ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜିଲି ଯୋଜନାର କାର୍ଯ୍ୟକାରିତାକୁ ସୁଦୃଢ଼ କରିବା ପାଇଁ ଟିପିସିଓଡିଏଲ୍ ପକ୍ଷରୁ ଭେଣ୍ଡର ସମ୍ମିଳନୀ ଆୟୋଜିତ
ଭୁବନେଶ୍ୱର, ୮ ଅଗଷ୍ଟ, ୨୦୨୬: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ନିଜର ସେବାଯୋଗାଣ ଅଞ୍ଚଳଗୁଡ଼ିକରେ ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜିଲି ଯୋଜନାର କାର୍ଯ୍ୟକାରିତାକୁ ସୁଦୃଢ଼ କରିବା ଏବଂ ରୁଫଟପ୍ ସୋଲାର ଆପଣାଇବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆରଇସି ର ତତ୍ତ୍ୱାବଧାନରେ ନିଜର ଅକ୍ଷୟ ଶକ୍ତି ସେଲ୍ ମାଧ୍ୟମରେ ଭୁବନେଶ୍ୱରସ୍ଥିତ ଟିପିସିଓଡିଏଲ୍ ମ୍ୟାନେଜମେଣ୍ଟ ଡେଭେଲପମେଣ୍ଟ ସେଣ୍ଟରରେ ଏକ ଭେଣ୍ଡର ସମ୍ମିଳନୀର ଆୟୋଜନ କରିଥିଲା।
ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୦୦ ଜଣ ତାଲିକାଭୁକ୍ତ ଭେଣ୍ଡର ଯୋଗ ଦେଇଥିଲେ, ଯେଉଁଥିରେ ଭର୍ଚୁଆଲ୍ ମାଧ୍ୟମରେ ଯୋଡ଼ିହୋଇଥିବା ୧୯୦ ଜଣ ପ୍ରତିନିଧି ଅନ୍ତର୍ଭୁକ୍ତ ଥିଲେ। ରୁଫଟପ୍ ସୋଲାର ସିଷ୍ଟମର ସହଜ ଏବଂ ବ୍ୟାପକ ସ୍ତରରେ ପ୍ରସାର ପାଇଁ ଦେଖା ଯାଉଥିବା ଆହ୍ୱାନଗୁଡ଼ିକର ସମାଧାନ କରିବା, ସଂସ୍ଥାପନ ପ୍ରକ୍ରିୟାକୁ ସହଜ କରିବା, ଗୁଣବତ୍ତା ମାନ ବଜାୟ ରଖିବା ଏବଂ ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବା ଉପରେ ଏହି ଆଲୋଚନାଗୁଡ଼ିକ ପର୍ଯ୍ୟବସିତ ଥିଲା।
ଏହି ଅଧିବେଶନ ପରିଚାଳନାଗତ ଆହ୍ୱାନଗୁଡ଼ିକର ବ୍ୟାବହାରିକ ସମାଧାନ, ସମନ୍ୱୟରେ ସୁଧାର ଏବଂ ଉପଭୋକ୍ତା ଅନୁଭୂତିରେ ଉନ୍ନତି ଆଣିବା ପାଇଁ ମିଳିତ ଆଲୋଚନାର ଏକ ମଞ୍ଚ ପ୍ରଦାନ କରିଥିଲା। ବର୍ଷା ଦିନ ଚାଲିଥିବାରୁ, ଶ୍ରମିକ ଏବଂ ଉପଭୋକ୍ତାମାନଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଟିପିସିଓଡିଏଲ୍ ସୁରକ୍ଷା ନିୟମାବଳୀର କଡ଼ାକଡ଼ି ପାଳନ ଏବଂ ନିରାପଦ ସଂସ୍ଥାପନ ପ୍ରକ୍ରିୟା ଉପରେ ଗୁରୁତ୍ୱାରୋପ କରିଥିଲା।
ଭାରତ ସରକାରଙ୍କ ସ୍ୱଚ୍ଛ ଶକ୍ତିର ପ୍ରସାର ଲକ୍ଷ୍ୟକୁ ସଫଳ କରିବା ପାଇଁ କାର୍ଯ୍ୟର ଗୁଣବତ୍ତା, ସୁରକ୍ଷା ଏବଂ ସମୟ ଭିତରେ କାମ ଶେଷ କରିବା ଉପରେ ଟିପିସିଓଡିଏଲ୍ର ଅଧିକାରୀମାନେ ବିଶେଷ ଗୁରୁତ୍ୱ ଦେଇଥିଲେ। ଏହାସହ, ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜିଲି ଯୋଜନାରେ ଅଧିକରୁ ଅଧିକ ଉପଭୋକ୍ତାଙ୍କୁ ଯୋଡ଼ିବା ପାଇଁ ଟିପିସିଓଡିଏଲ୍ ପକ୍ଷରୁ ଚାଲିଥିବା ବିଭିନ୍ନ ସଚେତନତା ଓ ଜନସମ୍ପର୍କ କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥିତ ପ୍ରତିନିଧିମାନଙ୍କୁ ସୂଚନା ଦିଆଯାଇଥିଲା।
