ରାଜ୍ୟ

ମନେ ପଡନ୍ତି ମଧୁବାବୁ

ଆଧୁନିକ ଓଡ଼ିଶାର ବିନ୍ଧାଣୀ । ​ଜାତିର ଗୌରବ । ସ୍ୱାଭିମାନର ପ୍ରତୀକ, ମଧୁସୂଦନ ଦାସ । ​୧୭୮ ବର୍ଷ ପୂର୍ବେ ଜନ୍ମ ନେଇଥିଲେ । ୨୮ ଅପ୍ରେଲ, ୧୮୪୮ରେ କଟକର ସତ୍ୟଭାମାପୁର ମାଟିରେ ଜନ୍ମ । ଏହି ଦିନକୁ ସାରା ଓଡ଼ିଶା ‘ସ୍ୱାଭିମାନ ଦିବସ’ ଏବଂ ‘ଓକିଲ ଦିବସ’ ଭାବେ ଗର୍ବର ସହ ପାଳନ କରୁଛି । ସେ କେବଳ ଜଣେ ବ୍ୟକ୍ତି ନଥିଲେ, ସେ ଥିଲେ ଓଡ଼ିଶାର ପ୍ରଥମ ଗ୍ରାଜୁଏଟ୍, ପ୍ରଥମ ଏମ୍.ଏ. ଏବଂ ପ୍ରଥମ ଓଡ଼ିଆ ଓକିଲ । ଓଡ଼ିଆ ଜାତିର ବୌଦ୍ଧିକ ବିକାଶର ସେ ଥିଲେ ମୁଖ୍ୟ ପୁରୋଧା । ଓଡ଼ିଶାର ପ୍ରଥମ ବାରିଷ୍ଟର ଭାବେ ସେ ଆଇନ ବୃତ୍ତିକୁ ଏକ ନୂତନ ସମ୍ମାନ ଦେଇଥିଲେ । ତାଙ୍କରି ସ୍ମୃତିରେ ଆଜିର ଦିନଟି ଓଡ଼ିଶାର ସମସ୍ତ ଆଇନଜୀବୀଙ୍କ ପାଇଁ ଉତ୍ସର୍ଗୀକୃତ ।

ବିଛିନ୍ନ ହୋଇ ପଡ଼ିଥିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକାଠି କରିବା ପାଇଁ ସେ ୧୯୦୩ରେ ‘ଉତ୍କଳ ସମ୍ମିଳନୀ’ ଗଢ଼ିଥିଲେ । ତାଙ୍କରି ତ୍ୟାଗ ଯୋଗୁଁ ହିଁ ୧୯୩୬ରେ ଓଡ଼ିଶା ଏକ ସ୍ୱତନ୍ତ୍ର ପରିଚୟ ପାଇଲା। ସେ ଜଣେ ବିପ୍ଳବୀ ସଂସ୍କାରକ ଥିଲେ। ମହିଳାମାନଙ୍କୁ ଆଇନ ପଢ଼ିବା ଓ ଓକିଲାତି କରିବା ପାଇଁ ସେ ଯେଉଁ ସୁଯୋଗ ସୃଷ୍ଟି କରିଥିଲେ, ତାହା ସେ ସମୟରେ ଏକ ଯୁଗାନ୍ତକାରୀ ପଦକ୍ଷେପ ଥିଲା। ନିର୍ଭୀକ ରାଜନେତା ଥିଲେ ମଧୁସୂଦନ ଦାସ । ବ୍ରିଟିଶ ଶାସନ କାଳରେ ଇଂରେଜ ସରକାରଙ୍କ ଆଖିରେ ଆଖି ମିଶାଇ କଥା କହିବାର ସାହସ କେବଳ ମଧୁ ବାବୁଙ୍କ ପାଖରେ ଥିଲା ।

