ଏସବିଆଇ ପକ୍ଷରୁଆର୍ଥିକ ବର୍ଷ ୨୦୨୭ର ପ୍ରଥମ ତ୍ରୈମାସିକ ପାଇଁ ଆର୍ଥିକ ଫଳାଫଳ ପ୍ରକାଶିତ
ମୁମ୍ବାଇ: ଦେଶର ସର୍ବ ବୃହତ୍ ବ୍ୟାଙ୍କ “ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ’ (ଏସ୍ବିଆଇ) ଆଜି ତାହାର ଆର୍ଥିକ ବର୍ଷ ୨୦୨୭ର ପ୍ରଥମ ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା କରିଛି।
ବ୍ୟାଙ୍କର ପ୍ରଦର୍ଶନ ସମ୍ପର୍କରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଶ୍ରୀ ସି.ଏସ୍. ସେଟ୍ଟୀ କହିଛନ୍ତି: “ଏସ୍ବିଆଇ ରେ ଆମର ରଣନୈତିକ ଉଦ୍ଦେଶ୍ୟ ସଦାସର୍ବଦା ଏକ ସରଳ ଦର୍ଶନ ଦ୍ୱାରା ପରିଚାଳିତ – “ଡିଜିଟାଲ୍ ପ୍ରଥମ, ଗ୍ରାହକ ପ୍ରଥମ ଏବଂ ରାଷ୍ଟ୍ର ସର୍ବଦା’। ଏହି ତ୍ରୈମାସ ମଧ୍ୟରେ, ଆମ ଗ୍ରାହକଙ୍କ ସେବା ପରିଚାଳନାକୁ ଆହୁରି ଦ୍ରୁତ, ସରଳ ଏବଂ ସୁବିଧାଜନକ କରିବା ଲକ୍ଷ୍ୟରେ ଆମର ପ୍ରମୁଖ ଅପରେସନ୍ସ ପ୍ରୋସେସ୍ ରି-ଇଞ୍ଜିନିୟରିଂ ପ୍ରକଳ୍ପ “ସରଳ’ ର ସମ୍ପ୍ରସାରଣ କରି ବ୍ୟାଙ୍କିଂ ପ୍ରକ୍ରିୟାକୁ ଅଧିକ ସହଜ କରିଛୁ। ଆମେ ଆମର ବ୍ୟାବସାୟିକ ଗ୍ରାହକମାନଙ୍କୁ ୨୪/୭ ସହାୟତା ଯୋଗାଇବା ପାଇଁ ୟୋନୋ ବିଜନେସ୍ ରେ “ୟୋନୋ ଜୀ’ ନାମକ ଏକ ଏଆଇ-ଚାଳିତ ଭର୍ଚୁଆଲ୍ ଆସିଷ୍ଟାଣ୍ଟ ଶୁଭାରମ୍ଭ କରିଛୁ। ଆମେ ଆମର ବିଜନେସ୍ ରୁଲ୍ ଇଞ୍ଜିନ୍ “ଏମ୍ଏସ୍ଏମ୍ଇ ଡ୍ରିମ୍’ କୁ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଏସ୍ଏମ୍ଇ ଋଣ ପାଇଁ ସମ୍ପ୍ରସାରିତ କରିଛୁ, ଯାହାକି ଋଣ ମଞ୍ଜୁରୀ ମାନଦଣ୍ଡ ସହିତ ବୁଝାମଣା ନକରି ଶୀଘ୍ର ଏବଂ ସୁସଙ୍ଗତ କ୍ରେଡିଟ୍ ନିଷ୍ପତ୍ତି ନେବାରେ ସକ୍ଷମ କରିବ।
