ନୂଆ ନିର୍ବାଚନ ପ୍ରସଙ୍ଗ ଖୋଜିବାକୁ ସଂଘର ପରାମର୍ଶ

ଭୁବନେଶ୍ୱର,୩୦ା୦୬(ନିପ୍ର): ଆଗାମୀ ଲୋକସଭା ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ପ୍ରସ୍ତୁତି କରିବାରେ ବ୍ୟସ୍ତ । ବର୍ତ୍ତମାନ ସରକାରରେ ଥିବା ବିଜେପି କିପରି ପୁଣି ଥରେ କ୍ଷମତାକୁ ଫେରିବ ସେ ଦିଗରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ) ବେଶୀ ଚିନ୍ତିିତ ହୋଇପଡିଛି । ଏଥିପାଇଁ ଆରଏସଏସ ପକ୍ଷରୁ ନିର୍ବାଚନ ରଣନୀତି ପ୍ରସ୍ତୁତି ଚାଲିଛି । ଆରଏସଏସର ରଣନୀତି ଅନୁସାରେ ବିଜେପି ତାର ପୁରୁଣା ପ୍ରସଙ୍ଗକୁ ଆଗାମୀ ନିର୍ବାଚନରେ ଗୁରୁତ୍ୱ ନ ଦେଇ ସମାଜର ସବୁବର୍ଗର ମତଦାତାଙ୍କୁ ଆକୃଷ୍ଟ କଲାଭଳି ନୂଆ ପ୍ରସ ପରାଙ୍ଗ ଖୋଜିବାକୁ ପରାମର୍ଶ ଦେଇଛି ।
ନିକଟରେ ଆରଏସଏସ ପକ୍ଷରୁ ହୋଇଥିବା ବୈଠକରେ ପ୍ରତ୍ୟେକ ରାଜ୍ୟର ସଂଗଠନ ସାଧାରଣ ସମ୍ପାଦକମାନେ ନିଜ ନିଜ ରାଜ୍ୟରେ ଦଳର ସ୍ଥିତି ନେଇ ରିପୋର୍ଟ ଉପସ୍ଥାପନ କରିଥିଲେ । ଏହି ବୈଠକରେ ବିଜେପି କର୍ମକର୍ତ୍ତାଙ୍କ ବ୍ୟତୀତ ଆରଏସଏସର ସହଯୋଗୀ ସଂଗଠନମାନେ ମଧ୍ୟ ଆଗାମୀ ନିର୍ବାଚନ ନେଇ ବିଜେପିର ସ୍ଥିତି ସମ୍ପର୍କରେ ରିପୋର୍ଟ ଉପସ୍ଥାପନ କରିଥିଲେ । ଏହି ସବୁ ରିପୋର୍ଟ ମିଳିବା ପରେ ଆଲୋଚନା କରାଯାଇ ବିସ୍ତୃତଯୋଜନା ପ୍ରସ୍ତୁତ କରାଯାଇଛି । ୨୦୧୯ରେ ବିଜେପିକୁ ପୁଣି ଥରେ କ୍ଷମତାକୁ ଆଣିବା ପାଇଁ ଆରଏସଏସ ଓ ଏହାର ସହଯୋଗୀ ସଂଗଠନମାନେ ଅଣ୍ଟା ଭିଡି ବାହାରିଛ”ି ।
ଆରଏସଏସ ପକ୍ଷରୁ ସଂଗଠକ ଯୋଗାଇ ଦିଆଯିବ ସହିତ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ରଣନୀତି ପ୍ରସ୍ତୁତ କରିବାକୁ ସ୍ଥିର ହୋଇଛି । ବିଜେପି ନେତୃତ୍ୱକୁ ଆରଏସଏସ ପକ୍ଷରୁ ସ୍ପଷ୍ଟ ଭାବରେ କୁହାଯାଇଛି, ଯଦି ନିର୍ବାଚନ ଜିତିବାକୁ ଚାହୁଛ ତେବେ ପୁରୁଣା ପ୍ରସଙ୍ଗ ଛାଡି ସବୁ ବର୍ଗର ମତଦାତାଙ୍କୁ ପ୍ରଲୋଭିତ କଲାଭଳି ନୂଆ ପ୍ରସଙ୍ଗ ବାଛିବା ଅତ୍ୟନ୍ତ ଜରୁରୀ । ନୂଆ ନିର୍ବାଚନୀ ପ୍ରସଙ୍ଗ ବିଜେପିକୁ ଫାଇଦା ଦେବ । ଏଭଳି ପ୍ରସଙ୍ଗକୁ ଚିହ୍ନଟ କରି ଏହାକୁ ସୁଚିନ୍ତିତ ଢଙ୍ଗରେ କିପରି ଲୋକମାନଙ୍କ ମଧ୍ୟରେ ପ୍ରଚାର କରାଯିବ ସେଥିପାଇଁ ଆରଏସଏସ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି । ଗତ ନିର୍ବାଚନରେ ଯେଉଁ ପ୍ରସଙ୍ଗରେ ବିଜେପି ପ୍ରଚାର କରୁଥିଲା ତାର ସଫଳ କାହାଣୀ ନିର୍ବାଚନ ସମୟରେ ପ୍ରଚାର କରାଯିବ ।
ବର୍ତ୍ତମାନର ସମସ୍ତ ସାଂସଦମାନଙ୍କର କାର୍ଯ୍ୟକଳାପକୁ ମୂଲ୍ୟାଙ୍କନ କରିବା ପାଇଁ ଆରଏସଏସ ବିଜେପି ଅଧ୍ୟକ୍ଷ ଅମିତ୍‍ ଶାହା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହମତିରେ ଯୋଜନା ପ୍ରସ୍ତୁତ କରାଯାଇଛି । ସାଂସଦମାନଙ୍କ କାର୍ଯ୍ୟର ମୂଲ୍ୟାଙ୍କନ ବିଜେପି ନେତାଙ୍କ ପରିବର୍ତ୍ତେ ଆରଏସଏସର ସଂଗଠନ ସମ୍ପାଦକମାନେ କରି ସଂଘ ଓ ବିଜେପି ନେତାଙ୍କୁ ପ୍ରଦାନ କରିବେ ବୋଲି ସ୍ଥିର ହୋଇଛି । ରିପୋର୍ଟ ମିଳିବା ପରେ ସାଂସଦଙ୍କର କାମ, ସଂସଦୀୟ କ୍ଷେତ୍ରରେ ତାଙ୍କ ଲୋକପ୍ରିୟତା ସହିତ ନିର୍ବାଚନ ଜିତିବାର ସମ୍ଭାବନାକୁ ଅନୁଧ୍ୟାନ କରାଯାଇ ଆଗାମୀ ନିର୍ବାଚନରେ ଦଳୀୟ ପ୍ରାର୍ଥ କରାଯିବ କି ନାହିଁ ତାହା ସ୍ଥିର କରାଯିବ । ଏହି କାମ ଆଗାମୀ ମାସକ ମଧ୍ୟରେ ଶେଷ କରାଯିବ ବୋଲି ବୈଠକରେ ସ୍ଥିର ହୋଇଛି ।
ସଂଘର ପଦାଧିକାରୀଙ୍କ କହିବା ଅନୁସାରେ ବର୍ତ୍ତମାନର ସାଂସଦଙ୍କ କାର୍ଯକଳାପକୁ କେବଳ ମୂଲ୍ୟାଙ୍କନ କରାଯିବ ନାହିଁ, ତା ସହିତ ପ୍ରତ୍ୟେକ ଲୋକସଭା ଆସନରେ ବିକଳ୍ପ ପ୍ରାର୍ଥୀ ମଧ୍ୟ ଖୋଜା ଯିବ । ଯଦି କୌଣସି ଆସନରେ କୌଣସି ସାଂସଦଙ୍କର ଟିକଟ କଟିଯାଏ, ତେବେ ସେ ସମ୍ପର୍କରେ ସ୍ଥାନୀୟ ସଂଗଠନ ସମ୍ପାଦକ ଆରଏସଏସର ସଂଗଠନ ସମ୍ପାଦକଙ୍କୁ ସେ ସମ୍ପର୍କରେ ସୂଚନା ଦେବା ସହିତ ବିଜୟ ସମ୍ଭାବନା ଥିବା ଦୁଇ ଜଣ ବିକଳ୍ପ ପ୍ରାର୍ଥୀଙ୍କ ନାମ ପ୍ରସ୍ତାବ କରିବେ । ଏହା ପୂର୍ବରୁ ମଧ୍ୟ ସଂଘ ମଧ୍ୟ ପ୍ରାର୍ଥୀଙ୍କ ସମ୍ପର୍କରେ ରିପୋର୍ଟ ପ୍ରଦାନ କରୁଥିଲେ । କିନ୍ତୁ ଏବେ ପ୍ରଥମ ଥର ପାଇଁ ବିଜେପି ଟିକଟ ବଣ୍ଟନ ବେଳେ ଆରଏସଏସର ରିପୋର୍ଟକୁ ଗୁରୁତ୍ୱ ପ୍ରଦାନ କରିବ । ସଂଘ ରିପୋର୍ଟରେ ସାଂସଦମାନଙ୍କ ଟିକଟ କଟୁ ଥିବାରୁ ଦଳୀୟ ଅସନ୍ତୋଷ ବଢିବା ପରିବର୍ତ୍ତେ ହ୍ରାସ ପାଇବ ବୋଲି ବିଜେପି ନେତୃତ୍ୱ ଆଶା ପ୍ରକାଶ କରିଛନ୍ତି । କାରଣ ସଂଘର ରିପୋର୍ଟ ଆଧାରରେ ଟିକଟ କଟିଛି ବୋଲି ବିଜେପି ନେତା ସଫେଇ ଦେଇପାରିବେ ।
ସଂଘ ବୈଠକରେ ବିଜେପିର ସହଯୋଗୀ ସଂଗଠନମାନଙ୍କ ସହିତ ଉତ୍ତମ ତାଳମେଳ ନଥିବା ସମ୍ପର୍କରେ ଆଲୋଚନା ହୋଇଥିଲା । ମଜଦୂର ସଂଗଠନ ଭଳି ସଂଘର ସହଯୋଗୀ ସଂଗଠନ ଅନେକ ଥର ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛି । ୨୦୧୯ ନିର୍ବାଚନ ପୂବରୁ ବିଜେପି ସଂଘର ସମସ୍ତ ସହଯୋଗୀ ସଂଗଠନ ଆଲୋଚନା କରିବା ସହିତ ଉତ୍ତମ ତାଳମେଳ ରଖିବା ପାଇଁ ପରାମର୍ଶ ଦେଇଛି ।
ଉତ୍ତରପ୍ରଦେଶରେ ସପା ଓ ବିଏସପି ମେଣ୍ଟ ପରେ ବିଜେପି ସମସ୍ୟା ବଢିଛି । ଏହି ରାଜ୍ୟରୁ ବିଜେପି ଓ ତାର ସହଯୋଗୀ ଦଳ ୮୦ଟି ଲୋକସଭା ଆସନରୁ ୭୩ଟିରେ ବିଜୟ ହାସଲ କରିଥିଲା । କିନ୍ତୁ ବର୍ତ୍ତମାନର ପରିସ୍ଥିତି ଅନୁସାରେ ଆଗାମୀ ନିର୍ବାଚନରେ ବିଜେପି ପୂର୍ବ ସଫଳତା ଦୋହରାଇ ପାରିବା ନେଇ ପ୍ରଶ୍ନ ଉଠିଲାଣି । ଏପରିକି ଗତ ଥରର ଆସନ ସଂଖ୍ୟାର ଅଧା ବିଜେପି ଜିତି ପାରିବ ନାହିଁ ବୋଲି ଅନେକ ରାଜନୀତି ବିଶ୍ଲେଷକ ପୂର୍ବାନୁମାନ କଲେଣି । ତେଣୁ ଏବେଠାରୁ ଉତ୍ତରପ୍ରଦେଶ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଆରଏସଏସ ପକ୍ଷରୁ ବିଜେପି ନେତୃତ୍ୱକୁ ପରାମର୍ଶ ଦିଆଯାଇଛି । ଆରଏସଏସ ପକ୍ଷରୁ ଉତ୍ତରପ୍ରଦେଶକୁ ୬ଟି ସାଂଗଠିକ ଭାଗରେ ବିଭକ୍ତ କରାଯାଇ ୩ଟି ଭାଗର ପ୍ରମୁଖଙ୍କୁ ପରିବର୍ତ୍ତନ ପାଇଁ ଚିନ୍ତା କରିଛି ।

Share

Leave a Reply

Your email address will not be published. Required fields are marked *

seven + 14 =