ମସିହାରେ ଦୁଇଟି ଟ୍ବିଟ କରିଥିଲେ ଆୟାର । ଏଥିରେ ସେ କହିଛନ୍ତି ଯେ, ଓଡିଆମାନେ ଜଗନ୍ନାଥଙ୍କୁ ନେଇ ପ୍ରଚାର କରୁଛନ୍ତି, ସେହି ଜଗନ୍ନାଥ ହେଉଛନ୍ତି ପଶ୍ଚିମବଙ୍ଗର ଠାକୁର । ତତ୍କାଳୀନ କଳିଙ୍ଗର ରାକ୍ଷସ ରାଜାମାନେ ଜଗନ୍ନାଥଙ୍କୁ କଲିକତାରୁ ଚୋରୀ କରି ଆଣିଛନ୍ତି । ଏପରିକି ବଙ୍ଗାଳୀମାନେ ଓଡିଶାର ଅନୁସନ୍ଧାନ କରିଥିଲେ । ଓଡିଶାର ଅନୁସନ୍ଧାନ ପରେ ସେମାନଙ୍କ ମୁହଁରୁ ନିସ୍ରୁତ ଶବ୍ଦ “ଓରି-ଶଳା”ରୁ ଓଡିଶାର ସୃଷ୍ଟି । ସେହିଭଳି ଶ୍ରୀଜଗନ୍ନାଥ ମନ୍ଦିର ଗଙ୍ଗ ବଂଶର ଶାସନକାଳରେ ପ୍ରତିଷ୍ଠା ହୋଇଥିଲା । ଗଙ୍ଗମାନେ ହେଉଛନ୍ତି ତାମିଲ ଅପମାନିତ ପଲ୍ଲବ । ଏଥିସହିତ ଓଡିଶାର ନିଜସ୍ବ ବୋଲି କିଛି ନାହିଁ । କେବଳ ଦକ୍ଷିଣ ଓଡିଶା, ଯାହା ଅବିଭକ୍ତ ବଙ୍ଗାଲର ।

ଓଡିଶାର ଇତିହାସ, ପରମ୍ପରା ଓ ଜଗନ୍ନାଥ ସଂସ୍କୃତିକୁ ନେଇ ଏଭଳି ମନ୍ତବ୍ୟ ଦେଉଥିବା ବ୍ୟକ୍ତି ଏବେ ବୈଜୟନ୍ତଙ୍କ ଘନିଷ୍ଟ ସହଯୋଗୀ । ତାଙ୍କୁ ବୈଜୟନ୍ତ ନିଜ ହେଲିକ୍ୟାପ୍ଟରରେ ଓଡିଶା ବୁଲାଉଛନ୍ତି । ଆୟାରଙ୍କ ଏଭଳି ଶବ୍ଦ କୋଟିକୋଟି ଓଡିଆଙ୍କୁ ଆଘାତ ଦେଉଛି ।

ଏପରିକି ଏହି ପ୍ରସଙ୍ଗକୁ ନେଇ ଆଜି ବିଧାନସଭା ହୁଲୁସ୍ତୁଲ ହୋଇଛି । ଶାସକ ବିଜେଡି ନେତାମାନେ ଗୃହ ମଧ୍ୟରେ ଏନେଇ ଅସନ୍ତୋଷ ପ୍ରକାଶ କରିବା ସହ ଆୟାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ତାଙ୍କ ବିରୋଧରେ ସବୁ ଆଡୁ ବିରୋଧର ସ୍ବର ମଧ୍ୟ ଧିରେ ଧିରେ ତୀବ୍ର ହେଉଛି । ବିଜେପି ମଧ୍ୟ ଓଡିଆ ପରମ୍ପରା ଓ ସଂସ୍କୃତିକୁ ଅପମାନିତ କରିଥିବା ଆୟାରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଅଭିଜିତଙ୍କ ଭଳି ଜଣେ ଓଡିଶା ବିରୋଧୀ ବ୍ୟକ୍ତିଙ୍କୁ ବୈଜୟନ୍ତ କିଭଳି ତାଙ୍କୁ ହେଲିକାପ୍ଟରରେ ବସାଇ ବୁଲାଉଛନ୍ତି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

ତେବେ କଂଗ୍ରେସ ନେତା ତାରା ପ୍ରସାଦ ବାହିନିପତି କଟୁ ଶବ୍ଦରେ ଆୟାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଆୟାର ହେଉଛନ୍ତି ଜଣେ ଅତି ନିଚ ମାନସିକତାର ବ୍ୟକ୍ତି । କୁକୁର କିମ୍ବା ହାତୀ ପାଗଳ ହୋଇଗଲେ ଯେଭଳି ତାଙ୍କୁ ଗୁଳି କରି ହତ୍ୟା କରାଯାଏ, ସେହିଭଳି ଆୟାରଙ୍କୁ ଚାବୁକରେ ସାବାଡ କରିବାର ଆବଶ୍ୟକତା ରହିଛି । ଏବେ ଦେଖିବାକୁ ବାକି ବୈଜୟନ୍ତ ଏନେଇ କି ପ୍ରତିକ୍ରିୟା ରଖୁଛନ୍ତି ।

Share

Leave a Reply

Your email address will not be published. Required fields are marked *

2 × 5 =