ମୁଁ ଥିବା ଯାଏଁ କାଳିଆକୁ କେହି ବନ୍ଦ କରିପାରିବେ ନାହିଁ : ନବୀନ

କାଳିଆ ଯୋଜନାକୁ ବନ୍ଦ କରିବାକୁ ବିଜେପି ଚକ୍ରାନ୍ତ କରୁଛି

ଭୁବନେଶ୍ବର () ଦ୍ବିତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ଆଜି ସୁନ୍ଦରଗଡରେ ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଗୋଟିଏ ଦିନରେ ନବୀନ ସୁନ୍ଦରଗଡ଼ ଜିଲ୍ଲାର ସାତୋଟି ନିର୍ବାଚନ ମଣ୍ଡଳୀରେ ମାରାଥନ ପ୍ରଚାର କରିଛନ୍ତି । ଏହି ଅବସରରେ ବିଭିନ୍ନ ସ୍ଥାନରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟବାସୀ କାଳିଆ ଯୋଜନା ସଂପର୍କରେ ଜାଣିଛନ୍ତି । ଏହି ଯୋଜନାରେ ଏପର୍ଯ୍ୟନ୍ତ 40 ଲକ୍ଷ ଚାଷୀ ଉପକାର ପାଇଲେଣି । କିନ୍ତୁ କାଳିଆ ଯୋଜନାକୁ ବନ୍ଦ କରିବାକୁ ବିଜେପି ଚକ୍ରାନ୍ତ କରୁଛି । ଚାଷୀକୁ ତାର ହକରୁ ବଂଚିତ କରିବାକୁ ହୀନ ଉଦ୍ୟମ କରୁଛି  । ମୁଁ ଥିବା ଯାଏଁ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ । ବିଜୁ ଜନତା ଦଳ ସରକାର ଗଠନର ପ୍ରଥମ ଦିନରେ ହିଁ ସବୁ ଚାଷୀଙ୍କୁ କାଳିଆ ଯୋଜନାର ଦୁଇଟି କିସ୍ତି ପାଇଁ ଦଶ ହଜାର ଟଙ୍କା ମିଳିବ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସୁନ୍ଦରଗଡ ହକିର ଜନ୍ମଭୂମି । ସାରା ବିଶ୍ବରେ ହକି ହିଁ କ୍ରୀଡା କ୍ଷେତ୍ରରେ ଭାରତ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି  । ଓଡିଶାରେ ହକି ବିଶ୍ବକପ ସଫଳ ଆୟୋଜନ ସମସ୍ତଙ୍କ ପାଇଁ ଗର୍ବର ବିଷୟ । ସେ ପୁଣି କହିଥିଲେ ଯେ, ମହିଳାମାନେ ହିଁ ବିକାଶର ପ୍ରକୃତ ଡବଲ ଇଂଜିନ । ବିଜୁ ଜନତା ଦଳ ମହିଳାମାନଙ୍କୁ ତାଙ୍କ ହକ ଦେଇଛି । ସୁନ୍ଦରଗଡ ମାଟିର ଝିଅ ସୁନୀତା ବିଶ୍ବାଳଙ୍କୁ ଲୋକସଭା ପାଇଁ ପ୍ରାର୍ଥୀ କରିଛି । ସୁନ୍ଦରଗଡର ହକ ପାଇଁ ସେ ଦିଲ୍ଲୀରେ ଲଢେଇ କରିବେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ନିର୍ବାଚନ ଆସିଲେ କେନ୍ଦ୍ରର ବଡ ନେତାମାନଙ୍କର ଓଡିଶା କଥା ମନେପଡେ । ସେମାନଙ୍କୁ ପଚାରନ୍ତୁ ରାଉରକେଲାରେ ଦ୍ବିତୀୟ ବ୍ରାହ୍ମଣୀ ସେତୁ କୁଆଡେ ଗଲା । ରାଉରକେଲାରେ ସୁପର ସ୍ପେସିଆଲିଟି ହସ୍ପିଟାଲ କୁଆଡେ ଗଲା । କାହିଁକି ବିମା କରି ଚାଷୀ ହଇରାଣ ହେଉଛନ୍ତି ଆଉ କମ୍ପାନୀ ଲାଭବାନ ହେଉଛନ୍ତି । କୋଇଲାରୁ କେନ୍ଦ୍ର ସରକାର ପାଉଛି ହଜାର ହଜାର କୋଟି ଟଙ୍କା । ଓଡିଶା ପାଉଛି ପ୍ରଦୂଷଣ ଓ ଧୁଳି । ପାଂଚ ମିନିଟରେ ରୟାଲିଟି ସଂଶୋଧନ ହୋଇପାରିବ । କିନ୍ତୁ ପାଂଚ ବର୍ଷ ଚାଲିଗଲା କିଛି ହେଲା ନାହିଁ । ସୁନ୍ଦରଗଡରୁ କେନ୍ଦ୍ରରେ ଜଣେ କ୍ୟାବିନେଟ ମନ୍ତ୍ରୀ ଅଛନ୍ତି । ସେ ସବୁ ଜାଣନ୍ତି । କିନ୍ତୁ ତାଙ୍କ ହାଇକମାଣ୍ଡଙ୍କ ଆଗରେ ଆପଣଙ୍କ ହକ କରିବା ପାଇଁ ତାଙ୍କର ସାହସ ନାହିଁ ।

କିନ୍ତୁ ବିଜେଡି ପାଇଁ ଆପଣମାନେ ହିଁ ମୋର ହାଇକମାଣ୍ଡ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆପଣମାନଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ମୋର ଲଢେଇ ଜାରି ରହିବ । ସାଢେ ଚାରି କୋଟି ଓଡିଶାବାସୀ ହେଉଛନ୍ତି ମୋର ପରିବାର । ଶେଷ ନିଶ୍ବାସ ପର୍ଯ୍ୟନ୍ତ ମୁଁ ଆପଣମାନଙ୍କର ସେବା କରିଚାଲିବି ବୋଲି କହିବା ସହ ବିଜେଡିର ଉଭୟ ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

2 × one =