ନବୀନ ନିବାସରେ ଦିଲ୍ଲୀପ, କାଲି ମିଶିବେ

ଭୁବନେଶ୍ବର () ବିଜେଡିରେ ମିଶିବେ ଦିଲ୍ଲୀପ ରାୟ । ଗତ ନଭେମ୍ବର 30 ତାରିଖରେ ସେ ବିଜେପିରେ ଇସ୍ତଫା ଦେଇଥିଲେ । ସେ ଇସ୍ତଫା ଦେବା ଦିନରୁ ବିଜେଡିରେ ମିଶିବ ନେଇ ଚର୍ଚ୍ଚା ହେଉଥିଲା । ଆସନ୍ତାକାଲି ସକାଳେ ସେ ବିଜେଡିରେ ମିଶିବାର ଚର୍ଚ୍ଚା ହେଉଥିଲା । କିନ୍ତୁ ଆଜି ରାତି ପ୍ରାୟ 7ଟା 50ରେ ଦିଲ୍ଲୀପ ରାୟ ନବୀନ ନିବାସ ଯାଇଛନ୍ତି । ଆସନ୍ତାକାଲି ସେ ବିଧିବଦ୍ଧ ଭାବେ ବିଜେଡିରେ ମିଶିବେ ବୋଲି ଚର୍ଚ୍ଚା ହେଉଛି ।

ଦିଲ୍ଲୀପ ବିଜେଡିରେ ଯୋଗ ଦେବା ପରେ ଦଳର ନିଶ୍ଚିତ ଭାବେ ଶକ୍ତି ବୃଦ୍ଧି ହେବ । ବିଜେଡି ଗଠନରେ ଏକ ପ୍ରମୁଖ ଭୁମିକା ନେଇଥିବା ଦିଲ୍ଲୀପ ରାୟ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କିମ୍ବଦନ୍ତିପୁରୁଷ ବିଜୁ ପଟ୍ଟାନାୟକ ଏକାନ୍ତ ଅନୁଗତ ଥିଲେ । କିନ୍ତୁ ପରିବର୍ତ୍ତିତ ରାଜନୈତିକ ଦୃଶ୍ୟପଟରେ ସେ ବିଜେଡି ଛାଡିଥିଲେ ।

1982ରେ ରାଉଲକେଲା ବିଜ୍ଞପିତ ପରିଷଦର ଅଧ୍ୟକ୍ଷ ଭାବେ ଦିଲ୍ଲୀପ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ପରେ ରାଉଲକେଲା ବିଧାନସଭା କ୍ଷେତ୍ରରୁ 1985 ଓ 90ରେ କ୍ରମାଗତ ଭାବେ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ବିଜୁ ବାବୁଙ୍କ ମୁଖ୍ୟମନ୍ତ୍ରୀତ୍ବ କାଳରେ ସେ 5ବର୍ଷ କାଳ ଶିଳ୍ପ ମନ୍ତ୍ରୀ ଥିଲେ । ସେ 1996 ଓ 2002ରେ ଦୁଇ ଥର ରାଜ୍ୟ ସଭାକୁ ମନୋନିତ ହୋଇଛନ୍ତି । ସେ 2014ରେ ବିଜେପି ପ୍ରାର୍ଥୀ ଭାବେ ରାଉଲକେଲା ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ ।

କିନ୍ତୁ ରାଉଲକେଲାର ଦୁଇଟି ପ୍ରମୁଖ ଦାବି ବ୍ରାହ୍ମଣୀ ନଦୀ ଉପରେ ଦ୍ବିତୀୟ ସେତୁ ନିର୍ମାଣ ଏବଂ ରାଉଲକେଲା ଇସ୍ପାତ ଜେନେରାଲ ହସପିଟାଲକୁ ସୁପର ସ୍ପେଶିଆଲିଟି ହସପିଟାଲରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିଶୃତି କାର୍ଯ୍ୟକାରୀ ହୋଇନଥିଲା । ଏହାକୁ ନେଇ ସେ ବାରମ୍ବାର ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ବିଫଳ ହୋଇଥିଲେ । କେନ୍ଦ୍ରର ବିଜେପି ନେତୃତ୍ବାଧୀନ ସରକାରର କାର୍ଯ୍ୟାକାରିତା ଉପରେ ଅସନ୍ତୋଷ ପ୍ରକାଶ କରି ସେ ବିଜେପି ଓ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

twenty + fourteen =