ବାଜପେୟୀଙ୍କ ଶେଷକୃତ୍ଯ ସଂପନ୍ନ

ନୂଆଦିଲ୍ଲୀ: ଶେଷରେ ପଞ୍ଚଭୂତରେ ଲୀନ ହୋଇଛନ୍ତି ଭାରତୀୟ ରାଜନୀତିର  ଭୀଷ୍ମ ପିତାମହ ଅଟଳ ବିହାରୀ ବାଜପେୟୀ । ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶୁକ୍ରବାର ଅପରାହ୍ଣ ୪.୫୬ରେ ସ୍ମୃତିସ୍ଥଳରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି।ହିନ୍ଦୁ ରୀତିନୀତି ଅନୁଯାୟୀ ତାଙ୍କ ପୋଷ୍ୟକନ୍ୟା ନମିତା ଭଟ୍ଟାଚାର୍ଯ୍ୟ ଅଟଳଜୀଙ୍କ ପାର୍ଥିବ ଶରୀରରେ ମୁଖାଗ୍ନି ଦେଇଥିଲେ । ୨୧ ତୋପ ସଲାମି ସହ ଅଟଳଜୀଙ୍କୁ ବିଦାୟ ଦିଆଯାଇଥିଲା। ଅଟଳଜୀଙ୍କୁ ସ୍ମୃତିସ୍ଥଳରେ ଅନ୍ତିମ ବିଦାୟ ଦେବା ସମୟରେ ସମଗ୍ର ପରିବେଶ ବେଶ ଗମ୍ଭୀର ହୋଇଉଠିଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦଳମତ ନିର୍ବିଶେଷରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅଟଳଜୀଙ୍କ ଶେଷକୃତ୍ୟରେ ସାମିଲ ହୋଇଥିଲେ।  ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧି ମଧ୍ୟ ଅଟଳଜୀଙ୍କ ଶେଷ ଦର୍ଶନ କରିଥିଲେ।ଏହି ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସମେତ ପଡ଼ୋଶୀ ପାକିସ୍ତାନର ଏକ ପ୍ରତିନିଧି ଦଳ, ନେପାଳ, ଶ୍ରୀଲଙ୍କା, ଭୁଟାନର ରାଜା ଓ  ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ମଧ୍ୟ ଅଟଳଜୀଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ମରିସସ୍‌ରେ ମଧ୍ୟ ରାଷ୍ଟ୍ରୀୟ ଶୋକ ପାଳନ ହୋଇଛି। ସେଠାରେ ଭାରତୀୟ ଜାତୀୟ ପତାକା ସହ ମରିସସ୍‌ ପତାକାକୁ ଅଟଳଜୀଙ୍କ ସମ୍ମାନାର୍ଥେ ଅର୍ଦ୍ଧନିର୍ମିତ କରାଯାଇଥିଲା। ପୂର୍ବରୁ ପାଖାପାଖି ମଧ୍ୟାହ୍ଣ ୧ଟା ବେଳେ ସେନାର ସ୍ୱତନ୍ତ୍ର ଗାଡ଼ିରେ ବିଜେପି ମୁଖ୍ୟାଳୟରୁ  ତ୍ରିରଙ୍ଗାରେ ଆଚ୍ଛାଦିତ ଅଟଳଜୀଙ୍କ ପାର୍ଥିବ ଶରୀରକୁ ଏକ ବିରାଟ୍‌ ପଟୁଆରରେ ସ୍ମୃତିସ୍ଥଳକୁ ଅଣା ଯାଇଥିଲା।  ଏହି ଶୋଭାଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇ ଏକ ଜନସମୁଦ୍ରର ଭ୍ରମ ସୃଷ୍ଟି କରିଥିଲେ। ସମସ୍ତଙ୍କ ମୁହଁରୁ ‘ଅଟଳଜୀ ଅମର ରହେ’ ନାରା ଶୁଣିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହ ଗାଡ଼ି ପଛେ ପଛେ ଚାଲିଚାଲି ବିଜେପି କାର୍ଯ୍ୟାୟରୁ ସ୍ମୃତିସ୍ଥଳକୁ ଆସିଥିଲେ।

Share

Leave a Reply

Your email address will not be published. Required fields are marked *

8 + eleven =