ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି, ନିର୍ମାଣ ହେବ ୯୮ ଇଣ୍ଡୋର ଷ୍ଟାଡିୟମ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ଆଜି “ରାଜ୍ୟ କ୍ରୀଡ଼ା ଭିତ୍ତିଭୂମି ବିକାଶ ପ୍ରକଳ୍ପ” ଯୋଜନାରେ ୮୯ ଗୋଟି “ବହୁମୂଖୀ ଇନ୍ଡୋର ଷ୍ଟାଡ଼ିୟମ” ନିର୍ମାଣ ନିମନ୍ତେ ମଞ୍ଜୁରି ପ୍ରଦାନ କରିଛନ୍ତି ଯାହା ନିମନ୍ତେ ଟ.୬୯୩.୩୫ କୋଟି ବ୍ୟୟ ବରାଦ କରାଯାଇଅଛି ଏବଂ ଏହା ୧୮ ମାସ ମଧ୍ୟରେ ସଂପୂର୍ଣ୍ଣ କରାଯିବ। ରାଜ୍ୟରେ କ୍ରୀଡ଼ା ବିକାଶ କ୍ଷେତ୍ରରେ ଏହା ଏକ ବଳିଷ୍ଠ ପଦକ୍ଷେପ ।
ରାଜ୍ୟ ସରକାର ଓଡ଼ିଶାରେ କ୍ରୀଡ଼ାର ବିକାଶ ନିମନ୍ତେ ନିରନ୍ତର ଧ୍ୟାନ କେନ୍ଦ୍ରୀତ କରିଆସୁଛନ୍ତି । ଗତ କିଛି ବର୍ଷ ମଧ୍ୟରେ ଆମ ରାଜ୍ୟ କ୍ରୀଡ଼ାର ବିକାଶ ଏବଂ କ୍ରୀଡ଼ା ଆୟୋଜନର ଏକ ପ୍ରମୁଖ ସ୍ଥାନର ମାନ୍ୟତା ପାଇଅଛି । ୫ଞ କାର‌୍ୟ୍ୟସୁତ୍ରୀ ଅନୁଯାୟୀ ରାଜ୍ୟରେ କ୍ରୀଡ଼ା କ୍ଷେତ୍ରରେ ରୁପାନ୍ତରଣକୁ ସୁନିଶ୍ଚିତ କରିବା ପାଇଁ ଏହି ପ୍ରକଳ୍ପ ପରିକଳ୍ପନା କରାଯାଇଅଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜନପ୍ରତିନିଧ୍ ଓ କ୍ରୀଡ଼ାବିତ୍ ମାନଙ୍କୁ ନେଇ ହୋଇଥିବା ପରାମର୍ଶ ଆଧାରରେ ଏହି କ୍ରୀଡ଼ା ଭିତ୍ତିଭୂମିର ଆବଶ୍ୟକୀୟ ନକ୍ସା ପ୍ରସ୍ତୁତ ହୋଇଅଛି ।

“ରାଜ୍ୟ କ୍ରୀଡ଼ା ଭିତ୍ତିଭୂମି ବିକାଶ ପ୍ରକଳ୍ପ” ଉନ୍ନତମାନର କ୍ରୀଡ଼ା ଭିତ୍ତିଭୂମି ବିକାଶ ନିମନ୍ତେ ଉଦ୍ଦିଷ୍ଠ । ଏହି ପ୍ରକଳ୍ପ ଅଧୀନରେ ଅଣାନବେ (୮୯) ଗୋଟି “ବହୁମୂଖୀ ଇନ୍ଡୋର ଷ୍ଟାଡ଼ିୟମ ନିର୍ମାଣ” କରିବା ନିମନ୍ତେ ଯୋଜନା କରାଯାଇଅଛି, ଯେଉଁଠି ବର୍ତ୍ତମାନ ଉନ୍ନତ ଭିତ୍ତିଭୂମି ଉପଲବ୍ଧ ନାହିଁ ।

ଏହି ଇନ୍ଡୋର ଷ୍ଟାଡ଼ିୟମଗୁଡ଼ିକ ବହୁମୂଖୀ ଉପଯୋଗ ନିମନ୍ତେ ବ୍ୟବହୃତ ହେବ । ବ୍ୟାଡମିଣ୍ଟନ, ଟେବୁଲ ଟେନିସ୍, ଭାରୋତ୍ତଳନ ଆଦି କ୍ରୀଡ଼ା ସହ ଯୋଗ ଓ ବ୍ୟାୟାମଶାଳାର ବ୍ୟବସ୍ଥା ମଧ୍ୟ ଉକ୍ତ ଷ୍ଟାଡ଼ିୟମରେ ରହିବ । ଏହି ଆନ୍ତଃଗୃହ ଗୁଡ଼ିକ ଉକ୍ତ ଅଞ୍ଚଳର ଅନ୍ୟାନ୍ୟ ଲୋକପ୍ରିୟ ଇନ୍ଡୋର ଖେଳ ନିମନ୍ତେ ମଧ୍ୟ ବ୍ୟବହୃତ କରାଯାଇପାରିବ । ଇନ୍ଡୋର ଷ୍ଟାଡ଼ିୟମଗୁଡ଼ିକ ଘଣ୍ଟାପ୍ରତି ୨୦୦ କି.ମି. ପବନର ବେଗକୁ ସହ୍ୟ କରିପାରୁଥିବା ଭଳି ନିର୍ମାଣ କରାଯିବ ଯଦ୍ବାରା ପ୍ରାକୃତିକ ବିପର‌୍ୟ୍ୟୟ ମହାବାତ୍ୟା ଏବଂ ବନ୍ୟା ଆଦି ସମୟରେ ଏଗୁଡ଼ିକ ଆଶ୍ରୟ କେନ୍ଦ୍ର ରୂପେ ବ୍ୟବହୃତ ହୋଇପାରିବ । ମହାମାରୀ ସମୟରେ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ଷ୍ଟାଡ଼ିୟମଗୁଡ଼ିକ ୫୦ ଗୋଟି ଶଯ୍ୟା ବିଶିଷ୍ଟ ଏବଂ ପୌରାଞ୍ଚଳରେ ୧୦୦ ଗୋଟି ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ରୂପେ ବ୍ୟବହାର କରାଯାଇପାରିବ । ଏହା ବାଦ୍ ତାଲିମ୍ ପ୍ରଦାନ, ସଭା ପରିଚାଳନା, ପରୀକ୍ଷା କେନ୍ଦ୍ର ଇତ୍ୟାଦି କାର‌୍ୟ୍ୟ ପାଇଁ ମଧ୍ୟ ଉକ୍ତ ଷ୍ଟାଡ଼ିୟମ ଅତ୍ୟନ୍ତ ଉପଯୋଗୀ ହୋଇପାରିବ ।

Share

Leave a Reply

Your email address will not be published. Required fields are marked *

17 + 18 =