ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ସିଟିବ୍ୟାଙ୍କ ଇଣ୍ଡିଆର କଂଜ୍ୟୁମର ବ୍ୟବସାୟର ଅଧିଗ୍ରହଣ ସମାପନ

ଭୁବନେଶ୍ୱର: ଭାରତର ଅନ୍ୟତମ ସର୍ବବୃହତ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ସିଟି ବ୍ୟାଙ୍କ ଇଣ୍ଡିଆର କଂଜ୍ୟୁମର ବ୍ୟବସାୟର ଅଧିଗ୍ରହଣ ପ୍ରକ୍ରିୟା ସମାପନ କରାଯାଇଛି । ସିସିଆଇ ଅନୁମୋଦନ ମିଳିବାର ୭ ମାସ ମଧ୍ୟରେ ଏହି ବୁଝାମଣାକୁ କାର୍ଯ୍ୟକାରୀ କରି ଆକ୍ସିସ୍ ବ୍ୟାଙ୍କ ଏହାର କାର୍ଯ୍ୟକାରିତା ଦୃଢ଼ତାକୁ ପ୍ରଦର୍ଶନ କରିଛି । ସିଟିବ୍ୟାଙ୍କ ଇଣ୍ଡିଆର କଂଜ୍ୟୁମର ବ୍ୟବସାୟକୁ ଆକ୍ସିସ୍ ବ୍ୟାଙ୍କ ୧୧,୬୦୩ କୋଟି ଟଙ୍କାରେ କିଣିଛି ।

ସିଟିବ୍ୟାଙ୍କ ଇଣ୍ଡିଆର ଋଣ, କ୍ରେଡିଟ୍ କାର୍ଡ, ସମ୍ପତି ପରିଚାଳନା ଓ ରିଟେଲ୍ ବ୍ୟାଙ୍କିଙ୍ଗ୍ ବ୍ୟବସାୟକୁ ଆକ୍ସିସ୍ ବ୍ୟାଙ୍କ ଅଧିଗ୍ରହଣ କରିଛି । ଏଥିରେ ସିଟି ବ୍ୟାଙ୍କର ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ କଂପାନି ସିଟିକର୍ପ ଫାଇନାନ୍ସ ଇଣ୍ଡିଆ ଲିମିଟେଡ୍‌ର ବ୍ୟବସାୟ ମଧ୍ୟ ସାମିଲ ରହିଛି । ଏହି ସଂସ୍ଥା କମର୍ସିଆଲ୍ ଯାନ, ନିର୍ମାଣ ଉପକରଣ ଋଣ ଏବଂ ବ୍ୟକ୍ତିଗତ ଋଣ ଆଦି ପ୍ରଦାନ କରୁଛି । ଏହି ଅଧିଗ୍ରହଣ ଜରିଆରେ ସିଟି ବ୍ୟାଙ୍କର ପ୍ରିମିୟମ୍ ଗ୍ରାହକଙ୍କ ପାଖରେ ଆକ୍ସିସ୍ ବ୍ୟାଙ୍କ ପହଂଚିପାରିଛି । ସିଟିବ୍ୟାଙ୍କର ବ୍ୟବସାୟକୁ ଅଧିଗ୍ରହଣ କରିବା ପରେ କାର୍ଡ ବ୍ୟବସାୟରେ ଆକ୍ସିସ୍ ବ୍ୟାଙ୍କର ବଜାର ଅଂଶ ୧୧.୪ ପ୍ରତିଶତରୁ ୧୬.୨ ପ୍ରତିଶତକୁ ବୃଦ୍ଧି ପାଇଥିବା ବେଳେ କ୍ରେଡିଟ୍ ଗ୍ରାହକଙ୍କ ସଂଖ୍ୟା ୧୯ ପ୍ରତିଶତ ବୃଦ୍ଧି ପାଇ ୧.୮ ନିୟୁତରେ ପହଂଚିଛି । ସିଟି ବ୍ୟାଙ୍କର ୨.୪ ନିୟୁତ ଗ୍ରାହକ ଆକ୍ସିସ୍ ବ୍ୟାଙ୍କରେ ଯୋଡ଼ି ହେବାରୁ ଏହାର ଅଭିବୃଦ୍ଧି କ୍ଷେତ୍ରରେ ଉପସ୍ଥିତି ବେଶ ସୁଦୃଢ଼ ହୋଇପାରିଛି । ସିଟିବ୍ୟାଙ୍କର ୩୨୦୦ କର୍ମଚାରୀଙ୍କୁ ମଧ୍ୟ ଆକ୍ସିସ୍ ବ୍ୟାଙ୍କ ଗ୍ରହଣ କରିଛି ।

