ବିଜେଡି ହେବ ପରିବର୍ତ୍ତନର ବାର୍ତ୍ତାବହ

ଭୁବନେଶ୍ୱର (): ପଞ୍ଚମ ପାଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ବିକାଶ ପାଇଁ ପରିବର୍ତ୍ତନର ଆହ୍ୱାନ ଦେଇଛନ୍ତି । ଏଥିପାଇଁ ସେ ପ୍ରଶାସନିକସ୍ତରରୁ ଆରମ୍ଭ କରି ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ୫-ଟିକୁ ଗୁରୁତ୍ୱ ଦେଉଛନ୍ତି । ସାଧାରଣ ଲୋକେ କିଭଳି ସରକାରୀ ସେବାର ସୁଯୋଗ ପାଇବେ ସେ ନେଇ ବିଜେଡି ଏଜେଣ୍ଟ ଭାବେ କାମ କରିବାକୁ ଆଜି ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟମନ୍ତ୍ରୀ ସବୁ ନେତା ଓ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି ।

ସେ କହିଛନ୍ତି ଯେ, ରାଜ୍ୟର ସାଢେ ୪ କୋଟି ଜନତା ବିଜେଡି ଦଳକୁ ଆଶୀର୍ବାଦ କରିଥିବାରୁ ସେ ତାଙ୍କ ପାଖରେ ଋଣୀ । ଲକ୍ଷ ଲକ୍ଷ କର୍ମୀଙ୍କ ତ୍ୟାଗ ଓ ପରିଶ୍ରମ ଯୋଗୁଁ ବିଜେଡି ତା’ର ବିଜୟ ଧାରା ଜାରି ରଖିଛି । ନିର୍ବାଚନରେ ଭଲ ପ୍ରଦର୍ଶନ କରିଛି । ସାଧାରଣ ଲୋକେ ଆମର ସବୁ କାର୍ଯ୍ୟକ୍ରମର କେନ୍ଦ୍ର ବିନ୍ଦୁ । ଲୋକଙ୍କୁ ତାଙ୍କର ହକ୍ ଦେବା ପାଇଁ ୫-ଟି ମନ୍ତ୍ର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ କହିଛନ୍ତି ।

ଏଥିସହ ସେ କହିଛନ୍ତି ଯେ, “ମୁଁ ଆଶା କରୁଛି ଆପଣମାନେ ପରିବର୍ତ୍ତନର ଏଜେଣ୍ଟ ସାଜିବେ ଏବଂ ସାଧାରଣ ଲୋକଙ୍କ ଜୀବନରେ ଉତ୍ସାହ ଓ ଆତ୍ମସନ୍ତୋଷ ଆଣିବାରେ ସାହାଯ୍ୟ କରିବେ । ମୁଁ ଚାହୁଁଛି ଲୋକେ ଆମର କାର୍ଯ୍ୟକ୍ରମ ଓ ଆଭିମୁଖ୍ୟ ପ୍ରତି ରହିଥିବା ନିଷ୍ଠାକୁ ଚିହ୍ନିବେ ।”

ସେହିପରି ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ଜୟନ୍ତୀ ସମାରୋହ ବେଳେ ଗାନ୍ଧୀଜୀ ବିଚାରଧାରା ଓ ଆଦର୍ଶର ଆଜି ମଧ୍ୟ ପ୍ରାସଙ୍ଗିକତା ରହିଛି । ଗାନ୍ଧିଜୀଙ୍କ ମୂଲ୍ୟବୋଧ ଓ ଦର୍ଶନର ପ୍ରଚାର ପାଇଁ ବିଜେଡିର ନେତା ଓ କର୍ମୀମାନେ ବିଭିନ୍ନ ଗାନ୍ଧୀବାଦୀ ସଂସ୍ଥା ସହ ମିଶି ଏହି ମହତକାର୍ଯ୍ୟକୁ ଆଗେଇନେବାକୁ ସେ ଆହ୍ୱାନ କରିଛନ୍ତି ।

ଏଥିସହିତ ଜୀବନବିନ୍ଦୁ ବିଜେଡିର ଏକ ଲୋକପ୍ରିୟ କାର୍ଯ୍ୟକ୍ରମ । ଆଜି ସାରା ରାଜ୍ୟରେ ଏହାଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ରକ୍ତଦାନ ଭଳି ମହତ କାର୍ଯ୍ୟକୁ ଆଗେଇ ନେବାକୁ ହେବ ।

ଆସନ୍ତାକାଲିଠାରୁ ଦଳର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେଉଛି । ଏହା ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ଦଳର ସବୁ ନେତା ଓ କର୍ମୀ ସକ୍ରିୟ ଭାବରେ ସାମିଲ ହୋଇ ତୃଣମୂଳସ୍ତରର କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କୁ ସାଥିରେ ଧରି ଘରେ ଘରେ ପହଞ୍ôଚବାକୁ ସେ ପରାମର୍ଶ ଦେଇଛନ୍ତି । ପ୍ରତି ୧୫ ଦିନରେ ଥରେ ନବୀନ ସଭ୍ୟ ସଂଗ୍ରହ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିବେ ।

Share

Leave a Reply

Your email address will not be published. Required fields are marked *

8 − 3 =