ପ୍ରଯୁକ୍ତିବିଦ୍ୟା ଆମର ବିପଦ ପରିଚାଳନା ଢାଞ୍ଚାକୁ ମଧ୍ୟ ମଜବୁତ୍ କରୁଛି। ଆମର ଭବିଷ୍ୟବାଣୀମୂଳକ ଷ୍ଟ୍ରେସ୍ ମନିଟରିଂ ପ୍ଲାଟଫର୍ମ “ପ୍ରିଜମ୍’ ମାଧ୍ୟମରେ, ଆମେ ଋଣଗ୍ରହିତାଙ୍କ ଆକାଉଣ୍ଟରେ ପ୍ରାରମ୍ଭିକ ସମସ୍ୟାର ସଙ୍କେତ ଚିହ୍ନଟ କରିବାକୁ ଆଭ୍ୟନ୍ତରୀଣ ଏବଂ ବାହ୍ୟ ଉତ୍ସଗୁଡ଼ିକର ବ୍ୟବହାର କରୁଛୁ। ଏହି ପଦକ୍ଷେପ ପ୍ରସ୍ତାବିତ “ଏକ୍ସପେକ୍ଟେଡ୍ କ୍ରେଡିଟ୍ ଲସ୍’ (ଇସିଏଲ୍) ଢାଞ୍ଚାର କାର୍ଯ୍ୟକାରିତା ପାଇଁ ଆମର ପ୍ରସ୍ତୁତିକୁ ମଧ୍ୟ ସୁଦୃଢ଼ କରୁଛି। ଏସ୍ବିଆଇ କେବଳ ପରବର୍ତ୍ତୀ ତ୍ରୈମାସିକ ପାଇଁ ନୁହେଁ, ବରଂ ଆଗାମୀ ଦଶନ୍ଧି ପାଇଁ ନିଜକୁ ଗଢ଼ୁଛି।
ଆମର ସହାୟକ କମ୍ପାନୀଗୁଡ଼ିକ ମଧ୍ୟ ନିରନ୍ତର ମଜବୁତ୍ ପ୍ରଦର୍ଶନ କରିଛନ୍ତି ଏବଂ ନିଜ ନିଜ କ୍ଷେତ୍ରରେ ଅଗ୍ରଣୀ ରହିଛନ୍ତି। ଏହି ତ୍ରୈମାସିକ ମଧ୍ୟରେ, “ଏସ୍ବିଆଇ ଫଣ୍ଡସ ମ୍ୟାନେଜମେଣ୍ଟ ଲିମିଟେଡ’ ର ସଫଳ ତାଲିକାଭୁକ୍ତ (ଲିଷ୍ଟିଂ) ଏସ୍ବିଆଇ ଗ୍ରୁପ୍ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି ଏବଂ ଆମ ସହାୟକ ବ୍ୟବସାୟଗୁଡ଼ିକ ସମସ୍ତ ଅଂଶୀଦାରମାନଙ୍କ ପାଇଁ ସୃଷ୍ଟି କରୁଥିବା ମୂଲ୍ୟକୁ ପୁନର୍ବାର ପ୍ରମାଣିତ କରିଛି।
୨୦୩୦ ରେ ଆମର ୭୫ତମ ବାର୍ଷିକୀ ଆଡ଼କୁ ଅଗ୍ରସର ହେଉଥିବା ବେଳେ, ଆମର ମୁଖ୍ୟ ଲକ୍ଷ୍ୟ ହେଉଛି “ଭବିଷ୍ୟତର ଏସ୍ବିଆଇ’ ଗଠନ କରିବା।”
ଆର୍ଥିକ ବର୍ଷ ୨୦୨୭ର ପ୍ରଥମ ତ୍ରୈମାସିକ ପ୍ରଦର୍ଶନ:
ବ୍ୟାଙ୍କ ୨୧,୧୨୧ କୋଟି ଟଙ୍କାର ତାର ସର୍ବକାଳୀନ ସର୍ବୋଚ୍ଚ ତ୍ରୈମାସିକ ନିଟ୍ ଲାଭ ଘୋଷଣା କରିଛି। ପରିଚାଳନାଗତ ଲାଭ ଏବଂ ୦.୨୭ ପ୍ରତିଶତ ର ହ୍ରାସପ୍ରାପ୍ତ କ୍ରେଡିଟ୍ କଷ୍ଟ ଯୋଗୁଁ ଟ୍ୟାକ୍ସ(କର)-ପରବର୍ତ୍ତୀ ଲାଭ (ପିଏଟି) ବାର୍ଷିକ ଆଧାରରେ ୧୦.