ଏହି କାର୍ଯ୍ୟକ୍ରମ ସମୟରେ, ଟିପିସିଓଡିଏଲ୍ ର ଚିଫ୍ କମର୍ସିଆଲ୍ ସର୍ଭିସେସ୍, ଆରଇସି ର ଅଧିକାରୀ, ଟିପିସିଓଡିଏଲ୍ ଆରଇ ସେଲ୍ ଏବଂ ଅନ୍ୟାନ୍ୟ ବରିଷ୍ଠ କାର୍ଯ୍ୟନିର୍ବାହୀମାନେ ଭେଣ୍ଡରମାନଙ୍କ ସହ ଆଲୋଚନା କରିଥିଲେ ଏବଂ କ୍ଷେତ୍ର ସ୍ତରୀୟ ସମସ୍ୟାର ସମାଧାନ କରିବା ସହ ରୁଫଟପ୍ ସୋଲାର ପ୍ରକଳ୍ପର କାର୍ଯ୍ୟକାରିତାକୁ ଆହୁରି ସୁଦୃଢ଼ କରିବା ପାଇଁ କାର୍ଯ୍ୟକାରୀ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ।
ଏହି ଅବସରରେ ଟିପିସିଓଡିଏଲ୍ ର ସିଇଓ ଗଜାନନ ଏସ. କାଲେ କହିଥିଲେ ଯେ, “ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜିଲି ଯୋଜନା ହେଉଛି ଏକ ପରିବର୍ତ୍ତନକାରୀ ପଦକ୍ଷେପ, ଯାହା ସ୍ୱଚ୍ଛ ଶକ୍ତି ଆପଣାଇବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ଉପଭୋକ୍ତାମାନଙ୍କୁ ଶକ୍ତି ଉତ୍ପାଦକ ହେବା ପାଇଁ ସଶକ୍ତ କରୁଛି। ଆମର ତାଲିକାଭୁକ୍ତ ଭେଣ୍ଡରମାନେ ଏହି ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଅଟନ୍ତି ଏବଂ ଗୁଣବତ୍ତା, ସୁରକ୍ଷା ଓ ସମୟାନୁବର୍ତ୍ତିତାରେ ସେମାନଙ୍କର ମନୋନିବେଶ ଏହି ଯୋଜନାର ଲକ୍ଷ୍ୟ ହାସଲ କରିବାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। ନିରନ୍ତର ଆଲୋଚନା ଓ ମିଳିତ ସହଯୋଗ ମାଧ୍ୟମରେ କ୍ଷେତ୍ର ସ୍ତରୀୟ ସମସ୍ୟାର ସମାଧାନ କରିବା, ଉପଭୋକ୍ତାଙ୍କୁ ସହଜ ରୁଫଟପ୍ ସୋଲାର ସେବା ଯୋଗାଇଦେବା ଏବଂ ସୁଦୃଢ଼ ଓ ଶକ୍ତି-ସୁରକ୍ଷିତ ଭବିଷ୍ୟତ ପାଇଁ ଭାରତ ସରକାରଙ୍କ ଲକ୍ଷ୍ୟକୁ ସମର୍ଥନ କରିବା ପାଇଁ ଟିପିସିଓଡିଏଲ୍ ସବୁବେଳେ ପ୍ରତିବଦ୍ଧ।”
ଆପସ ସମନ୍ୱୟକୁ ସୁଦୃଢ଼ କରିବା, କ୍ଷେତ୍ର ସ୍ତରର ସମସ୍ୟାଗୁଡ଼ିକର ସମାଧାନ କରିବା ଏବଂ ସୁରକ୍ଷିତ, ଦକ୍ଷ ଓ ଉଚ୍ଚ ଗୁଣବତ୍ତା ବିଶିଷ୍ଟ ରୁଫଟପ୍ ସୋଲାର ସଂସ୍ଥାପନ ନିଶ୍ଚିତ କରିବାର ମିଳିତ ସଂକଳ୍ପ ସହ ଏହି ଭେଣ୍ଡର ସମ୍ମିଳନୀ ଶେଷ ହୋଇଥିଲା। ଏହାସହ, ଓଡ଼ିଶାର ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ବିକାଶ ଆଣିବା ପାଇଁ ୩ ଲକ୍ଷ ରୁଫଟପ୍ ସୋଲାର ସଂସ୍ଥାପନ ଲକ୍ଷ୍ୟକୁ ଶୀଘ୍ର ପୂରଣ କରିବା ଉପରେ ଟିପିସିଓଡିଏଲ୍ ପୁନର୍ବାର ଗୁରୁତ୍ୱାରୋପ କରିଥିଲା, ଯାହା ଓଡ଼ିଶାର ସ୍ୱଚ୍ଛ ଶକ୍ତି ପରିବର୍ତ୍ତନରେ ଯୋଗଦାନ ଦେବ।

