ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ନବଙ୍କ ଶେଷକୃତ୍ୟ

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପଞ୍ଚଭୂତରେ ଲୀନ ହୋଇଯାଇଛି ନବକିଶୋରଙ୍କ ମରଶରୀର । ଖେରୁଆଲ ନଦୀ ବ୍ରିଜ ନିକଟରେ ଥିବା ଶ୍ମଶାନରେ ସମ୍ପନ୍ନ ହୋଇଛି ଶେଷକୃତ୍ୟ । ତାଙ୍କ କର୍ମଭୂମି ଝାରସୁଗୁଡ଼ାରେ ହଜାର ହଜାର ସମର୍ଥକ ଓ ଶୁଭେଚ୍ଛୁ ଆଜି ନବକିଶୋର ଦାସଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି । ମୁଖାଗ୍ନୀ ଦେଇଥିଲେ ପୁଅ ବିଶାଳ ଦାସ । ନିକଟରେ ଉପସ୍ଥିତ ରହିଥିଲେ ଆତ୍ମୀୟସ୍ବଜନ ।

ରାଜ୍ୟ ସରକାରଙ୍କ ପକ୍ଷରୁ ଉପସ୍ଥିତ ରହିଥିଲେ ସଂସଦୀୟ ବ୍ୟାପର ଓ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ବାଣିଜ୍ୟ, ପରିବହନ ଓ ଜଳସଂପଦ ମନ୍ତ୍ରୀ ଟୁକୁନି ସାହୁ । ଫାଇବ୍-ଟି ସଚିବ ଭି.କେ ପାଣ୍ଡିଆନ ଓ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଉପସ୍ଥିତ ଥିଲେ । ଯୋଗ୍ୟ ସନ୍ତାନଙ୍କୁ ଚିରଦିନ ପାଇଁ ବିଦାୟ ଜଣାଇ ସାରା ଅଞ୍ଚଳ ଲୁହ ଓ କୋହରେ ବାକ୍‌ ଶୂନ୍ୟ ହୋଇଯାଇଛି । ପୂର୍ବାହ୍ନରେ ନବକିଶୋର ଦାସଙ୍କ ପାର୍ଥିବ ଶରୀରକୁ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବରରୁ ଝାରସୁଗୁଡ଼ାକୁ ନିଆଯାଇଥିଲା ।

ତା’ର ଯଥେଷ୍ଟ ପୂର୍ବରୁ ଜନସମୁଦ୍ର ପାଲଟି ଯାଇଥିଲା ଝାରସୁଗୁଡ଼ା ବିମାନ ବନ୍ଦର ଅଞ୍ଚଳ । ମରଶରୀର ପହଞ୍ଚିବା ପରେ ଗୁମ୍‌ସୁମ ପାଲଟି ଯାଇଥିଲା ପରିବେଶ । ତା’ରି ଭିତରେ ଶୁଭିଥିଲା ‘ନବକିଶୋର ଦାସ ଅମର ରହେ’ ଧ୍ବନି । ଏ ସ୍ଲୋଗାନ ସହିତ ଲୋକଙ୍କ ଆଖିରୁ ଝରି ପଡୁଥିଲା ଲୁହ । କୋହରେ ରୁନ୍ଧି ହୋଇଯାଇଥିଲା ଛାତି । ନିଜର ପ୍ରିୟ ନେତାଙ୍କ ଶେଷ ଦର୍ଶନ ସହିତ ସମସ୍ତେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଝାରସୁଗୁଡ଼ା ବିମାନବିନ୍ଦରରୁ ନବକିଶୋରଙ୍କ ଶବାଧାରକୁ ତାଙ୍କ ସରବାହାଲସ୍ଥିତ ବାସଭବନକୁ ନିଆଯାଇଥିଲା । ପତ୍ନୀ ମିନତି ଦାସ, ଏକମାତ୍ର ପୁତ୍ର ବିଶାଲ ଓ କନ୍ୟା ଦୀପାଳିଙ୍କ ସମେତ ଆତ୍ମୀୟ ସ୍ବଜନ ତାଙ୍କ ଶେଷ ଦର୍ଶନ କରିଥିଲେ । ସେଠାରୁ ପାର୍ଥିବ ଶରୀରକୁ ମନମୋହନ ସ୍କୁଲ ପରିସରରକୁ ନିଆଯାଇଥିଲା । ହଜାର ହଜାର ସାଧାରଣ ଲୋକ, ସମର୍ଥକ ଓ ଶୁଭେଚ୍ଛୁ ତାଙ୍କ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।.

Share

Leave a Reply

Your email address will not be published. Required fields are marked *

6 + 1 =