ଟିପିସିଓଡିଏଲ୍‌କୁ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଦ୍ୱାରା ମିଳିଲା ଆଇସିଏସ୍‌ଆଇ ସିଏସ୍‌ଆର୍ ଏକ୍ସଲେନ୍ସ ଆୱାର୍ଡ: ଶ୍ରେଷ୍ଠ କର୍ପୋରେଟ୍‌- କ୍ଷୁଦ୍ର ଓ ଉଦୀୟମାନ ବର୍ଗରେ ଏହି ସମ୍ମାନ ପ୍ରଦାନ

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌)କୁ ଆଇସିଏସ୍‌ଆଇ ସିଏସ୍‌ଆର୍ ଏକ୍ସଲେନ୍ସ ଆୱାର୍ଡସ୍ ର ଅଷ୍ଟମ ସଂସ୍କରଣ ସମାରୋହରେ ‘ ଶ୍ରେଷ୍ଠ କର୍ପୋରେଟ୍‌-କ୍ଷୁଦ୍ର ଓ ଉଦୀୟମାନ ବର୍ଗ-୨୦୨୩ ’ ପୁରସ୍କାର ପ୍ରଦାନ କରାଯାଇଛି । ନୂଆଦିଲ୍ଲୀର ତାଜ୍ ପ୍ୟାଲେସ୍‌ରେ ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ ୨୦୨୪ ଜାନୁଆରି ୫ ତାରିଖ ସନ୍ଧ୍ୟାରେ ଟିପିସିଓଡିଏଲ୍‌କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି ।
ଭାରତ ସରକାରଙ୍କ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ପରିଚାଳିତ ହେଉଥିବା ଦି ଇନଷ୍ଟିଚ୍ୟୁଟ୍ ଅଫ୍ କଂପାନି ସେକ୍ରେଟାରିଜ୍ ଅଫ୍ ଇଣ୍ଡିଆ (ଆଇସିଏସ୍‌ଇ) ପକ୍ଷରୁ ସିଏସ୍‌ଆର୍ କ୍ଷେତ୍ର ପ୍ରତି ଉଲ୍ଲେଖନୀୟ ଯୋଗଦାନ ପାଇଁ ଟିପିସିଓଡିଏଲ୍‌କୁ ଏହି ମାନ୍ୟତା ପ୍ରଦାନ କରାଯାଇଛି । ଆଇସିଏସ୍‌ଆଇର ମାନ୍ୟତାପ୍ରାପ୍ତ (ସାର୍ଟିଫାଏଡ୍‌) ଅଡିଟରମାନଙ୍କ ଦ୍ୱାରା କ୍ଷେତ୍ର ଅନୁଧ୍ୟାନ କରାଯିବା ପରେ ଭାରତର ପୂର୍ବତନ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ମାନ୍ୟବର ଜଷ୍ଟିସ୍ ତିରଥ ସିଂହ ଠାକୁରଙ୍କ ନେତୃତ୍ୱାଧୀନ ବିଚାରକ ମଣ୍ଡଳୀ ତାହାକୁ ମାନ୍ୟତା ପ୍ରଦାନ କରିଥିଲେ ।
ଏହି ଭବ୍ୟ ପୁରସ୍କାର ସମାରୋହରେ ଲୋକସଭାର ମାନ୍ୟବର ବାଚସ୍ପତି ଶ୍ରୀ ଓମ୍ ବିର୍ଲା ଟିପିସିଓଡିଏଲ୍‌ର ଟିମ୍‌କୁ ପୁରସ୍କୃତ କରିଥିଲେ । ଏହି ସଫଳତା ହେଉଛି ଟିପିସିଓଡିଏଲ୍ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ଯାହା କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ଓ ଦୀର୍ଘସ୍ଥାୟୀତ୍ୱ ପ୍ରତି କଂପାନିର ପ୍ରତିବଦ୍ଧତାକୁ ଦର୍ଶାଉଛି ।
ଏହି ସଫଳତାରେ ଖୁସି ଜାହିର କରି ଟିପିସିଓଡିଏଲ୍‌ର ସିଇଓ ଅରବିନ୍ଦ ସିଂହ କହିଛନ୍ତି ଯେ, ‘ଶ୍ରେଷ୍ଠ କର୍ପୋରେଟ୍‌-କ୍ଷୁଦ୍ର ଓ ମଧ୍ୟମ ବର୍ଗ-୨୦୨୩’ ପୁରସ୍କାର ହେଉଛି ସମଗ୍ର ଟିପିସିଓଡିଏଲ୍ ଟିମ୍‌ର ସମର୍ପଣ ଓ କଠିନ ପରିଶ୍ରମର ପ୍ରମାଣ । କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ଲାଗି ଆମକୁ ମାନ୍ୟତା ପ୍ରଦାନ କରାଯାଇଥିବାରୁ ଆମେ ଗର୍ବିତ ଏବଂ ସମାଜରେ ଏକ ସକାରାତ୍ମକ ପ୍ରଭାବ ସୃଷ୍ଟି କରିବା ପାଇଁ ଆମ ଉଦ୍ୟମକୁ ଜାରି ରଖିବାରେ ଏହା ଆମକୁ ଅନୁପ୍ରାଣିତ କରିବ ।’’
ଏକ ଦାୟିତବାନ କର୍ପୋରେଟ୍ ନାଗରିକ ଭାବେ ରହିଥିବା ଲକ୍ଷ୍ୟ ପ୍ରତି ଟିପିସିଓଡିଏଲ୍ ପ୍ରତିବଦ୍ଧ ରହିଛି ଏବଂ ଏହାର କାର୍ଯ୍ୟକ୍ଷେତ୍ର ପାଖାପାଖି ସମୁଦାୟର କଲ୍ୟାଣ ପ୍ରତି ଯୋଗଦାନ ପ୍ରଦାନ କରୁଛି । ଶିଳ୍ପରେ ଅଗ୍ରଣୀ ଭାବେ ଟିପିସିଓଡିଏଲ୍‌ର ସ୍ଥିତିକୁ ଏହି ପୁରସ୍କାର ସୁଦୃଢ଼ କରିଛି ଏବଂ ସାମାଜିକ ବିକାଶ ଓ ଦୀର୍ଘସ୍ଥାୟୀ ଅଭ୍ୟାସ ପ୍ରତି ଏହାର ସମର୍ପଣ ଭାବକୁ ଦର୍ଶାଉଛି ।

Share

Leave a Reply

Your email address will not be published. Required fields are marked *

thirteen + 13 =