Friday, October 30, 2026
Latestରାଜନୀତି

ଲେଖାଶ୍ରୀଙ୍କ ବିବାଦୀୟ ମନ୍ତବ୍ୟକୁ ସବୁ ମହଲରୁ ନିନ୍ଦା, କ୍ୟାପିଟାଲ ଥାନାରେ ମାମଲା

ଭୁବନେଶ୍ବର () ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ପୁରୀ ସମ୍ପର୍କିତ ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏପରିକି ବିଭିନ୍ନ ସ୍ଥାନରେ ପୋଡାଜଳା ହେବା ସହ ତାଙ୍କ ନାମରେ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି ।

ଲେଖାଶ୍ରୀଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଓଡିଶା ମୋ ପରିବାର ଆବାହକ ଅରୁପ ପଟ୍ଟନାୟକ । ସେ କହିଛନ୍ତି, ମୋ ଜନ୍ମ ପୁରୀ ଡେଲାଙ୍ଗରେ । ରାଜ୍ୟ ବାହାରେ ମୁଁ ପୁରୀରୁ ଆସିଛି କହିଲେ ଲୋକ ଚିହ୍ନନ୍ତି । ମୁଁ କ୍ଷୁବ୍ଧ ସେ ନିର୍ବୋଧ ବାଚାଳ ଅହଙ୍କାରୀ ଭଦ୍ର ମହିଳା ଲେଖାଶ୍ରୀଙ୍କ ପାଇଁ । ଏଭଳି ମନ୍ତବ୍ୟ ନିନ୍ଦନୀୟ । ଓଡ଼ିଶା ବୋଲି ଏଠି ସବୁ ସହି ଯାଉଛନ୍ତି । ମହାରାଷ୍ଟ୍ର ହୋଇଥିଲେ ଲୋକଙ୍କ ଭିତରେ ତାର ପ୍ରଭାବ ଏତେବେଳକୁ ଦେଖିବାକୁ ମିଳିସାରନ୍ତାଣୀ । ଏହା ନିର୍ବୋଧ, ବାଚାଳ ଓ ଅହଂକାରୀର ପରିଚୟ । ଲେଖାଶ୍ରୀ କଳାପାହାଡ଼ ଭଗିନୀ ଭଳି ବ୍ୟବହାର କରୁଛନ୍ତି । ଏହା ଦାୟିତ୍ବହୀନ ମନ୍ତବ୍ୟ । ଜଗନ୍ନାଥଙ୍କ ବିନା ପୁରୀ ଓ ଓଡ଼ିଶାର ଅସ୍ତିତ୍ୱ ନାହିଁ । ମୁଁ ଅନୁଭବ କରୁଛି ଲେଖାଶ୍ରୀଙ୍କ ମନ୍ତବ୍ୟ ବିଜେପିର ଅନୁମୋଦିତ ନୁହେଁ । ପାର୍ଟି ପଲିଟିକ୍ସ ଉପରକୁ ଯାଇ ବିଚାର କରାଯିବା ଉଚିତ । କେବଳ ଲେଖାଶ୍ରୀ ନୁହେଁ, ଅଭିଜିତ ଆୟର ମିତ୍ର ମଧ୍ୟ ଓଡ଼ିଶା ଉପରେ ବି ଏପରି ମନ୍ତବ୍ୟ ଦେଇଛନ୍ତି । ସମ୍ବିତ ପାତ୍ର କେଉଁଠିକା ବାସିନ୍ଦା ଜଣାନାହିଁ । ତାଙ୍କ ପାଇଁ ପୁରୀ ପରିଚିତ କହିବା ଠିକ ନୁହେଁ ।

ସେହିଭଳି ଲେଖାଶ୍ରୀଙ୍କ ବିବାଦୀୟ ମନ୍ତବ୍ୟ ଉପରେ ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲିକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏହା ତାଙ୍କର ନିର୍ବୋଧତା । ପ୍ରଭୁ ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ ଦେଇଛି । ପୁରୀ କହିଲେ ଶ୍ରୀଜଗନ୍ନାଥଙ୍କୁ ବୁଝାଏ । ଶ୍ରୀଜଗନ୍ନାଥଙ୍କୁ କୌଣସି ନେତାଙ୍କ ସହ ତୁଳନା କରିବା ନିର୍ବୋଧତା । ଲେଖାଶ୍ରୀଙ୍କ ଉଦେଶ୍ୟ ହେଉଛି ନେତାଙ୍କୁ ତେଲ ମାରିବ ଓ ପଦ ପଦବୀ ପାଇବା । ପୁରୀବାସୀଙ୍କୁ ଅପମାନିତ କରିବା ।

ବିଜେଡି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ ମଧ୍ୟ ଏଭଳି ମନ୍ତବ୍ୟକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି “ମୋ ଅନୁଭବରୁ କହୁଛି ମୋତେ ଯେତେବେଳେ  ବାହାରେ ପଚାରୁଥିଲି ଓଡିଶା କେଉଁଠି  ସେତେବେଳେ ଜଗନ୍ନାଥଧାମ ପୁରୀର ପରିଚୟ ଦେଉଥିଲି । ପରେ ଲୋକେ ଜାଣିପାରୁଥିଲେ । ଏବେ କେମିତି ସମ୍ବିତ ନୂଆ ପରିଚୟ ଦେଲେ ମୁଁ ଜାଣିପାରୁନାହିଁ ।ଏଭଳି  ଶସ୍ତା ମନ୍ତବ୍ୟ ଲେଖାଶ୍ରୀ ମାଡାମ ଦିଅନ୍ତୁ ନାହିଁ “।

ସେପଟେ ପୁରୀକୁ ନେଇ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ କ୍ୟାପିଟାଲ ଥାନାରେ ଏତଲା। ଭାରତୀୟ ଭାଷା ଆପଣାନ୍ତ ଅଭିଯାନ ପକ୍ଷରୁ ଏତଲା ଦିଆଯାଇଛି। ରାଜ୍ୟବାସୀ ଏବଂ ଶ୍ରୀଜଗନ୍ନାଥଙ୍କ ପ୍ରତି ଲେଖାଶ୍ରୀ ଯେଉଁ ଅପମାନ ସୂଚକ ମନ୍ତବ୍ୟ ଦେଇଛନ୍ତି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ଏହାସହ ଲେଖାଶ୍ରୀ ତୁରନ୍ତ ଯାଇ ବଡ଼ଦାଣ୍ଡରେ ମହାପ୍ରଭୁ ଜଗନ୍ନାଥ ଏବଂ ରାଜାବାସୀଙ୍କୁ  କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଅଭିଯାନ ପକ୍ଷରୁ ଦାବି କରାଯାଇଛି।

Share

Leave a Reply

Your email address will not be published. Required fields are marked *

6 + twenty =