ଏନ୍‌ଟିପିସି ପକ୍ଷରୁ ପିଏନ୍‌ଜି ନେଟ୍‌ୱର୍କରେ ଭାରତର ପ୍ରଥମ ଗ୍ରିନ୍ ହାଇଡ୍ରୋଜେନ ମିଶ୍ରଣ ପରିଚାଳନାର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ସର୍ବବୃହତ ବିଦ୍ୟୁତ ଉତ୍ପାଦନକାରୀ ଏନ୍‌ଟିପିସି ଲିମିଟେଡ୍ ପକ୍ଷରୁ ଭାରତର ପ୍ରଥମ ଗ୍ରିନ୍ ହାଇଡ୍ରୋଜେନ୍ ବ୍ଲେଣ୍ଡିଂ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । ଗୁଜରାଟର ସୁରଟରେ ଥିବା ଏନ୍‌ଟିପିସି କବାସ୍ ଟାଉନ୍‌ସିପ୍‌ର ପାଇପ୍‌ଡ ନାଚୁରାଲ୍ ଗ୍ୟାସ୍ (ପିଏନ୍‌ଜି) ନେଟ୍‌ୱର୍କରେ ଗ୍ରିନ୍ ହାଇଡ୍ରୋଜେନ୍ ମିଶ୍ରଣର ଶୁଭାରମ୍ଭ କରାଯାଇଛି । ଏହି ପ୍ରକଳ୍ପ ହେଉଛି ଏନ୍‌ଟିପିସି ଓ ଗୁଜୁରାଟ ଗ୍ୟାସ୍ ଲିମିଟେଡ୍‌ର (ଜିଜିଏଲ୍‌) ମିଳିତ ଉଦ୍ୟମ ।
କବାସ୍‌ର ପ୍ରକଳ୍ପ ମୁଖ୍ୟ ଶ୍ରୀ ପି ରାମ ପ୍ରସାଦ ପ୍ରଥମ ଗ୍ରିନ୍ ହାଇଡ୍ରୋଜେନ୍ ଅଣୁକୁ ଏନ୍‌ଟିପିସି କବାସ ଓ ଜିଜିଏଲ୍‌ର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଶୁଭାରମ୍ଭ କରିଛନ୍ତି ।
ମିଶ୍ରଣ କାର୍ଯ୍ୟ ପରେ ଏନ୍‌ଟିପିସି କବାସ ପକ୍ଷରୁ ଜିଜିଏଲ୍ ଅଧିକାରୀମାନଙ୍କ ସହଯୋଗରେ ଟାଉନ୍‌ସିପ୍‌ର ବାସିନ୍ଦାମାନଙ୍କ ପାଇଁ ଏକ ସଚେତନତା କର୍ମଶାଳା ଆୟୋଜନ କରାଯାଇଥିଲା ।
୨୦୨୨ ଜୁଲାଇ ୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିତିପ୍ରସ୍ତର ସ୍ଥାପନ କରିବା ପରେ ରେକର୍ଡ ସମୟ ଭିତରେ ଏହି ମାଇଲଖୁଂଟ ହାସଲ କରିବା ଲାଗି ଏନ୍‌ଟିପିସି ଓ ଜିଜିଏଲ୍ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିଥିଲେ । ସୁରଟର ଆଦିତ୍ୟନଗର ସ୍ଥିତ କବାସ ଟାଉନ୍‌ସିପ୍‌ର ପରିବାରକୁ ଏଚ୍‌୨-ଏନ୍‌ଜି ଯୋଗାଣ ଲାଗି ଏହି ପ୍ରକଳ୍ପ ସ୍ଥାପନ କରାଯାଇଛି । ପୂର୍ବରୁ ସ୍ଥାପନ କରାଯାଇଥିବା ୧ ମେଗାୱାଟ୍‌ର ଭାସମାନ ସୌର ଶକ୍ତିକୁ ବ୍ୟବହାର କରି ପାଣିକୁ ଇଲେକ୍ଟ୍ରୋଲାଇସିସ୍ ଜରିଆରେ କବାସ୍‌ରେ ଗ୍ରିନ୍ ହାଇଡ୍ରୋଜେନ୍ ତିଆରି କରାଯାଉଛି ।
ପିଏନ୍‌ଜିରେ ୫% ଭଲ୍ୟୁମ୍‌/ ଭଲ୍ୟୁମ୍ ଗ୍ରିନ୍ ହାଇଡ୍ରୋଜେନ୍ ମିଶ୍ରଣ ପାଇଁ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ନିୟାମକ ବୋର୍ଡ (ପିଏନଜିଆରବି) ଅନୁମତି ପ୍ରଦାନ କରାଯାଇଛି । ଏହା ପରେ ପର୍ଯ୍ୟାୟକ୍ରମେ ମିଶ୍ରଣ ହାର ୨୦%କୁ ବୃଦ୍ଧି ପାଇବ । ଗ୍ରିନ୍ ହାଇଡ୍ରୋଜେନ୍‌କୁ ପ୍ରାକୃତିକ ଗ୍ୟାସ୍ ସହ ମିଶ୍ରଣ କରିବା ଦ୍ୱାରା ସମାନ ତାପମାତ୍ରାରେ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଏ ।
ଏହି ସଫଳତାକୁ ବ୍ରିଟେନ, ଜର୍ମାନି ଓ ଅଷ୍ଟ୍ରେଲିଆ ଭଳି କିଛି ହାତଗଣତି ରାଷ୍ଟ୍ର ହାସଲ କରିଛନ୍ତି । ଏହା ଦ୍ୱାରା ବିଶ୍ୱ ହାଇଡ୍ରୋଜେନ୍ ଅର୍ଥନୀତିର କେନ୍ଦ୍ର ସ୍ଥଳରେ ଭାରତ ପହଂଚିପାରିଛି । ଏହା ଦ୍ୱାରା ଭାରତର ହାଇଡ୍ରୋକାର୍ବନ ଆମଦାନି ଉଲ୍ଲେଖନୀୟ ଭାବେ ହ୍ରାସ ପାଇବା ସହ ବିଦେଶୀ ମୁଦ୍ରା ସଂଚୟ ହୋଇପାରିବ ଏବଂ ଭାରତ ଗ୍ରିନ୍ ହାଇଡ୍ରୋଜେନ ଏବଂ ଗ୍ରିନ୍ କେମିକାଲ୍ ରପ୍ତାନି କରିପାରିବ ।

Share

Leave a Reply

Your email address will not be published. Required fields are marked *

twelve + 19 =