ଆଜ୍ଞା ନମସ୍କାର, ମୁଁ ନବୀନ ପଟ୍ଟନାୟକ କହୁଛି …

ଲୋକଙ୍କ ସହ କଥା ହୋଇ ମତାମତ ଲୋଡିଲେ

ଭୁବନେଶ୍ବର () ପ୍ରଶାସନିକ ବ୍ୟବସ୍ଥାରେ ଏକ ଗୁରୁତ୍ବପୂର୍ଣ୍ଣ ଓ ବ୍ୟାପକ ପରିବର୍ତ୍ତନର ବାର୍ତ୍ତାବହ ହୋଇଥିବା ବହୁ ପ୍ରତୀକ୍ଷିତ ମୋ ସରକାର କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସରୁ 8 ଜଣ ଲୋକଙ୍କ ସହ ଫୋନ ଯୋଗେ ସିଧାସଳଖ କଥା ହୋଇ ଥାନା ଓ ଡାକ୍ତରଖାନାରେ ମିଳୁଥିବା ସେବା ଓ ବ୍ୟବସ୍ଥା ସମ୍ପର୍କରେ ମତାମତ ଲୋଡିଥିଲେ । ମୋ ସରକାର ପୋର୍ଟାଲରୁ ବିକ୍ଷିପ୍ତ ଭାବେ ସଂଗୃହୀତ 8ଟି ନମ୍ବରକୁ ସେ ଫୋନ କରିଥିଲେ ।

ମୁଖ୍ୟମନ୍ତ୍ରୀ ଆଜି ବଲାଙ୍ଗିର, ସୁନ୍ଦରଗଡ, ମାଲକାନଗିରି, ଯାଜପୁର ଓ ବାରିପଦାର କିଛି ଲୋକଙ୍କ ସହ ସରକାରୀ ଡାକ୍ତରଖାନାରେ ସ୍ବାସ୍ଥ୍ୟସେବା ସଂପର୍କରେ କଥା ହୋଇଥିଲା ବେଳେ ନୟାଗଡ ଓ ଭବାନିପାଟଣା ଲୋକଙ୍କ ସହ ଥାନାରେ ସେମାନଙ୍କୁ ମିଳିଥିବା ସେବା ସମ୍ପର୍କରେ କଥା ହୋଇଥିଲେ ।

ଲୋକମାନେ ମୁଖ୍ୟମନ୍ତ୍ରୀ ଥାନା ଓ ଡାକ୍ତରଖାନା ସମ୍ପର୍କରେ ସେମାନଙ୍କ ମତାମତ ଦେଇଥିଲେ ଏବଂ ଏଭଳି ଅଭିନବ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାତ ଜଣାଇଥିଲେ । ପରେ ସେ କ୍ୟାପିଟାଲ ହସପିଟାଲ ଓ ଶହୀଦ ନଗର ଥାନାକୁ ଯାଇ ସେଠାରେ ମୋ ସରକାର ଲୋକୋ ଏବଂ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ବାର୍ତ୍ତା ସମ୍ବଳିତ ଫଳକ ଉନ୍ନୋଚନ କରିଥିଲେ ।

ଆଜିଠାରୁ ରାଜ୍ୟର ସମସ୍ତ ପୋଲିସ ଥାନା ଓ 21ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏବଂ କଟକ, ବ୍ରହ୍ମପୁର ଓ ସମ୍ବଲପୁର ମେଡିକାଲ କଲେଜରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଅକ୍ଟୋବର 30 ସୁଦ୍ଧା ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହା କାର୍ଯ୍ୟକାରୀ ହେବ । 2020 ମାର୍ଚ୍ଚ 5 ସୁଦ୍ଧା ରାଜ୍ୟର ସବୁ ବିଭାଗରେ ଏହା କାର୍ଯ୍ୟକାରୀ ହେବ । ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ 15 ସ୍ବାଧିନତା ଦିବସ ଦିନ ମୁଖ୍ୟମନ୍ତ୍ରୀ ମୋ ସରକାର କାର୍ଯ୍ୟକ୍ରମ ବିଷୟରେ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସରକାରୀ କାର୍ଯ୍ୟାଳୟକୁ ବିଭିନ୍ନ ସେବା ପାଇଁ ଆସୁଥିବା ଲୋକଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ସହ ସେବା ଯୋଗାଇଦେବା । କାରଣ ଗଣତନ୍ତ୍ରରେ ଜନସାଧାରଣ ହେଉଛନ୍ତି ପ୍ରକୃତ ମାଲିକ ଓ ସରକାରୀ କର୍ମଚାରୀମାନେ ହେଉଛନ୍ତି ସେବକ ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ କାର୍ଯ୍ୟକ୍ରମକୁ ଆସୁଥିବା ଜନସାଧାରଣଙ୍କ ମତାମତକୁ ବିକ୍ଷିପ୍ତ ଭାବେ ଫୋନ ଜରିଆରେ ସଂଗହ କରାଯିବ । ଏହା ଏକ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ନୁହେଁ । କେବଳ ସରକାରୀ କର୍ମଚାରୀଙ୍କ ବ୍ୟବହାର, ବୃତ୍ତିଗତ ମନୋବାବ ସମ୍ପର୍କରେ ମତାମତ ଗ୍ରହଣ କରାଯାଇ ବ୍ୟବସ୍ଥାରେ ଉନ୍ନତି ଆଣିବା ଏହି କାର୍ଯ୍ୟକ୍ରମ ମୂଖ୍ୟ ଲକ୍ଷ୍ୟ । ବ୍ୟବସ୍ଥାରେ ଉନ୍ନତି ହିଁ ଜନସାଧାରଣଙ୍କ ଜୀବନରେ ବଡ ପରିବର୍ତ୍ତନ ଆଣିପାରିବ ।

