ମୋଦି-ଶାହାଙ୍କ ଗସ୍ତ ରୋକିପାରୁନି ଗଣପଳାୟନ

ଭବନେଶ୍ବର () ଗତ ବର୍ଷକ ମଧ୍ୟରେ ଅମିତ ଶାହା ତୃତୀୟ ଥର ପାଇଁ ଗତକାଲି ଓଡିଶା ଗସ୍ତରେ ଆସିଥିଲେ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତାଳଚେଳ ଓ ଝାରସୁଗୁଡା କାର୍ଯ୍ୟକ୍ରମ ଥିଲା ଦ୍ବିତୀୟ ଓଡିଶା ଗସ୍ତ । କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ଏନଡିଏ କ୍ଷମତାକୁ ଆସିବା ପରଠାରୁ ଅମିତ ଶାହାଙ୍କ 10 ଥର ଓଡିଶା ଗସ୍ତରେ ଆସିଥିବା ବେଳେ ମୋଦି 7 ଥର ଓଡିଶା ଆସିଲେଣି । ହେଲେ ବିଜେପିର ଏହି ଦୁଇ ହେଭିୱେଟ ନେତାଙ୍କ ଘନଘନ ଓଡିଶା ଗସ୍ତ ଦଳର କର୍ମୀଙ୍କୁ ପ୍ରଭାବିତ କରିପାରୁନି କି ଦଳରୁ ଗଣ ପଳାୟନ ପର୍ବ ବନ୍ଦ ହେଉନି ।

ଶନିବାର ମୋଦି ତାଳଚେର ଓ ଝାରସୁଗୁଡା ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରସଙ୍ଗରେ ବିଶୋଦଗାର କରିଛନ୍ତି । ବିଜେଡି ସରକାର ପିସି ସରକାର ବୋଲି ସମ୍ବୋଧିତ କରିବା ସହ 18 ବର୍ଷରେ ଓଡିଶାର ଅଗ୍ରଗତି ହୋଇନି ବରଂ ଅଧୋଗତି ହୋଇଛି ବୋଲି କହିଥିଲେ । ମୋଦି ଓ ଶାହା ରାଜ୍ୟ ସରକାରଙ୍କ ବିରୋଧରେ ଯେତେ ଜୋରରେ ଗର୍ଜନ କରୁଛନ୍ତି ବିଜେଡିର ତୃଣମୂଳ ସ୍ତରର ନେତା ଓ କର୍ମୀ ସେତେ ଜୋରରେ ଦଳରୁ ଗଣପଳାୟନ କରୁଛନ୍ତି । ମୋଦିଙ୍କ ଗସ୍ତକୁ 24 ଘଣ୍ଟା ନପୂରୁଣୁ ଏବଂ ଶାହାଙ୍କ ଓଡିଶା ଗସ୍ତର କିଛି ଘଣ୍ଟା ପୂର୍ବରୁ ସୋମବାର କଟକ ଲୋକସଭା କ୍ଷେତ୍ର ଅନ୍ତର୍ଗତ ବଡମ୍ବା ବିଧାନସଭା ନିର୍ବାଚନମଣ୍ଡଳୀର ଏକାଧିକ ନେତା ଓ କର୍ମୀ ବିଜେପି ଛାଡି ଶଙ୍ଖ ଧରିଛନ୍ତି ।

ବଡମ୍ବା ବିଧାନସଭା ନିର୍ବାଚନମଣ୍ଡଳୀର ସରୋଜ ପଟ୍ଟନାୟକଙ୍କ ନେତୃତ୍ବରେ 200ରୁ ଅଧିକ ବିଜେପି କର୍ମୀ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିକାଶ ଅଭିଯାନରେ ସାମିଲ ହୋଇଛନ୍ତି । ସେମାନେ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ସହ ତାଙ୍କ ନେତୃତ୍ବରେ ଆରମ୍ଭ ହୋଇଥିବା ବିକାଶ ପ୍ରକ୍ରିୟାରେ ସାମିଲ ହେବାକୁ ବିଜେଡିରେ ଯୋଗ ଦେଇଥିବା କହିଛନ୍ତି । ବିଜେପି ଛାଡି ବିଜେଡି ଯୋଗ ଦେଇଥିବା ଯୁବ ଓ ଛାତ୍ର ନେତାମାନେ ବି କହିଛନ୍ତି ଯେ, ସେମାନେ ଦଳ ଛାଡିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏହି ଜାତୀୟ ଦଳ ଯୁବକଙ୍କୁ ଦଳ ଗୁରୁତ୍ବ ଦେଉନି ।

ପୂର୍ବ ଭାରତରେ ଓଡିଶାକୁ ବିଜେପି ଫୋକସରେ ରଖିଥିବା ବେଳେ ମୋଦି, ଶାହା ଓ ଅନ୍ୟ କେନ୍ଦ୍ର ମନ୍ତ୍ରୀମାନଙ୍କ ଘନଘନ ଓଡିଶା ଗସ୍ତ ଦଳର ତୃଣମୂଳ ସ୍ତରର ନେତା ଓ କର୍ମୀଙ୍କୁ ପ୍ରଭାବିତ କରିପାରୁନି । ଦଳୀୟ ସ୍ତରରୁ ମିଳୁଥିବା ଏକ ସୂଚନା ଅନୁଯାୟୀ 2014 ନିର୍ବାଚନ ସମୟରେ ବିଜେପି ନେତାଙ୍କ ଭାଷଣରେ ପ୍ରଭାବିତ ହୋଇ ପଦ୍ମଫୁଲି ଧରି ମାତିଥିବା ତୃଣମୂଳ ସ୍ତରର ପ୍ରାୟ 70 ପ୍ରତିଶତ କର୍ମୀ ଓ ନେତା ବିଜେପି ଛାଡି ବିଜେଡି କିମ୍ବା କଂଗ୍ରେସକୁ ପଳେଇଛନ୍ତି । ମିଶନ 120 ଦଖଲ ପାଇଁ ଶାହା ରାଜ୍ୟର 36ହଜାର ବୁଥରେ ବୁଥ କମିଟି ସେପ୍ଟେମ୍ବର ଶେଷ ସୁଦ୍ଧା ଗଠନ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏବେ ସୁଦ୍ଧା 15ହଜାର ବୁଥ କମଟି ଗଠନ ହୋଇପାରିନି । ବୁଥ କମିଟି ପାଇଁ ବୁଥ ସ୍ତରରେ ବିଜେପି ନେତା କି କର୍ମୀଙ୍କୁ ପାଉନି ।

Share

Leave a Reply

Your email address will not be published. Required fields are marked *

16 + nine =