ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ୬୧୪ ପ୍ରତିଭାବାନ୍ ଏସସି/ଏସଟି ଛାତ୍ରଛାତ୍ରୀଙ୍କୁ ଜ୍ୟୋତି ଫେଲୋସିପ୍ ପ୍ରଦାନ

– ଟିଏସ୍ଏଫ୍ ର ଗୋଷ୍ଠୀ ସମ୍ପର୍କ କାର‌୍ୟ୍ୟକ୍ରମ “ଅନନ୍ୟା’ର ଶୁଭାରମ୍ଭ

ଯୋଡ଼ା : ଯୋଡ଼ା, ଖଣ୍ଡବନ୍ଧ ଓ କଳମଙ୍ଗ ଆଦି ଟାଟା ଷ୍ଟିଲର କାର‌୍ୟ୍ୟକ୍ଷେତ୍ର ଅଂଚଳର ୬୧୪ ଜଣ ପ୍ରତିଭାବାନ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀମାନଙ୍କୁ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍ଏଫ୍) ପକ୍ଷରୁ ଜ୍ୟୋତି ଫେଲୋସିପ୍ (ଶିକ୍ଷା ବୃତି) ପ୍ରଦାନ କରାଯାଇଛି ।
ସୋମବାର ଟିଏସ୍ଏଫ୍ ପକ୍ଷରୁ ଯୋଡ଼ାରେ ଆରମ୍ଭ କରାଯାଇଥିବା ଦୁଇଦିନିଆ ଗୋଷ୍ଠୀ ସମ୍ପର୍କ କାର‌୍ୟ୍ୟକ୍ରମ “ଅନନ୍ୟା’ର ଶୁଭାରମ୍ଭ ଅବସରରେ ୪୧୧ ଜଣ ଛାତ୍ରୀ ଓ ୨୦୩ ଜଣ ଛାତ୍ରଙ୍କୁ ଜ୍ୟୋତି ଫେଲୋସିପ୍ ପ୍ରଦାନ କରାଯାଇଥିବା ଘୋଷଣା କରାଯାଇଛି । ଏହି କାର‌୍ୟ୍ୟକ୍ରମ ସମାଜକୁ ଏକ ଏକକ ମଂଚ ପ୍ରଦାନ କରିଛି ଯେଉଁଥିରେ ସେମାନଙ୍କ ଉଦ୍ୟମକୁ ସ୍ୱୀକୃତି ମିଳିଛି ଏବଂ ଏହି ଅଂଚଳର ଅଭିବୃଦ୍ଧି ଯାତ୍ରା ସମ୍ପର୍କରେ ଲୋକମାନେ ଅବଗତ ହୋଇପାରିଛନ୍ତି ।

ଏହି ଫେଲୋସିପ୍ ର ଅଂଶସ୍ୱରୂପ ପ୍ରତିଭାବାନ ଛାତ୍ରଛାତ୍ରୀମାନଙ୍କୁ ପ୍ରାୟ ୩୩.୫୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଏହି ଅବସରରେ ୨୩୦ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ଏହି କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଫେଲୋସିପ୍ ପ୍ରଦାନ କରିଥିବା ବେଳେ ଟାଟା ଷ୍ଟିଲର ମହାପ୍ରବନ୍ଧକ (ଓଏମକ୍ୟୁ) ଅତୁଲ ଭଟ୍ଟନାଗର, ଅନ୍ୟାନ୍ୟ ୟୁନିଟର ମୁଖ୍ୟ, ବହୁ ମାନ୍ୟଗନ୍ୟ ଅତିଥି ଏବଂ ଗ୍ରାମ ପଂଚାୟତର ନିର୍ବାଚିତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

ଏହି ଅବସରରେ ତୁଳସୀ ମୁଣ୍ଡା କହିଥିଲେ ଯେ, “ମୁଁ ବହୁତ ଖୁସି ଯେ ଏହି ଅଂଚଳର ଗରିବ ଛାତ୍ରଛାତ୍ରୀମାନଙ୍କୁ ଟାଟା ଷ୍ଟିଲ୍ ଫେଲୋସିପ୍ ପ୍ରଦାନ କରିଛି ଯାହା ସେମାନଙ୍କ କ୍ୟାରିୟର ସ୍ୱପ୍ନକୁ ପୂରଣ କରିବ ଏବଂ ସେମାନଙ୍କୁ ଏକ ଉତମ ନାଗରିକରେ ପରିଣତ କରିବାରେ ସହାୟକ ହେବ ।”

ଦର୍ଶକମାନଙ୍କୁ ସମ୍ବୋଧିତ କରି ଏବଂ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇ ଅତୁଲ କୁମାର ଭଟ୍ଟନାଗର କହିଛନ୍ତି ଯେ, “ଶିକ୍ଷା ଜରିଆରେ ସମାଜରେ ପରିବର୍ତନ ଆଣିବା ପାଇଁ ଆମେ ନିରନ୍ତର ଭାବେ ଉଦ୍ୟମ କରୁଛୁ । ଉଚ୍ଚ ଶିକ୍ଷା ଗ୍ରହଣ କରିବା ଏବଂ ଜୀବନରେ ସଫଳ ହେବା ଲାଗି ଜ୍ୟୋତି ଫେଲୋସିପ୍ ଛାତ୍ରଛାତ୍ରୀମାନଙ୍କୁ ଅନୁପ୍ରାଣିତ ହେବାର ସୁଯୋଗ ପ୍ରଦାନ କରୁଛି ।

ଜ୍ୟୋତି ଫେଲୋସିପ୍ର ଉଦ୍ଦେଶ୍ୟ ହେଉଛି ଶିକ୍ଷାଗତ ଓ କ୍ୟାରିୟର ଅଭିଳାଷକୁ ପୂର୍ଣ୍ଣ କରିବା ଲାଗି ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଏସସି/ ଏସଟି ଛାତ୍ରଛାତ୍ରୀମାନଙ୍କୁ ସକ୍ଷମ କରିବା । ଗତ ପାଂଚ ବର୍ଷରେ ଯୋଡ଼ା, ଖଣ୍ଡବନ୍ଧ ଓ କଳମଙ୍ଗ ଅଂଚଳର ୧୭୬୨ ଜଣ ଛାତ୍ରଛାତ୍ରୀ ଏହି ଫେଲୋସିପ୍ ହାସଲ କରିଛନ୍ତି ।