ସରକାରୀ ଅନୁଷ୍ଠାନକୁ କାମ ପାଇଁ ଆସୁଥିବା ସବୁ ବ୍ୟକ୍ତିଙ୍କ ଟେଲିଫୋନ ନମ୍ବର ପଂଜିକରଣ କରାଯିବ ଏବଂ 24 ଘଣ୍ଟା ମଧ୍ୟରେ ଏ ବାବଦରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଖକୁ ଏକ ଏସଏମଏସ ଯିବ । ଯଦି ଏହା ନ ଯାଏ, କିମ୍ବା ତାଙ୍କ ନମ୍ବର ପଂଜିକୃତ ହୋଇନଥାଏ ତେବେ ସମ୍ପୃକ୍ତ ବ୍ୟକ୍ତି 14545 ନମ୍ବରକୁ ମିସ କଲ କରି ନିଜର ଟେଲିଫୋନ ନମ୍ବରକୁ ପଂଜିକୃତ କରିପାରିବେ । ମୋ ସରକାର ପୋର୍ଟାଲରୁ ବିକ୍ଷିପ୍ତ ଭାବରେ ଟେଲିଫୋନ ନମ୍ବର ସଂଗ୍ରହ କରାଯିବ ଏବଂ ମୁଖ୍ୟମନ୍ତ୍ରୀ ବିଭାଗୀୟ ମନ୍ତ୍ରୀ, ଥାନା କ୍ଷେତ୍ରରେ ପୋଲିସ ମହାନିର୍ଦ୍ଦେଶକ ଏବଂ ଚିକିତ୍ସା ସୁବିଧା ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ, ବିଭାଗୀୟ ସଚିବ ଓ ନିର୍ଦ୍ଦେଶକ ପ୍ରମୁଖ ଫୋନ କରି ଜନସାଧାରଣଙ୍କ ମତାମତ ଲୋଡିବେ ।

ଜନସାଧାରଣଙ୍କ ମତାମତ ଭିତ୍ତିରେ ସଂପୃକ୍ତ ଥାନା ବା ଡାକ୍ତରଖାନାର କର୍ମଚାରୀମାନଙ୍କୁ ଭଲ ବା ଖରାପ ରାଙ୍କ ଦିଆଯିବ । ଏହାସହିତ ଭଲ ରାଙ୍କ ପାଇଥିବା କର୍ମଚାରୀଙ୍କୁ ଆଗୁଆ ପଦୋନ୍ନତି ଓ ଖରାପ ରାଙ୍କ ପାଇଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସରକାରୀ କାର୍ଯ୍ୟାଳୟର ବ୍ୟବସ୍ଥା ଏବଂ କର୍ମଚାରୀମାନଙ୍କ ବ୍ୟବହାର ସମ୍ପର୍କରେ ନକରାତ୍ମକ ମତାମତ ଦେଇଥିବା ବ୍ୟକ୍ତିମାନଙ୍କ ପରିଚୟ ସମ୍ପୁର୍ଣ୍ଣ ଗୋପନ ରଖାଯିବ ।

Share

Leave a Reply

Your email address will not be published. Required fields are marked *

thirteen + ten =