ସରିଲା ମତଦାନ, ଆରମ୍ଭ ହେଲା ଆସ୍ଥା ଓ ବିଶ୍ୱାସର ଗଣିତ

ଭୁବନେଶ୍ବର () ଚାରୋଟି ପର୍ଯ୍ୟାୟରେ ସରିଲା 2019 ନିର୍ବାଚନ ମହାକୁମ୍ଭ ପାଇଁ ମତଦାନ । ଏହି ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା 1311 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି । କିଏ ଜିତିବ, କିଏ ହାରିବ, କାହା ମୁଣ୍ଡରେ ହାତୀ ଢାଳିଛି ସୁନା କଳସ, କାହା ଉପରେ ଭୋଟ ପ୍ରକଟ କରିଛନ୍ତି ଆସ୍ଥା ଏସବୁ ପ୍ରଶ୍ନର ସ୍ପଷ୍ଟ ଉତ୍ତର ଆସନ୍ତା ମେ 2 ତାରିଖରେ ଜଣାପଡିବ । ହେଲେ ଆଜି ମତଦାନ ଶେଷ ହେବା ପରଠାରୁ ତିନି ଦଳରେ ଆରମ୍ଭ ହୋଇଯାଇଛି ଅଙ୍କ କଷା ।

ଏହି ନିର୍ବାଚନରେ 147 ବିଧାନସଭା ପାଇଁ ମୋଟ 1137 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିଲେ । କେବଳ ପାଟକୁରା ବିଧାନସଭା ଆସନକୁ ଛାଡି ଅନ୍ୟ ସମସ୍ତ 146ଟି ଆସନରେ ଭୋଟ ଗ୍ରହଣ ଶେଷ ହୋଇଛି । ରାଜନୈତିକ ବୟାନବାଜୀ, ଆକ୍ଷେପ ପ୍ରତିଆକ୍ଷେପ, ସରକାର ଗଠନର ଦମ୍ଭୋକ୍ତି ଏବଂ ଭୋଟରଙ୍କୁ ଲୋଭନୀୟ ପ୍ରତିଶ୍ରୁତି ମଧ୍ୟରେ ପ୍ରାର୍ଥୀ ଓ ଦଳମାନେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଛନ୍ତି । ବିଜେଡି ଆସ୍ଥା, ବିଶ୍ବାସ, ସ୍ବଚ୍ଛତା ଓ ବିକାଶର ମନ୍ତ୍ର ନେଇ ଲୋକଙ୍କ ପାଖକୁ ଯାଇଥିଲା ବେଳେ ବିଜେପି ପରିବର୍ତ୍ତନର ନାରା ଦେଇ ମିଶନ 120 ପ୍ଲସ ଲକ୍ଷ ହାସଲ ପାଇଁ ପୂରା ଦମରେ ଲାଗିଥିଲା । ସେପଟେ ଭୋଟ ଗ୍ରହଣର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ କନ୍ଦଳରୁ ମୁକୁଳିପାରିନଥିବା କଂଗ୍ରେସ 19 ବର୍ଷ ପରେ ସରକାରକୁ ଫେରିବାର ସ୍ବପ୍ନ ପୂରଣ ପାଇଁ ଅଣ୍ଟା ଭିଡିଥିଲା ।

2000 ମସିହାରୁ 2019 ପର୍ଯ୍ୟନ୍ତ କ୍ରମାଗତ ଭାବେ ଓଡିଶାରେ ସରକାର ଗଠନ କରିଥିବା ବିଜେଡି ପ୍ରତି ନିର୍ବାଚନରେ ଲୋକଙ୍କ ଅଧିକ ବିଶ୍ବାସଭାଜନ ଓ ନିକଟତର ହେଉଥିଲା । ଏପରିକି ଦଳର ଭୋଟ ହାର ମଧ୍ୟ ବୃଦ୍ଧି ପାଉଥିଲା । ହେଲେ 2017 ପଂଚାୟତ ନିର୍ବାଚନ ଫଳାଫଳରେ ଉତ୍ଫୁଲିତ ବିଜେପି ମିଶନ 120 ପ୍ଲସର ନାରା ଦେଇଥିଲା ।

