ଇଭି ଆନସିଲାରି କ୍ଲଷ୍ଟର ସ୍ଥାପନ ପାଇଁ ୱାର୍ଡୱିଜାର୍ଡ ପକ୍ଷରୁ ଗୁଜରାଟ ସରକାରଙ୍କ ସହ ଏମ୍‌ଓୟୁ ସ୍ୱାକ୍ଷରିତ

୨୦୦୦ କୋଟି ଟଙ୍କା ନିବେଶ କରିବ, ୫୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ
ଭୁବନେଶ୍ୱର: ଜୟ ଇ-ବାଇକ୍ ବ୍ରାଣ୍ଡ୍ ନାମରେ ଇଲେକ୍ଟ୍ରିକ୍ ଯାନ ନିର୍ମାଣ କରୁଥିବା ଅଗ୍ରଣୀ ସଂସ୍ଥା ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍ ପକ୍ଷରୁ ୨୦୨୪ ସୁଦ୍ଧା ଇଲେକ୍ଟ୍ରିକ୍ ଯାନ ଆନୁଷଙ୍ଗିକ କ୍ଲଷ୍ଟର ସ୍ଥାପନ କରିବାରେ ୨୦୦୦ କୋଟି ଟଙ୍କା ନିବେଶ କରିବା ଲାଗି ଗୁଜରାଟ ସରକାରଙ୍କ ସହ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର କରାଯାଇଛି । ଏହି ବୁଝାମଣା ଇଲେକ୍ଟ୍ରିକ୍ ଯାନ ଶିଳ୍ପର ଅଭିବୃଦ୍ଧିକୁ ସୁଦୃଢ଼ କରିବ ଏବଂ ରାଜ୍ୟରେ ସବୁଜ ଗମନାଗମନରେ ଉନ୍ନତି ଆଣିବା ଲାଗି ରାଜ୍ୟ ସରକାର ରଖିଥିବା ଲକ୍ଷ୍ୟକୁ ସାକାର କରିବ ।
ଗାନ୍ଧୀନଗରରେ ଅନୁଷ୍ଠିତ ଭାଇବ୍ରାଂଟ୍ ଗୁଜରାଟ ନିବେଶକ ସମ୍ମିଳନୀ ଅବସରରେ ଏହି ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା । ଗୁଜରାଟ ସରକାରଙ୍କ ଶିଳ୍ପ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ଏସ୍ ଜେ ହାଇଦର ଓ ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟିର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ୟତିନ୍ ସଂଜୟ ଗୁପ୍ତେଙ୍କ ମଧ୍ୟରେ ଏହି ବୁଝାମଣା ସ୍ୱାକ୍ଷର ହୋଇଛି । ଏହି ଅବସରରେ ଗୁଜରାଟ ସରକାରଙ୍କ ବହୁ ବରିଷ୍ଠ ପଦାଧିକାରୀ ଏବଂ କଂପାନି ଅଧିକାରୀ ଉପସ୍ଥିତ ଥିଲେ ।
ବୁଝାମଣା ଅନୁସାରେ ୱାର୍ଡୱିାଜାର୍ଡ ପକ୍ଷରୁ ଦୁଇ ଚକିଆ ଓ ତିନି ଚକିଆ ପାଇଁ ଗବେଷଣା ଓ ବିକାଶ କେନ୍ଦ୍ର ସ୍ଥାପନ କରିବା, ଭଦୋଦରା କାରଖାନାରେ ଏକ ମୋଟର ଆସେମ୍ବଲି ପ୍ରତିଷ୍ଠା କରିବା ଏବଂ କଂଚାମାଲ ଉତ୍ପାଦନ ଲାଗି ଲାଇ-ଆୟନ ବ୍ୟାଟେରି ଉତ୍ପାଦନ ଏବଂ ଆନୁଷଙ୍ଗିକ ଉତ୍ପାଦର ବିକାଶ ଦିଗରେ ୨୦୦୦ କୋଟି ଟଙ୍କାର ନିବେଶ କରାଯିବ । ଏହି ଅଭିଯାନ ଜରିଆରେ ରାଜ୍ୟରେ ୫୦୦୦ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ଏମ୍‌ଓୟୁ ସମ୍ପର୍କରେ ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟିର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ୟତିନ୍ ସଂଜୟ ଗୁପ୍ତେ କହିଛନ୍ତି ଯେ, “ଦ୍ରୁତ ସହଯୋଗ ପାଇଁ ଆମେ ଗୁଜରାଟ ସରକାରଙ୍କୁ କୃତଜ୍ଞତା ଜଣାଉଛୁ । ରୁପାନ୍ତରୀତ ସହଯୋଗିତା ଦ୍ୱାରା ଆଗକୁ ବଢ଼ିବା ଲାଗି ସରକାରଙ୍କ ରହିଥିବା ଲକ୍ଷ୍ୟ ସହ ଏହା ଖାପଖାଉଛି । ଇଲେକ୍ଟ୍ରିକ୍ ଗମନାଗମନ ଓ ମେକ୍ ଇନ୍ ଇଣ୍ଡିଆ ଅଭିଯାନ ପ୍ରତି ଆମ ପ୍ରତିବଦ୍ଧତାକୁ ଏହି ଏମ୍‌ଓୟୁ ଦୃଢ଼ କରୁଛି । ୨୦୦୦ କୋଟି ଟଙ୍କାର ଉଲ୍ଲେଖନୀୟ ନିବେଶ ସହ ଆମେ ସ୍ଥାନୀୟ ବ୍ୟବସ୍ଥା, ନିଯୁକ୍ତି ସୁଯୋଗ ସୃଷ୍ଟିକୁ ସୁଦୃଢ଼ କରିବା ସହ ଏକ ସବୁଜ ଓ ଆତ୍ମନିର୍ଭର ଭାରତ ଆଗକୁ ବଢ଼ାଇବୁ । ମେକ୍ ଇନ୍ ଇଣ୍ଡିଆ ପାଇଁ ଏହି ପ୍ରକଳ୍ପ ବେଶ ଗୁରୁତ୍ୱପୂର୍ଣ୍ଣ ଯାହା ଯୋଗାଣ ଶୃଙ୍ଖଳ ଚାପ କମ୍ କରିବ ଏବଂ ଆମଦାନି ନିର୍ଭରଶୀଳତା ହ୍ରାସ କରିବ, କାରଣ ଆମେ ଲିଥିୟମ ଆୟନ ସେଲ୍‌, ମୋଟର କଂଟ୍ରୋଲର, ଚାର୍ଜର ଆଦି ନିର୍ମାଣ କରିବାକୁ ପ୍ରସ୍ତୁତ ହେଉଛୁ ଏବଂ ପ୍ରଯୁକ୍ତି ଓ ନବସୃଜନରେ ନିବେଶ କରି ଆମର ଗବେଷଣା ଓ ବିକାଶ ଉଦ୍ୟମକୁ ସମ୍ପ୍ରସାରଣ କରିବୁ ଏବଂ ଆମର ମାର୍କେଟିଂ ଅଭିଯାନକୁ ବଢ଼ାଇବୁ ।’’

Share

Leave a Reply

Your email address will not be published. Required fields are marked *

17 − three =