୨୩ ପ୍ରତିଶତ ବୃଦ୍ଧି ପାଇଛି। ଏହି ତ୍ରୈମାସିକ ପାଇଁ ପରିଚାଳନା ଲାଭ ବାର୍ଷିକ ୯.୭୭ ପ୍ରତିଶତ ବୃଦ୍ଧି ପାଇ ୩୩,୫୨୯ କୋଟି ଟଙ୍କା ହୋଇଥିବା ବେଳେ ନିଟ୍ ସୁଧ ଆୟ ବାର୍ଷିକ ୧୪.୮୮ ପ୍ରତିଶତ ବୃଦ୍ଧି ପାଇ ୪୬,୯୯୨ କୋଟି ଟଙ୍କାରେ ପହଞ୍ଚିଛି। ବ୍ୟାଙ୍କ ସୁସ୍ଥ ଲାଭଦାୟକତା ମାପଦଣ୍ଡ ବଜାୟ ରଖିଛି, ଯେଉଁଥିରେ ଆର୍ଥିକ ବର୍ଷ ୨୦୨୭ର ପ୍ରଥମ ତ୍ରୈମାସିକ ପାଇଁ ଆରଓଏ ୧.୧୧ ପ୍ରତିଶତ ଏବଂ ଆରଓଇ ୧୭.୮୭ ପ୍ରତିଶତ ରହିଛି। ବ୍ୟାଙ୍କ ମାର୍ଜିନରେ ଉତ୍ତମ ପ୍ରଦର୍ଶନ କରିଛି, ଯେଉଁଥିରେ ଘରୋଇ ଏନ୍ଆଇଏମ୍ ଆର୍ଥିକ ବର୍ଷ ୨୦୨୬ର ଚତୁର୍ଥ ତ୍ରୈମାସିକ ତୁଳନାରେ ୭ ବିପିଏସ୍ କମିବା ସହ ୩.୦୦ ପ୍ରତିଶତ ହୋଇଛି। ମୋଟ ବ୍ୟାଙ୍କ ଏନ୍ଆଇଏମ୍ ଆର୍ଥିକ ବର୍ଷ ୨୦୨୬ର ଚତୁର୍ଥ ତ୍ରୈମାସିକ ତୁଳନାରେ ୫ ବିପିଏସ୍ କମିବା ସହ ଆର୍ଥିକ ବର୍ଷ ୨୦୨୭ର ପ୍ରଥମ ତ୍ରୈମାସିକ ରେ ୨.୮୬ ପ୍ରତିଶତରେ ପହଞ୍ଚିଛି।
ଋଣରେ ୧୮.୬୩ ପ୍ରତିଶତ ଏବଂ ଜମା ରାଶିରେ ୯.୭୩ ପ୍ରତିଶତର ବାର୍ଷିକ ବୃଦ୍ଧି ସହିତ ମୋଟ ବ୍ୟବସାୟ ୧୧୦ ଲକ୍ଷ କୋଟି ଟଙ୍କା ଅତିକ୍ରମ କରି ବ୍ୟାଙ୍କ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ଏସ୍ବିଆଇର ଜମା ଭିତ୍ତିଭୂମି ଦୃଢ଼ ଏବଂ ବିବିଧ ରହିଛି, ଯେଉଁଥିରେ କାସା ଜମା ବାର୍ଷିକ ୯.୩୦ ପ୍ରତିଶତ ବୃଦ୍ଧି ଦର୍ଶାଇଛି। ଅତ୍ୟନ୍ତ ପ୍ରତିଯୋଗିତାମୂଳକ ପରିବେଶ ସତ୍ତ୍ୱେ ବ୍ୟାଙ୍କ ୩୯.୨୪ ପ୍ରତିଶତ ର ଏକ ସୁସ୍ଥ କାସା ଅନୁପାତ ବଜାୟ ରଖିଛି। ଖୁଚୁରା ମିଆଦି ଜମା ବାର୍ଷିକ ୧୪.୩୯ ପ୍ରତିଶତ ବୃଦ୍ଧି ପାଇ ନିଜର ବୃଦ୍ଧି ଧାରା ବଜାୟ ରଖିଛି।
