ବୃଦ୍ଧ ପିତାମାତାଙ୍କୁ ଅବହେଳା କଲେ …

ମୁମ୍ବାଇ (): ଯଦି ବୃଦ୍ଧ, ଅସହାୟ ପିତାମାତାଙ୍କର ଭରଣପୋଷଣ କ୍ଷେତ୍ରରେ ସନ୍ତାନସନ୍ତତିମାନେ ଅବହେଳା ପ୍ରଦର୍ଶନ କରନ୍ତି, ତେବେ ସେ କ୍ଷେତ୍ରରେ ସନ୍ତାନସନ୍ତତିଙ୍କ ନାମରେ କରିଦେଇଥିବା ସଂପତ୍ତିକୁ ସେମାନଙ୍କ ନିକଟରୁ ଆଉଥରେ ସେମାନେ ଫେରାଇ ଆଣି ପାରିବେ ବୋଲି ବମ୍ବେ ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ।

ହସ୍ତଗତ ହୋଇଥିବା ମାମଲାର ବିବରଣୀରୁ ପ୍ରକାଶ, ମୁମ୍ବାଇରେ ଜନୈକ ବୃଦ୍ଧ ବ୍ୟକ୍ତି ନିଜ ନାମରେ କିଣିଥିବା ଏକ ଫ୍ଲାଟକୁ ତାଙ୍କ ପୁଅ ବୋହୂଙ୍କ ଅନୁରୋଧ କ୍ରମେ ସେମାନଙ୍କ ନାମରେ କରି ଦେଇଥିଲେ । ସର୍ତ୍ତ ଥିଲା ଫ୍ଲାଟଟି ସେମାନଙ୍କ ନାମରେ ହୋଇଯିବା ପରେ ସେମାନେ ବୃଦ୍ଧ ପିତା ଓ ତାଙ୍କର ଦ୍ବିତୀୟ ପତ୍ନୀଙ୍କର ଭରଣପୋଷଣର ସମସ୍ତ ଦାୟିତ୍ବ ବହନ କରିବେ । ହେଲେ, ବୃଦ୍ଧ ଜଣକ ଫ୍ଲାଟଟିକୁ ସେମାନଙ୍କ ନାମରେ କରିଦେବା ପରେ ପୁଅ ବୋହୂ କେବଳ ବୃଦ୍ଧ ପିତାଙ୍କ ଦାୟିତ୍ବ ନେବା ସହ ତାଙ୍କ ଦ୍ବିତୀୟ ପତ୍ନୀଙ୍କ ଦାୟିତ୍ବ ନେବାକୁ ମନା କରି ଦେଇଥିଲେ ।

ଏହା ବିରୋଧରେ ବୃଦ୍ଧ ଜଣକ ଟ୍ରିବ୍ୟୁନାଲ କୋର୍ଟରେ ଏକ ମାମଲା ଆଗତ କଲାପରେ ଟ୍ରିବ୍ୟୁନାଲ କୋର୍ଟ ବୃଦ୍ଧଙ୍କ ସପକ୍ଷରେ ରାୟ ଦେଇଥିଲେ । ତେବେ, ଟ୍ରିବ୍ୟୁନାଲ କୋର୍ଟର ରାୟ ବିରୋଧରେ ପୁତ୍ର ଜଣକ ବମ୍ବେ ହାଇକୋର୍ଟରେ ଏକ ରିଭ୍ୟୁ ପିଟିସନ୍ ଆଗତ କରିଥିଲେ । ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ରଞ୍ଜି ମୋରେ ଓ ଜଷ୍ଟିସ୍ ଅନୁଜା ପ୍ରଭୁଦେଶାଇଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ରିଭ୍ୟୁ ପିଟିସନର ଶୁଣାଣି କରି ଏହି ମାମଲାରେ ଟ୍ରିବ୍ୟୁନାଲ କୋର୍ଟ ଦେଇଥିବା ରାୟକୁ କାଏମ୍ ରଖିବା ସହ କହିଛନ୍ତି ଯେ ବରିଷ୍ଠ ନାଗରିକ ଆଇନ୍ ୨୦୦୭ ଅନୁଯାୟୀ ଯଦି ବୃଦ୍ଧ, ଅସହାୟ ପିତାମାତାଙ୍କର ଭରଣପୋଷଣ କ୍ଷେତ୍ରରେ ସନ୍ତାନସନ୍ତତିମାନେ ଅବହେଳା ପ୍ରଦର୍ଶନ କରନ୍ତି, ତେବେ ସେ କ୍ଷେତ୍ରରେ ସନ୍ତାନସନ୍ତତିଙ୍କ ନାମରେ କରିଦେଇଥିବା ସଂପତ୍ତିକୁ ସେମାନଙ୍କ ନିକଟରୁ ଆଉଥରେ ବୃଦ୍ଧ ପିତାମାତାମାନେ ଫେରାଇ ଆଣି ପାରିବେ ।

Share

Leave a Reply

Your email address will not be published. Required fields are marked *

16 + 10 =