ସ୍କୁଲ ନାହିଁ ତ ସାଇକେଲ ନାହିଁ

କରୋନା ଶିକ୍ଷା ବ୍ୟବସ୍ଥାର ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ, ଏବେ ଧିରେ ଧିରେ ସ୍ଵାଭାବିକ ହେଉଛି ଶିକ୍ଷା ବ୍ୟବସ୍ଥା । ତେବେ ଏହାରି ମଧ୍ୟରେ ବିଦ୍ୟାଳୟ ରେ ପିଲାଙ୍କ ଅନୁପସ୍ଥିତି ଖବର ଏବେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିଦ ଛଡେଇନେଇଛି। ପିଲାମାନେ କାହିଁକି ବିଦ୍ୟାଳୟ ଆସୁନାହାନ୍ତି । ସେନେଇ ତଦନ୍ତ ଆରମ୍ଭ ହୋଇଛି ।

ଚଳିତ ମାଟ୍ରିକ୍‌ ପରୀକ୍ଷାରେ ୪୩ ହଜାର ଛାତ୍ରଛାତ୍ରୀ ଅନୁପସ୍ଥିତ ଘଟଣା ସାମ୍ନାକୁ ଆସିବା ପରେ ତନାଘନା ଚାଲିଛି। କେଉଁଠି ତ୍ରୁଟି ରହିଲା? ଏତେ ସଂଖ୍ୟକ ପିଲା କାହିଁକି ଅଧାରୁ ପାଠ ଛାଡ଼ିଲେ? କେଉଁ କାରଣ ଲାଗି ପରୀକ୍ଷା ଦେବାକୁ ଆସିଲେ ନାହିଁ? ଏନେଇ ସ୍କୁଲସ୍ତରରୁ ଖୋଳତାଡ଼ ଚାଲିଥିବା ବେଳେ ନବମ ଶ୍ରେଣୀରେ ନାମ ଲେଖା ହୋଇଥିବା ୩୦% ଛାତ୍ରଛାତ୍ରୀ ଆଦୌ କ୍ଲାସ କରିବାକୁ ଆସି ନ ଥିବା କଥା ସାମ୍ନାକୁ ଆସିଛି। କରୋନା କାଳରେ କିଏ ଅନ୍ୟ ଜିଲ୍ଲାକୁ ଚାଲିଯାଇଥିଲେ ତ ଆଉ କିଏ ବାହାର ରାଜ୍ୟକୁ ପଳାଇ ଯାଇଛନ୍ତି। କେହି କେହି ଛାତ୍ରୀ ବିବାହ ବି କରିଛନ୍ତି। ମାତ୍ର ସେମାନେ ସାଇକେଲ୍‌ ବାବଦ ଅର୍ଥ ହାତେଇଛନ୍ତି। ଅଷ୍ଟମରୁ ନବମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବା କ୍ଷଣି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସାଇକେଲ୍‌ ବାବଦ ଅର୍ଥ ଯାଇଛି। ମାତ୍ର ସେମାନେ ସ୍କୁଲ କ୍ୟାମ୍ପସ ମାଡ଼ିନାହାନ୍ତି। ସାଇକେଲ୍‌ କିଣିଛନ୍ତି କି ନାହିଁ ତାହାର ବି ଖୋଜ ଖବର ନାହିଁ। ଏବାବଦ ମିଳିଥିବା ଅର୍ଥ ସେମାନେ କ’ଣ କଲେ ତାହା ବି କାହାକୁ ଜଣାନାହିଁ।