ବ୍ୟାଙ୍କର ଆସେଟ୍ କ୍ୱାଲିଟି (ସମ୍ପତ୍ତି ଗୁଣବତ୍ତା) ଶିଳ୍ପ କ୍ଷେତ୍ରରେ ଶ୍ରେଷ୍ଠସ୍ତରୀୟ ହୋଇ ରହିଛି, ଯେଉଁଥିରେ ନନ-ପର୍ଫମିଙ୍ଗ ଆସେଟ୍ (ଏନ୍ପିଏ) ଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଗ୍ରସ୍ ଏବଂ ନିଟ୍ ଏନ୍ପିଏ ଅନୁପାତରେ ଏହି ତ୍ରୈମାସ ମଧ୍ୟରେ ଆହୁରି କମି ଯଥାକ୍ରମେ ୧.୪୭ ପ୍ରତିଶତ ଏବଂ ୦.୩୮ ପ୍ରତିଶତ ହୋଇଛି। ଗ୍ରସ୍ ଏନ୍ପିଏ ଅନୁପାତ ବାର୍ଷିକ ୩୬ ବିପିଏସ୍ ହ୍ରାସ ପାଇଥିବା ବେଳେ ନିଟ୍ ଏନ୍ପିଏ ଅନୁପାତ ବାର୍ଷିକ ୯ ବିପିଏସ୍ ହ୍ରାସ ପାଇ ୦.୩୮ ପ୍ରତିଶତ ହୋଇଛି। ଦୃଢ଼ ଋଣ ଆଦାୟ ଏବଂ ମଜବୁତ୍ ଅଣ୍ଡରରାଇଟିଂ ପ୍ରକ୍ରିୟା ଯୋଗୁଁ କ୍ରେଡିଟ୍ କଷ୍ଟ ୦.୨୭ ପ୍ରତିଶତ ରେ ସୀମିତ ରହିଛି।
କ୍ୟାପିଟାଲ୍ ଆଡିକ୍ୟୁଏସି ଅନୁପାତ (ସିଏଆର) ବାର୍ଷିକ ୧୦୪ ବିପିଏସ୍ ବୃଦ୍ଧି ପାଇ ୧୫.୬୭ ପ୍ରତିଶତରେ ପହଞ୍ଚିଛି, ଯାହା ନିୟାମକ ସର୍ବନିମ୍ନ ଆବଶ୍ୟକତାଠାରୁ ଯଥେଷ୍ଟ ଅଧିକ।
ଏସ୍ବିଆଇ ୟୋନୋ ଏବଂ ଏହାର ବିକଳ୍ପ ସେବା ପ୍ରଦାନ ମାଧ୍ୟମଗୁଡ଼ିକ ଜରିଆରେ ନିଜର ଡିଜିଟାଲ୍ ଅଗ୍ରଣୀ ସ୍ଥାନକୁ ଆହୁରି ମଜବୁତ୍ କରିଛି। ଏହି ତ୍ରୈମାସିକ ମଧ୍ୟରେ ୟୋନୋ ମାଧ୍ୟମରେ ୬୪ ପ୍ରତିଶତରୁ ଅଧିକ ସଞ୍ଚୟ ବ୍ୟାଙ୍କ ଆକାଉଣ୍ଟ ଡିଜିଟାଲ୍ ଭାବେ ଖୋଲାଯାଇଥିଲା। ଗତ ବର୍ଷର ସମାନ ଅବଧିରେ ୯୮.୬ ପ୍ରତିଶତ ତୁଳନାରେ ଆର୍ଥିକ ବର୍ଷ ୨୦୨୭ର ପ୍ରଥମ ତ୍ରୈମାସିକ ରେ ମୋଟ କାରବାରର ୯୮.୮ ପ୍ରତିଶତ ବିକଳ୍ପ ମାଧ୍ୟମଗୁଡ଼ିକ ଦ୍ୱାରା ସମ୍ପାଦିତ ହୋଇଛି। ୟୋନୋ ର ୧୦.୫ କୋଟିରୁ ଅଧିକ ପଞ୍ଜୀକୃତ ବ୍ୟବହାରକାରୀ ଅଛନ୍ତି ଏବଂ ନୂତନ ଭାବେ ଆରମ୍ଭ ହୋଇଥିବା ୟୋନୋ ପ୍ଲାଟଫର୍ମରେ ଛଅ ମାସ ମଧ୍ୟରେ ୫ କୋଟିରୁ ଅଧିକ ପଞ୍ଜୀକରଣ ହୋଇଛି, ଯାହା ଗ୍ରାହକଙ୍କ ମଧ୍ୟରେ ଦ୍ରୁତ ଗ୍ରହଣୀୟତାକୁ ଦର୍ଶାଉଛି।