ସେ କେନ୍ଦ୍ରୀୟ ବିଧାନସଭା ଓ ବିଧାନ ପରିଷଦରେ ଓଡ଼ିଶାର ଦୃଢ଼ ସ୍ୱର ଥିଲେ। “ଓଡ଼ିଆ ଜାତି ଏକ ଶିଳ୍ପୀ ଜାତି” – ଏହି ମନ୍ତ୍ରକୁ ସାର୍ଥକ କରିବା ପାଇଁ ସେ ‘ଉତ୍କଳ ଟ୍ୟାନେରୀ’ ଓ ‘ଓଡ଼ିଶା ଆର୍ଟ ଓୟାର୍ସ’ ପ୍ରତିଷ୍ଠା କରିଥିଲେ। ତାଙ୍କର ଲକ୍ଷ୍ୟ ଥିଲା ଓଡ଼ିଆମାନେ ଅନ୍ୟ ଉପରେ ନୁହେଁ, ନିଜ ଗୋଡ଼ରେ ନିଜେ ଠିଆ ହୁଅନ୍ତୁ। ଓଜସ୍ୱିନୀ ସାହିତ୍ୟ ଓ ବକ୍ତୃତା ସମସ୍ତଙ୍କୁ ଆକର୍ଷିତ କରୁଥିଲା। ସେ ଯେତେବେଳେ କହୁଥିଲେ, ହଜାର ହଜାର ଶ୍ରୋତା ମନ୍ତ୍ରମୁଗ୍ଧ ହୋଇ ଶୁଣୁଥିଲେ। ତାଙ୍କର ଲେଖନୀରୁ ନିସୃତ ପ୍ରତିଟି ଶବ୍ଦ ଓଡ଼ିଆ ପ୍ରାଣରେ ଜାତୀୟତାବୋଧ ଭରି ଦେଉଥିଲା। ଗରିବର ବନ୍ଧୁ ଥିଲେ ମଧୁ ବାବୁ। ପୁରୀ ମହନ୍ତ ମାମଲା ହେଉ କିମ୍ବା ଗଜପତିଙ୍କ ଅଧିକାର ସୁରକ୍ଷା, ମଧୁ ବାବୁ ସବୁବେଳେ ସତ୍ୟ ଓ ନ୍ୟାୟ ସପକ୍ଷରେ ଛିଡ଼ା ହେଉଥିଲେ।

ଲୋକଙ୍କୁ ନ୍ୟାୟ ଦେବା ପାଇଁ ସେ ନିଜର ସର୍ବସ୍ୱ ତ୍ୟାଗ କରିବାକୁ ପଛାଉ ନଥିଲେ। “ଉତ୍କଳ ଗୌରବ” ମଧୁସୂଦନ ଦାସଙ୍କ ଆଦର୍ଶ କେବଳ ଇତିହାସ ନୁହେଁ, ବରଂ ପ୍ରତିଟି ଓଡ଼ିଆଙ୍କ ପାଇଁ ଏକ ପଥପ୍ରଦର୍ଶକ। ଆଜିର ଦିନରେ ତାଙ୍କର ଜୀବନୀ ପଢ଼ିବା ଏବଂ ତାଙ୍କୁ ସମ୍ମାନ ଜଣାଇବା ଆମ ସମସ୍ତଙ୍କର କର୍ତ୍ତବ୍ୟ। “ଜାତି ନନ୍ଦିଘୋଷ ଚଳିବ କି ଭାଇ ସ୍ୱାର୍ଥକୁ ସାରଥୀ କଲେ, ଟାଣେ କିରେ ଗାଡି ଦାନାର ତୋବଡା ଘୋଡା ମୁହେଁ ବନ୍ଧା ଥିଲେ” ମଧୁ ବାବୁଙ୍କ ଏହି କାଳଜୟୀ ବାଣୀ ଆଜି ବି ଆମ ଜାତି ପାଇଁ ସବୁଠୁ ବଡ଼ ଶିକ୍ଷା। ​ଓଡ଼ିଆ ଜାତିର ‘କୁଳବୃଦ୍ଧ’ଙ୍କୁ କୋଟି ପ୍ରଣାମ!।

 

Share

Leave a Reply

Your email address will not be published. Required fields are marked *

12 − 10 =