ସାଇକେଲ୍‌ ବାବଦରେ ୨୬୦୦ ଟଙ୍କା ପାଇବା ପରେ ପିଲା ସ୍କୁଲ ଆସି ନ ଥିବା ନେଇ ଡିଇଓଙ୍କଠାରୁ ରିପୋର୍ଟ ମିଳିବା ପରେ ଗଣଶିକ୍ଷା ବିଭାଗର ଚେତା ପଶିଛି। ଏବର୍ଷ ନିଷ୍ପତ୍ତି ହୋଇଛି ଯେ ପିଲା ସ୍କୁଲକୁ ଆସିଲେ ହିଁ ସାଇକେଲ୍‌ ପାଇବେ। ନାମ ଲେଖାଇ ସ୍କୁଲ ଆସୁ ନ ଥିଲେ ସାଇକେଲ୍‌ ବାବଦ ଅର୍ଥ ପ୍ରଦାନ କରାଯିବ ନାହିଁ। ସାଇକେଲ୍‌ ଅର୍ଥ ବଣ୍ଟନ ପୂର୍ବରୁ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀମାନେ ପିଲାଙ୍କ ତଥ୍ୟ ଭଲ ଭାବେ ଯାଞ୍ଚ କରିବେ। ସ୍କୁଲଗୁଡ଼ିକ ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ଯେଉଁ ତଥ୍ୟ ଦେଉଛନ୍ତି ତାହା କେତେ ଠିକ୍‌? ସବୁ ପିଲା ସ୍କୁଲ ଆସୁଛନ୍ତି ନା କା‌ଗଜ କଲମରେ ନାଁ ଲେଖାଯାଇ ସାଇକେଲ୍‌ ଅର୍ଥ ନେଉଛନ୍ତି ସେନେଇ ତୃଣମୂଳସ୍ତରର ଅନୁଧ୍ୟାନ କରିବେ। ନବମ ଶ୍ରେଣୀ ପାଠପଢ଼ା ଆରମ୍ଭ ହେବା ପରେ ହିଁ ପିଲାଙ୍କୁ ସାଇକେଲ ବାବଦ ଅର୍ଥ ଦିଆଯିବ। ତା’ ପୂର୍ବରୁ ନବମ ଶ୍ରେଣୀରେ ନାମ ଲେଖାଇଥିବା ପିଲାଙ୍କ ତଥ୍ୟ ମାଗିଛି ଗଣଶିକ୍ଷା ବିଭାଗ। ନାମଲେଖା ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାରୁ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ମାନେ ଏଦିଗରେ ପଦକ୍ଷେପ ଗ୍ରହଣ କରିବା ସହ କେଉଁ ସ୍କୁଲରେ କେତେ ପିଲା ନାମ ଲେଖାଇଛନ୍ତି ସେ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଦାଖଲ କରିବାକୁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ଚଳିତ ଆର୍ଥିକ ବର୍ଷରେ ସାଇକେଲ୍‌ ବାବଦରେ ପାଖାପାଖି ୧ କୋଟି ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ରାଜ୍ୟ ସରକାର ରୂପରେଖ ପ୍ରସ୍ତୁତ କରିଛନ୍ତି। ଏବେ ସୁଦ୍ଧା ପାଖାପାଖି ୫ ଲକ୍ଷ ଛାତ୍ରଛାତ୍ରୀ ସରକାରୀ ବିଦ୍ୟାଳୟରେ ନବମ ଶ୍ରେଣୀରେ ନାମଲେଖାଇ ସାରିଛନ୍ତି। କାଳେ ଆଉ କିଛି ପିଲା ବାକି ରହିଯାଇଥିବେ ତେଣୁ ନାମଲେଖା ଅବଧିକୁ ସାମାନ୍ୟ ଘୁଞ୍ଚାଯାଇଛି। ୨୫ ତାରିଖ ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ କରି ଛାତ୍ରଛାତ୍ରୀଙ୍କ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି। ସାଇକେଲ୍‌ ବାବଦ ଅର୍ଥ ବଣ୍ଟନ ପୂର୍ବରୁ ୟୁଡାଇଜ୍‌ କୋଡ୍‌ରେ ପିଲାଙ୍କ ନାମ ଅଛି କି ନାହିଁ, ଆଧାର କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟକୁ ଭଲ ଭାବେ ‌ଯାଞ୍ଚ କରାଯିବ। ଜୁନ୍‌ ମାସ ମଧ୍ୟରେ ଏହି ପ୍ରକ୍ରିୟା ଶେଷ କରିବାକୁ ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିଛି।

Share

Leave a Reply

Your email address will not be published. Required fields are marked *

12 + seven =