ଫେଲୋସିପ୍ ରେ ନଗଦ ରାଶି ଭାବେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ୩୭୫୦ ଟଙ୍କା, ନବମ ଶ୍ରେଣୀ ପାଇଁ ୪୫୦୦ ଟଙ୍କା, ଦଶମ ଶ୍ରେଣୀ ପାଇଁ ୪୫୦୦ ଟଙ୍କା, ମାଧ୍ୟମିକ (ଇଟଂରମେଡିଏଟ୍) ପାଇଁ ୮,୫୦୦ ଟଙ୍କା, ଅଣ ସ୍ନାତକ (ଅଣ୍ଡର ଗ୍ରାଜୁଏଟ୍) ପାଇଁ ୮,୫୦୦ ଟଙ୍କା, ଡିପ୍ଲୋମା ଲାଗି ୧୦,୦୦୦ ଟଙ୍କା ଓ ବି.ଟେକ୍, ଏମ୍ବିବିଏସ୍) ଇତ୍ୟାଦି ଲାଗି ୨୫,୦୦୦ ଟଙ୍କା ପ୍ରଦାନ କରାଯାଇଥିଲା । ଏହି ଅବସରରେ ଦଶମ ଶ୍ରେଣୀ ପର‌୍ୟ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ମେରିଟ୍ ସାର୍ଟିଫିକେଟ୍ (ଯୋଗ୍ୟତା ପ୍ରମାଣପତ୍ର) ପ୍ରଦାନ କରାଯାଇଥିଲା ।
କଂପାନିର କାର‌୍ୟ୍ୟ କ୍ଷେତ୍ର ଅଂଚଳର ଯୋଗ୍ୟ ପ୍ରତିଭାବାନ ପ୍ରାର୍ଥୀମାନଙ୍କୁ ପ୍ରତିଭା ପରୀକ୍ଷା (ମେରିଟ୍ ଟେଷ୍ଟ) ଜରିଆରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ଚିହ୍ନଟ କରାଯାଇଥିଲା । ପ୍ରତିବର୍ଷ ଦୁଇଟି ସ୍ତରରେ-ସ୍କୁଲ (ଅଷ୍ଟମ ଶ୍ରେଣୀ) ଓ କଲେଜ (ସ୍ନାତକ ପ୍ରଥମ ବର୍ଷ) ରେ ଆୟୋଜନ କରାଯାଉଥିବା ସାଧାରଣ ଲିଖିତ ପରୀକ୍ଷା ଛାତ୍ରଛାତ୍ରୀମାନଙ୍କୁ ଦେବାକୁ ପଡ଼ିଥାଏ । ପରୀକ୍ଷାରେ ଥରେ ପାସ୍ ହେବା ପରେ ନୂଆ ଫେଲୋସିପ୍ ପାଇବା ସହ ପରବର୍ତୀ ବର୍ଷଗୁଡ଼ିକ ଲାଗି ତାହାର ନବୀକରଣ ପାଇଁ ଛାତ୍ର କିମ୍ବା ଛାତ୍ରୀ ଜଣକ ଯୋଗ୍ୟତା ହାସଲ କରିଥାନ୍ତି । ପ୍ରତି ଶିକ୍ଷା ବର୍ଷରେ ସ୍କୁଲ/ କଲେଜରେ ହେଉଥିବା ବାର୍ଷିକ ପରୀକ୍ଷାରେ ୪୫ ପ୍ରତିଶତ ମାର୍କ ରଖିବାକୁ ମଧ୍ୟ ପଡ଼ିଥାଏ ।

ଗତ ୩୦ ବର୍ଷରୁ ଅଧିକ ସମୟ ଭିତରେ ଟାଟା ଷ୍ଟିଲ୍ ପକ୍ଷରୁ ଫେଲୋସିପ୍ ମାଧ୍ୟମରେ ଏସସି/ ଏସଟି ସମ୍ପ୍ରଦାୟର ଯୋଗ୍ୟ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ।

ଜ୍ୟୋତି ଫେଲୋସିପ୍ ଛାତ୍ରଛାତ୍ରୀମାନଙ୍କୁ ମାଧ୍ୟମିକ, ସ୍ନାତକ, ସ୍ନାତକୋତର, ଏଲ୍ଏଲ ବି, ବି ଏଡ୍, ହୋଟେଲ୍ ମ୍ୟାନେଜମେଂଟ୍ ଓ ଏମବିଏ ପାଠ ପଢ଼ିବା ଲାଗି ସକ୍ଷମ କରୁଛି । ଓଡ଼ିଶାରେ ଗଂଜାମ, ଯାଜପୁର, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାର ଛାତ୍ରଛାତ୍ରୀମାନେ ଏହା ଦ୍ୱାରା ଉପକୃତ ହୋଇଛନ୍ତି । ଝାଡ଼ଖଣ୍ଡର ବିଭିନ୍ନ ଜିଲ୍ଲା ଯଥା ଇଷ୍ଟ୍ (ପୂର୍ବ) ସିଂହଭୂମ୍, ୱେଷ୍ଟ୍ (ପଶ୍ଚିମ) ସିଂହଭୂମ୍, ସଢ଼େଇକଳା-ଖରସୁଆଁ, ଧାନବାଦ୍ ଓ ରାମଗଡ଼ର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଜ୍ୟୋତି ଫେଲୋସିପ୍ ପ୍ରଦାନ କରାଯାଉଛି ।

Share

Leave a Reply

Your email address will not be published. Required fields are marked *

twenty − 7 =