ରାଷ୍ଟ୍ରପତିଙ୍କୁ ଅସମ୍ମାନ ବିବାଦ ବିଜେଡିର ଷଡଯନ୍ତ୍ର : ଧର୍ମେନ୍ଦ୍ର

ଭୁବନେଶ୍ବର () ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ରାଷ୍ଟ୍ରପତି ସପତ୍ନିକ ଦର୍ଶନ କରିବାକୁ ଆସିଥିବା ବେଳେ ରାଷ୍ଟ୍ରପତିଙ୍କ ଧର୍ମପତ୍ନୀଙ୍କ ସହ ଅସଦବ୍ୟବହାରର କୌଣସି ଘଟଣା ତାଙ୍କ ନଜରକୁ ଆସି ନାହିଁ ବୋଲି ରାଷ୍ଟ୍ରପତିଙ୍କ ସହ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମ ପ୍ରଶ୍ନର ଉତରରେ କହିଛନ୍ତି । ତେବେ ଷଡଯନ୍ତ୍ର ଓ ହୀନ ଉଦ୍ଦେଶ୍ୟ ରଖି ଏପରି କଥାକୁ କିଏ ଓ କାହିଁକି ପ୍ରଚାର କରିଛି ଏହା ନେଇ ସେ ପ୍ରଶ୍ନ ଉଠାଇବା ସହ ମୁଖ୍ୟମନ୍ତ୍ରୀ ନିଜର ନୀବରତା ଭାଙ୍ଗି ସ୍ପଷ୍ଟୀକରଣ କାହିଁକି ଦେଉ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ।

ଧର୍ମେନ୍ଦ୍ର ବିଜେଡିର ପ୍ରମୁଖ ପ୍ରବକ୍ତା ପ୍ରତାପ ଦେବଙ୍କ ବୟାନର ପୃଷ୍ଠଭୂମି ନେଇ ପ୍ରଶ୍ନ ଉଠାଇଛନ୍ତି । ତୃତୀୟ ମହଲାରୁ ଓହ୍ଲାଇ ରାଜ୍ୟ ସଚିବାଳୟରେ ଦର୍ଶନ ସମୟରେ ଅସଦବ୍ୟବହାର ନେଇ ରାଷ୍ଟ୍ରପତି ଭବନରୁ ପତ୍ର ଆସିଥିବା ସୂଚନା ଦେଇଥିଲେ । ପ୍ରତାପ ଦେବଙ୍କୁ ଏହି ସୂଚନା ରାଜ୍ୟର ମୁଖ୍ୟମନ୍ତ୍ରୀ ନା ମୁଖ୍ୟ ସଚିବ କିଏ ଦେଇଥିଲେ, ତାହା ସ୍ପଷ୍ଟ କରନ୍ତୁ ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି ଯେ ପ୍ରତାପ ଦେବ ମୁଖ୍ୟମନ୍ତ୍ରୀଙ୍କର ଅତି ପ୍ରିୟ । ବିନା ମୁଖ୍ୟମନ୍ତ୍ରୀଙ୍କ ଅନୁମତିରେ ସେ କିଛି କହନ୍ତି ନାହିଁ ଏକଥା ଗଣ ମାଧ୍ୟମ ଓ ସମସ୍ତଙ୍କୁ ଭଲ ଭାବରେ ଜଣାଅଛି । ତେଣୁ ପ୍ରତାପ ଦେବ ତାଙ୍କ ଇଚ୍ଛାରେ ନୁହେଁ ତାଙ୍କୁ ଦିଆ ଯାଇଥିବା ନିର୍ଦେଶ ଅନୁସାରେ ବକ୍ତବ୍ୟ ରଖିଛନ୍ତି । ନୂଆ କରି ମନ୍ଦିର ଦାୟିତ୍ବରେ ଯାଇଥିବା ବ୍ୟକ୍ତିଙ୍କୁ କଣ ଜଣା ଅଛି, ଅଜଣା ଅଛି ସେ ଜାଣି ନାହାନ୍ତି । ମାତ୍ର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ ତାଙ୍କ ପାଖକୁ ରାଷ୍ଟ୍ରପତି ଭବନରୁ କୌଣସି ପତ୍ର ଆସି ନାହିଁ ବୋଲି ସଫେଇ ଦେଇଛନ୍ତି । ଉଭୟ ବୟାନ ମଧ୍ୟରୁ ପ୍ରତାପ ଦେବ ନ ହେଲେ ଆଦିତ୍ୟ ପ୍ରସାଦ ପାଢୀ ସତ ହୋଇଥିବେ । ଏତେ ବାଦ ବିବାଦ ପରେ ମୁଖ୍ୟମନ୍ତ୍ରୀ କାହିଁକି ଚୁପ ବସିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ପ୍ରାୟୋଜିତ ପ୍ରଶ୍ନ ପଚାରି ଉତର ଦେବାରେ ସିଦ୍ଧହସ୍ତ । ଓଡିଆ ଜାତିର ପରମ ଆରାଧ୍ୟ ଶ୍ରୀ ଜଗନ୍ନାଥଙ୍କ ପାଖରେ ମୁଣ୍ଡ ନୂଆଁଇବାକୁ ଆସିଥିବା ଭାରତର ରାଷ୍ଟ୍ରପତିଙ୍କୁ ନେଇ ବିବାଦ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ଆସି ସ୍ଥିତି ସ୍ପଷ୍ଟ କରିବାକୁ ଆହ୍ବାନ ଜଣାଇଛନ୍ତି ଶ୍ରୀ ପ୍ରଧାନ ।

Share

Leave a Reply

Your email address will not be published. Required fields are marked *

three × three =