ଅକ୍ଟୋବର 21ରେ ବିଜେପୁର ଉପନିର୍ବାଚନ, 24ରେ ଗଣତି

ନୂଆଦିଲ୍ଲୀ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଲା । ବିଜେପୁର ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ବରଗଡ଼ ଲୋକସଭା ଆସନ ଅନ୍ତର୍ଗତ ବିଜେପୁର ବିଧାନସଭା ଆସନ ପାଇଁ ଅକ୍ଟୋବର 21 ତାରିଖରେ ଭୋଟ ଗ୍ରହଣ ହେବ । ୨୦୧୯ ସାଧାରଣ ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମର ହିଞ୍ଜିଳି ସହିତ ବରଗଡ଼ର ବିଜେପୁର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ଉଭୟ ଆସନରୁ ଜିତିବା ପରେ ସେ ବିଜେପୁର ଆସନ ଛାଡ଼ି ଦେବା ପରେ ଏହି ଆସନଟି ରିକ୍ତ ହୋଇଥିଲା।

ମୁଖ୍ୟ ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ବିଜେପୁର ଉପ-ନିର୍ବାଚନ ପାଇଁ ସେପ୍ଟେମ୍ବର ୨୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ସେପ୍ଟେମ୍ବର ୩୦ ତାରିଖ ପ୍ରାର୍ଥିପତ୍ର ଦାଖଲ କରିବାର ଶେଷ ତାରିଖ ହେବ। ଅକ୍ଟୋବର ୧ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ଅକ୍ଟୋବର ୩ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ହେବ। ୨୧ରେ ଭୋଟ ହେବ ଓ ୨୪ ତାରିଖରେ ଭୋଟ ଗଣତି ହେବ।

ବିଜେପୁର ସହ ଅରୁଣାଚଳପ୍ରଦେଶର ଗୋଟିଏ, ଆସାମର 4ଟି, ବିହାରର 5ଟି ବିଧାନସଭା ଓ ଗୋଟିଏ ସାଂସଦ, ଛତିଶଗଡର ଗୋଟିଏ, ଗୁଜୁରାଟର 4, ହିମାଚଳପ୍ରଦେଶର 2ଟି, କର୍ଣ୍ଣାଟକର 15ଟି, କେରଳର 5ଟି, ମଧ୍ୟପ୍ରଦେଶର ଗୋଟିଏ, ମେଘାଳୟରେ ଗୋଟିଏ, ପୁଡୁଚେରୀରେ ଗୋଟିଏ, ପଂଜାବର 4ଟି, ରାଜସ୍ଥାନର 2ଟି, ସିକିମର 3ଟି, ତାମିଲନାଡୁର 2ଟି, ତେଲେଙ୍ଗାନାର ଗୋଟିଏ ଓ ଉତ୍ତରପ୍ରଦେଶର 11ଟି ବିଧାନସଭାରେ ଉପନିର୍ବାଚନ ହେବ ।

ଏଥିସହିତ ହରିଆନା ଓ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ଆଜି ବିଗୁଲ ବାଜିଛି। ଦେଶର ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ଆଜି ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଅକ୍ଟୋବର ୨୧ ତାରିଖରେ ଏହି ଦୁଇ ରାଜ୍ୟରେ ଭୋଟ ଗ୍ରହଣ ହେବ ଓ ୨୪ ତାରିଖରେ ଭୋଟ ଗଣତି ହେବ। ଏହା ସହିତ ଏହି ଦୁଇ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯାଇଛି। ସୂଚନାଯୋଗ୍ୟ, ନଭେମ୍ବର ୨ରେ ହରିଆନା ଏବଂ ନଭେମ୍ବର ୯ରେ ମହାରାଷ୍ଟ୍ର ବିଧାନସଭା କାର୍ଯ୍ୟକାଳ ଶେଷ ହେଉଛି। ହରିଆନର 90 ଓ ମହାରାଷ୍ଟ୍ର 288ଟି ଆସନ ପାଇଁ ଭୋଟ ଗ୍ରହଣ ହେବ ।

ଏହି ଦୁଇ ରାଜ୍ୟର ବିଧାନସଭା ନିର୍ବାଚନ ସହିତ ଅନ୍ୟ ରାଜ୍ୟଗୁଡ଼ିକରେ ୬୪ଟି ବିଧାନସଭା ଆସନ ପାଇଁ ଅକ୍ଟୋବର ୨୧ ତାରିଖରେ ଉପ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ମହାରାଷ୍ଟ୍ର ଓ ହରିଆଣାରେ ବିଧାନସଭା ନିର୍ବାଚନ ପାଇଁ ସେପ୍ଟେମ୍ବର ୨୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ପ୍ରାର୍ଥିପତ୍ର ଦାଖଲ କରିବାର ଅନ୍ତିମ ତାରିଖ ଅକ୍ଟୋବର ୪ ତାରିଖକୁ ସ୍ଥିର କରାଯାଇଛି। ଅକ୍ଟୋବର ୫ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ଅକ୍ଟୋବର ୭ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ। ୧୯ ତାରିଖରେ ପ୍ରଚାର ଶେଷ ହେବ।

ନିର୍ବାଚନରେ ଭାଗ ନେବାକୁ ଥିବା ପ୍ରାର୍ଥୀ ସମସ୍ତ ଅସ୍ତ୍ରଶସ୍ତ୍ର ସମର୍ପଣ କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ନିର୍ବାଚନ ବେଳେ ସୋଶାଲ ମିଡିଆ ଉପରେ ମଧ୍ୟ କଡ଼ା ନଜର ରଖାଯିବ ବୋଲି ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି। ତେବେ ଝାଡ଼ଖଣ୍ଡ ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇନାହିଁ। ଡିସେମ୍ବରରେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି।

Share

Leave a Reply

Your email address will not be published. Required fields are marked *

20 + thirteen =