ପଂଚାୟତ ନିର୍ବାଚନର ଫଳାଫଳ 2019 ସାଧାରଣ ନିର୍ବାଚନରେ ମଧ୍ୟ ପ୍ରତିଫଳିତ ହେବ ବୋଲି ଆଶା କରି ପୂର୍ବ ଭାରତରେ ଓଡିଶାକୁ ପ୍ରୟୋଗଶାଳା କରିଥିଲେ । ନିୟମିତ ବ୍ୟବଧାନରେ କେନ୍ଦ୍ରୀୟ ନେତା, ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆସି ବିଜେପିର ଉଜୁଡା ସଂଗଠନକୁ ସଜାଡିବାକୁ ଚେଷ୍ଟା କରିଥିଲେ । ଏପରିକି ନିର୍ବାଚନ ଘୋଷଣା ହେବା ପରେ ମାସକ ମଧ୍ୟରେ ପ୍ରଧାନମନ୍ତ୍ରୀ 10 ଥର ଓଡିଶା ଆସିଛନ୍ତି । ହେଲେ ଗତ 5 ବର୍ଷ ମଧ୍ୟରେ ଓଡିଶାରେ ବାତ୍ୟା, ବନ୍ୟା, ମରୁଡି ଆଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିନ୍ତୁ ତାଙ୍କର ଦେଖା ମିଳିନଥିଲା । ଓଡିଶା ପ୍ରତି କେନ୍ଦ୍ରର ଏହି ମନୋଭାବ ନିର୍ବାଚନ ପ୍ରଚାର ସମୟରେ ମଧ୍ୟ ପ୍ରତିଫଳିତ ହୋଇଥିବା ବେଳେ ଅନେକ ସ୍ଥାନରେ ବିଜେପି ପ୍ରାର୍ଥୀଙ୍କୁ ଏହି ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡିଥିଲା । 2014ରେ 10 ବିଧାୟକରୁ 2019ରେ 120 ବିଧାୟକର ସ୍ବପ୍ନ ଦେଖୁଥିବା ଏହି ଜାତୀୟ ଦଳ ନିର୍ବାଚନ ସମୟରେ ପ୍ରାର୍ଥୀ ସଙ୍କଟରେ ପଡିଥିଲା । ବିଜେଡିର ଅସନ୍ତୁଷ୍ଟଙ୍କୁ ଭରସା କରି ବାଜି ଜିତିବାକୁ ଚେଷ୍ଟା କରିଥିଲା ବିଜେପି । ସେମାନଙ୍କ ମଧ୍ୟରେ ପ୍ରମୁଖ ହେଉଛନ୍ତି ବୈଜୟନ୍ତ ପଣ୍ଡା, ରଘୁନାଥ ମହାନ୍ତି, ଦାମୋଦର ରାଉତ, ବାବୁ ସିଂହ, ସୁକାନ୍ତ ନାୟକ, ଅଲେଖ ଜେନା ପ୍ରମୁଖ ।

ସେପଟେ କଂଗ୍ରେସ ନିର୍ବାଚନର ପ୍ରାୟ 10 ମାସ ପୂର୍ବରୁ ନେତୃତ୍ବ ପରିବର୍ତ୍ତନ କରି ନିରଂଜନ ପଟ୍ଟନାୟକଙ୍କ ହାତରେ ରାଜ୍ୟ କଂଗ୍ରେସ ମଙ୍ଗ ଧରାଇଥିଲା । ହେଲେ ଯେଉଁ ବିଧାୟକ ଓ ନେତାମାନେ ନିରଂଜନଙ୍କ ପାଇଁ ଲବି କରି ସଭାପତି ପଦରୁ ପ୍ରସାଦ ହରିଚନ୍ଦନଙ୍କୁ ହଟାଇବାକୁ ଦାବି କରୁଥିଲେ ସେଇମାନେ ହିଁ ତାଙ୍କ ବିରୋଧୀ ପାଲଟିଗଲେ । ନିରଂଜନ ଦଳୀୟ ଟିକେଟ ଚୁଡାନ୍ତ କରୁଥିବା ବେଳେ ନବ ଦାସ, ଯୋଗେଶ ସିଂହ, ଦୁଷ୍ମନ୍ତ ନାୟକ, ପ୍ରକାଶ ବେହେରା ପ୍ରମୁଖ କଂଗ୍ରେସ ଛାଡି ଅନ୍ୟ ଦଳରୁ ପ୍ରାର୍ଥୀ ହେଲେ । ଯେଉଁମାନେ ନିରଂଜନଙ୍କ ସହ କଂଗ୍ରେସରେ ରହିଗଲେ, ସେମାନେ ବି ନିଜ ଦମରେ ନିର୍ବାଚନ ମୈଦାନକୁ ଓହ୍ଲାଇଲେ । ଅନେକ ସମୟରେ ଦଳର ପ୍ରାର୍ଥୀମାନେ ସଭାପତିଙ୍କ ଅସହଯୋଗ ଏବଂ କାର୍ଯ୍ୟକାରୀ ସଭାପତିଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ସ୍ବର ଉଠାଇଥିଲେ । ଏଭଳିସ୍ଥିତିରେ କଂଗ୍ରେସ ଯେ ଏଥର ପୁଣି ଥରେ ବିରୋଧୀ ଦଳ ମାନ୍ୟତାରୁ ଉର୍ଦ୍ଧ୍ବକୁ ଉଠି ସରକାର ଗଠନ କରିପାରିବ ସେ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ ।

