୧୮୩ ହସ୍ପିଟାଲକୁ ଟିକାକରଣରେ ସାମିଲ ପାଇଁ ରାଜ୍ୟର ଚିଠି

ଭୁବନେଶ୍ୱର: କୋଭିଡ୍ ଟିକାକରଣ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ଚିଠି । ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନାରେ ସାମିଲ ଘରୋଇ ହସ୍ପିଟାଲରେ ହେବ ଟିକାକରଣ । ରାଜ୍ୟର ୧୮୩ ଘରୋଇ ହସ୍ପିଟାଲ ବାଦ୍ ପଡିଯିବା ଆଶଙ୍କା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ । ତେଣୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚାଲିଥିବା ୧୮୩ ହସ୍ପିଟାଲକୁ ସାମିଲ କରିବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି ।

ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନା ଆମ ରାଜ୍ୟରେ ଲାଗୁ ହୋଇନଥିବାରୁ ଘରୋଇ ହସ୍ପିଟାଲଗୁଡିକରେ କରୋନା ଟିକାକରଣ ନେଇ ଏକ ସମସ୍ୟା ଦେଖାଦେଇଛି । ଏବେ ରାଜ୍ୟରେ ନିଜସ୍ୱ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ବିଏସକେୱାଇରେ ସାମିଲ ୧୮୩ ଘରୋଇ ହସ୍ପିଟାଲରେ କରୋନା ଟିକାକରଣ ପାଇଁ ଅନୁମତି ଦେବାକୁ କେନ୍ଦ୍ରକୁ ଚିଠି ଲେଖାଯାଇଛି । କେନ୍ଦ୍ର ସରକାରଙ୍କ ତାଲିକା ଅନୁଯାୟୀ ଆୟୁଷ୍ମାନ ଯୋଜନାରେ ସାମିଲ ଘରୋଇ ହସ୍ପିଟାଲଗୁଡିକରେ କରୋନା ଟିକାକେନ୍ଦ୍ର କରିବାକୁ କୁହାଯାଇଛି । ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।

ଅନ୍ୟପକ୍ଷେ ମାର୍ଚ୍ଚ ୧ ତାରିଖରୁ ସାରାଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେଉଛି । ଏଥିରେ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ମିଳିବ ମାଗଣା ଟିକା । ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ୧୦ ହଜାର ସରକାରୀ ଟିକାକରଣ କେନ୍ଦ୍ର ଏବଂ ୨୦ ହଜାର ଘରୋଇ ଟିକାକରଣ କେନ୍ଦ୍ରର ବ୍ୟବସ୍ଥା କରାଯିବ । ସରକାରୀ ଟିକାକରଣ କେନ୍ଦ୍ରରେ ମାଗଣା ଟିକା ଦିଆଯିବ । କିନ୍ତୁ ଘରୋଇ ଟିକାକରଣ କେନ୍ଦ୍ରରେ ଟିକା ନେବାକୁ ହେଲେ ପଇସା ଦେବାକୁ ପଡ଼ିବ ।

Share

Leave a Reply

Your email address will not be published. Required fields are marked *

1 × three =