Business

ଏମଇଏଆଇ ଭୁବନେଶ୍ୱର-ସୁକିନ୍ଦା ଚାପ୍ଟରର ନୂତନ ଅଧ୍ୟକ୍ଷ ହେଲେ ଟାଟା ଷ୍ଟିଲ୍‌‌ର ସୁଶାନ୍ତ କୁମାର ମିଶ୍ର

ଭୁବନେଶ୍ୱର, ୦୪/୦୬/୨୦୨୬- ଟାଟା ଷ୍ଟିଲ୍‌‌ର ଫେରୋ ଆଲଏଜ୍ ଆଣ୍ଡ ମିନେରାଲ୍ସ ଡିଭିଜନ (ଏଫ୍‌ଏଏମ୍‌ଡି)ର ଏଗଜିକ୍ୟୁଟିଭ୍‌-ଇନ୍‌-ଚାର୍ଜ ସୁଶାନ୍ତ କୁମାର ମିଶ୍ର, ମାଇନିଂ ଇଞ୍ଜିନିୟର୍ସ ଆସୋସିଏସନ ଅଫ୍ ଇଣ୍ଡିଆ (ଏମ୍‌ଇଏଆଇ) ଭୁବନେଶ୍ୱର-ସୁକିନ୍ଦା ଚାପ୍ଟରର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
ବୁଧବାର ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ଆୟୋଜିତ ଚାପ୍ଟରର ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌)ରେ ବିଦାୟୀ ଅଧ୍ୟକ୍ଷ ପଙ୍କଜ ସତୀଜା, ଶ୍ରୀ ମିଶ୍ରଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି।
ଏହି ଅବସରରେ ଭାରତ ସରକାରଙ୍କ ପୂର୍ବତନ ଡେପୁଟି ଚିଫ୍ ଲେବର କମିଶନର ଡ. ଟି.କେ. ପଣ୍ଡା ‘ନୂତନ ଶ୍ରମ ସଂହିତା’ ଉପରେ ଆଲୋଚନା କରିଥିଲେ। ସେ ସାମ୍ପ୍ରତିକ ଶ୍ରମ ସଂସ୍କାର ଏବଂ ଖଣି ଓ ଶିଳ୍ପ କ୍ଷେତ୍ର ଉପରେ ଏହାର ପ୍ରଭାବ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ।
ଏମ୍‌ଇଏଆଇ ଭୁବନେଶ୍ୱର-ସୁକିନ୍ଦା ଚାପ୍ଟରର ସମ୍ପାଦକ ଶମ୍ଭୁନାଥ ଝା କାର୍ଯ୍ୟକ୍ରମ ସଂଚାଳନ କରିବା ସହ ନୂତନ ଅଧ୍ୟକ୍ଷଙ୍କୁ ସ୍ୱାଗତ କରିଥିଲେ। ଏହି ବାର୍ଷିକ ସାଧାରଣ ସଭାରେ ଚାପ୍ଟରର ନୂତନ କର୍ମକର୍ତ୍ତାଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି। ଟାଟା ଷ୍ଟିଲ୍‌‌ର ଶମ୍ଭୁନାଥ ଝା ଉପାଧ୍ୟକ୍ଷ, ଜିନ୍ଦଲ ଷ୍ଟିଲ୍‌‌ର ଆର୍‌.ଏସ୍‌. ରଘୁବଂଶୀ ସମ୍ପାଦକ ଏବଂ ଫେରୋ ଆଲଏଜ୍ କର୍ପୋରେସନ ଲିମିଟେଡ (ଏଫ୍‌ଏସିଓଆର)ର ଦେବରାଜ ତିୱାରୀ ଯୁଗ୍ମ ସମ୍ପାଦକ ତଥା କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି।
୨୫୦ରୁ ଅଧିକ ସଦସ୍ୟ ବିଶିଷ୍ଟ ଏମ୍‌ଇଏଆଇ ଭୁବନେଶ୍ୱର-ସୁକିନ୍ଦା ଚାପ୍ଟର ଏହି ଅଞ୍ଚଳର ଖଣି କ୍ଷେତ୍ରରେ ଶ୍ରେଷ୍ଠ କାର୍ଯ୍ୟଶୈଳୀର ପ୍ରସାର ଏବଂ ଶିଳ୍ପ-ଶିକ୍ଷା ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି।
ଖଣିଜ ଶିଳ୍ପ ସହ ଜଡ଼ିତ ବୃତ୍ତିଗତମାନଙ୍କ ସ୍ୱାର୍ଥ ରକ୍ଷା ଏବଂ ଏହାର ବିକାଶ ପାଇଁ ୧୯୫୭ମସିହାରେ ପ୍ରତିଷ୍ଠିତ ଏମଇଏଆଇର ସାରା ଦେଶରେ ୬,୬୦୦ରୁ ଅଧିକ ସଦସ୍ୟ ରହିଛନ୍ତି। ଏଥିରେ ଖଣି ଇଞ୍ଜିନିୟର, ଭୂତତ୍ତ୍ୱବିତ୍‌, ମେଟାଲର୍ଜିଷ୍ଟ, ଗବେଷକ, ଛାତ୍ରଛାତ୍ରୀ ଏବଂ ସରକାରୀ ଓ ବେସରକାରୀ ଖଣି ନିଗମ ସାମିଲ ଅଛନ୍ତି। ସମଗ୍ର ଦେଶରେ ଏହାର ୨୮ଟି ଆଞ୍ଚଳିକ ଚାପ୍ଟର ରହିଛି, ସେଥିମଧ୍ୟରୁ ଭୁବନେଶ୍ୱର ଚାପ୍ଟର ସକ୍ରିୟ ଭାବେ କାର୍ଯ୍ୟ କରୁଛି।

Share

Leave a Reply

Your email address will not be published. Required fields are marked *

eighteen − 16 =