ସେପଟେ ବିଜେଡି 2019 ନିର୍ବାଚନକୁ ଅତି ଯୋଜନାବଦ୍ଧ ଭାବେ ଲଢିଥିଲା । ପଂଚାୟତ ନିର୍ବାଚନରେ ତୀବ୍ର ଅସନ୍ତୋଷ ଓ ବିଫଳତାର ସମ୍ମୁଖୀନ ହୋଇଥିବା ନେତା ଏବଂ ଦୁର୍ନୀତିର ଛିଟା ଲାଗିଥିବା ନେତାଙ୍କ ଟିକେଟ କାଟି ନବୀନ ନିଜ ଭାବମୂର୍ତ୍ତୀକୁ ପୂର୍ବବତ ସ୍ବଚ୍ଛ ରଖିଥିଲେ । ତାଙ୍କ ସ୍ବାସ୍ଥ୍ୟ ଏବଂ ପାରିବାପଣିଆକୁ ନେଇ ବିରୋଧୀ ବାରମ୍ବାର ଉଠାଇଥିବା ଅଭିଯୋଗର ମଧ୍ୟ ଜବାବ ରଖିଥିଲେ । ମୋଦିଙ୍କୁ ଶାଣିତ ଆକ୍ରମଣ ସହ ଓଡିଶା ପ୍ରତି କେନ୍ଦ୍ରୀୟ ଅବିଚାର ଓ ବୈମାତୃକ ମନୋଭାବର ପେଡି ଖୋଲିଦେଇଥିଲେ । ମହିଳା ସଶକ୍ତିକରଣରେ 33 ପ୍ରତିଶତ ସଂରକ୍ଷଣର ଅଭିଯାନ ଆରମ୍ଭ କରିଥିବା ନବୀନ ଲୋକସଭାରେ 33 ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିଥିଲେ । କଂଗ୍ରେସ ଓ ବିଜେପି 33 ପ୍ରତିଶତ ସଂରକ୍ଷଣ ସପକ୍ଷରେ କହୁଥିଲେ ବି କାର୍ଯ୍ୟରେ ତାହା ପ୍ରତିଫଳିତ ହେଲାନାହିଁ । ସ୍ବୟଂ ସହାୟକ ଗୋଷ୍ଠିର ସଶକ୍ତିକରଣରେ ଜଣେ ମହିଳା ସ୍ବୟଂ ସହାୟିକାଙ୍କୁ ଲୋକସଭା ପ୍ରାର୍ଥୀ କରି ନୂଆ ଟ୍ରେଣ୍ଡ ସୃଷ୍ଟି କରିଛନ୍ତି ନବୀନ । ନିଜେ ଗତ ପ୍ରାୟ ମାସକର ପ୍ରଚାରରେ 145ଟି ବିଧାନସଭା କ୍ଷେତ୍ରକୁ ଗସ୍ତ କରି ନିର୍ବାଚନୀ ସଭା ଓ ରୋଡ ସୋ କରିଛନ୍ତି । ହାଇଟେକ ବସରେ ହାଇଟେକ ପ୍ରଚାର ସମୟରେ ରାଜ୍ୟରେ ନବୀନ କ୍ରେଜର ଝଲକ ପୁଣି ଥରେ ଦେଖିବାକୁ ମିଳିଥିଲା । ଏହି ନିର୍ବାଚନ ଲଢେଇରେ ଏକା ନବୀନ ବିଜେପିର ମୋଦି-ଶାହାଙ୍କ ଦୁଇ ଡର୍ଜନରୁ ଅଧିକ କେନ୍ଦ୍ରମନ୍ତ୍ରୀ ଓ କଂଗ୍ରେସର ରାହୁଲ-ନିରଂଜନ ଟିମକୁ ଟକ୍କର ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

10 − 5 =