ରାଜ୍ୟ

ସୁପ୍ରିମକୋର୍ଟରୁ ବିଦ୍ୟାଭାରତୀଙ୍କୁ ମିଳିଲାନି ଆଶ୍ୱସ୍ତି

ବହୁ ଚର୍ଚ୍ଚିତ ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲାରେ ବଡ଼ ଅପଡେଟ୍ । ସୁପ୍ରିମକୋର୍ଟରୁ ବିଦ୍ୟାଭାରତୀଙ୍କୁ ମିଳିଲାନି ଆଶ୍ୱସ୍ତି । ବିଦ୍ୟାଭାରତୀଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ । ଓଡ଼ିଶା ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ବିଦ୍ୟାଭାରତୀ ଦାଖଲ କରିଥିବା ଦୁଇଟି ସ୍ପେଶାଲ ଲିଭ୍ ପିଟିସନ୍ ବା SLPକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ତେବେ ଆଗୁଆ ଜାମିନ ପାଇଁ ସେ ସକ୍ଷମ ଅଦାଲତରେ ଆବେଦନ କରିପାରିବେ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି ।

କାଲି ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଏବଂ ଜଷ୍ଟିସ ଚନ୍ଦ୍ରଶେଖରଙ୍କ ଖଣ୍ଡପୀଠ ଶୁଣାଣି କରିଥିଲେ। ଆବେଦନଗୁଡ଼ିକରେ ହସ୍ତକ୍ଷେପ କରିବାକୁ ଖଣ୍ଡପୀଠ ଅନିଚ୍ଛା ପ୍ରକାଶ କରି ସେଗୁଡ଼ିକୁ ଖାରଜ କରିଥିଲେ । ବିଦ୍ୟାଭାରତୀ ଓଡ଼ିଶା ହାଇକୋର୍ଟଙ୍କ ସେପ୍ଟେମ୍ବର ୩ର ଆଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏବେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବାକୁ ମନା କରିବା ପରେ ହାଇକୋର୍ଟଙ୍କ ଆଦେଶ ବଳବତ୍ତର ରହିଛି ।

୨୦୨୧ ଜୁଲାଇ ୧୧ ରାତିରେ ପାରଳାଖେମୁଣ୍ଡିସ୍ଥିତ ସରକାରୀ କ୍ୱାର୍ଟରରେ ACF ସୌମ୍ୟରଞ୍ଜନ ମହାପାତ୍ର ପ୍ରାୟ ୯୦ ପ୍ରତିଶତ ପୋଡ଼ିଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । ଜୁଲାଇ ୧୩ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର ଏହାକୁ ହତ୍ୟା ବୋଲି ଅଭିଯୋଗ କରି ବିଦ୍ୟାଭାରତୀ ପଣ୍ଡା, ରୋଷେୟା ମନ୍ମଥ କୁମ୍ଭ ଓ ତତ୍କାଳୀନ DFO ସଂଗ୍ରାମ କେଶରୀ ବେହେରାଙ୍କ ନାଁରେ ଅଭିଯୋଗ କରିଥିଲେ ।

ପୋଲିସ ଏବଂ ପରେ କ୍ରାଇମବ୍ରାଞ୍ଚ ତଦନ୍ତରେ ଘଟଣାକୁ ଦୁର୍ଘଟଣାଜନିତ ବୋଲି ଦର୍ଶାଯାଇଥିଲା ଏବଂ ବିଦ୍ୟାଭାରତୀଙ୍କ ବିରୋଧରେ IPCର ଧାରା ୨୮୫ ଓ ୩୦୪-A ସମେତ ଅନ୍ୟ ବ୍ୟବସ୍ଥାରେ ଚାର୍ଜସିଟ୍ ଦାଖଲ ହୋଇଥିଲା । ଏହାପରେ ସୌମ୍ୟରଞ୍ଜନଙ୍କ ବାପା ପ୍ରୋଟେଷ୍ଟ ପିଟିସନ୍ ଦାଖଲ କରିଥିଲେ । ୨୦୨୩ ଏପ୍ରିଲରେ ପାରଳାଖେମୁଣ୍ଡି SDJM କୋର୍ଟ IPC ଧାରା ୩୦୨ ଓ ୧୨୦-B ଅନୁଯାୟୀ ଅପରାଧର ସଂଜ୍ଞାନ ନେଇ ଅଭିଯୁକ୍ତମାନଙ୍କୁ ସମନ କରିଥିଲେ ।

Share

Leave a Reply

Your email address will not be published. Required fields are marked *

15 − 2 =