ଏହି ଅବସରରେ ଆକ୍ସିସ୍ ବ୍ୟାଙ୍କର ଏମ୍‌ଡି ଓ ସିଇଓ ଅମିତାଭ ଚୌଧୁରୀ କହିଛନ୍ତି ଯେ, “ପ୍ରଥମ ପର୍ଯ୍ୟାୟ ସମନ୍ୱୟ ଶେଷ ହେବା ସହ ଆମେ ସିଟିବ୍ୟାଙ୍କର ୨.୪ ନିୟୁତରୁ ଅଧିକ ଗ୍ରାହକ ଏବଂ ୩୨୦୦ କର୍ମଚାରୀଙ୍କୁ ଆମ “ଆକ୍ସିସ୍ ପରିବାର ଦିଲ୍‌ସେ’କୁ ସ୍ୱାଗତ କରୁଛୁ । ବ୍ୟାଙ୍କିଙ୍ଗ୍ ଶିଳ୍ପରେ ଅଭିବୃଦ୍ଧି ଓ ଅଗ୍ରଣୀ ସ୍ଥାନକୁ ଆକ୍ସିସ୍ ବ୍ୟାଙ୍କର ଯାତ୍ରା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ଏବଂ ଏହା ସହ ଜଡ଼ିତ ଥିବା ସମସ୍ତ ଅଂଶୀଦାରଙ୍କୁ ଏହା ଶ୍ରେଷ୍ଠ ମୂଲ୍ୟ ପ୍ରଦାନ କରିବ । ଆମ ଅଭିଳାଷକୁ ପୂରଣ କରିବା ଲାଗି ଆମ ପାଖରେ ଦୃଢ଼ ବାଲାନ୍‌ସ ସିଟ୍‌, ଆରାମଦାୟକ ପୁଂଜି ସ୍ତର, ସଠିକ୍ ଟିମ୍ ଏବଂ ସଠିକ୍ ଗ୍ରାହକ ବର୍ଗ ରହିଛନ୍ତି ।’’
ଆକ୍ସିସ୍ ବ୍ୟାଙ୍କର ଗ୍ରୁପ୍ ଏକ୍‌ଜିକ୍ୟୁଟିଭ୍ ଓ ହେଡ୍‌-ବ୍ୟାଙ୍କିଙ୍ଗ୍ ଅପରେସନ୍ସ ଆଣ୍ଡ୍ ଟ୍ରାନ୍ସଫର୍ମେସନ୍ ସୁବ୍ରତ ମହାନ୍ତି କହିଛନ୍ତି ଯେ, “ଆକ୍ସିସ୍ ବ୍ୟାଙ୍କରେ ସିଟିର ପ୍ରିମିୟମ୍ ଉପଭୋକ୍ତା ବ୍ୟବସାୟ ଓ ଉଚ୍ଚ ମାନର ସହଯୋଗୀଙ୍କ ଟିମ୍ ଯୋଡ଼ି ହୋଇଥିବାରୁ ଆମେ ଉଲ୍ଲସିତ । ନୂଆ, ଅଭିନବ ଉତ୍ପାଦ ଓ ବିଶ୍ୱସ୍ତରୀୟ ଗ୍ରାହକ ପ୍ରଥା ସହ ଏହି ସମନ୍ୱୟର ମୂଲ୍ୟକୁ ଆମ ଗ୍ରାହକମାନେ ଅନୁଭବ କରିବେ ବୋଲି ଆମେ ଆଶା କରୁଛୁ । ଭାରତର ଅଭିବୃଦ୍ଧି କାହାଣୀକୁ ଆଗକୁ ବଢ଼ାଇବା ଲାଗି ଆକ୍ସିସ୍ ବ୍ୟାଙ୍କ ସଠିକ୍ ସ୍ଥାନରେ ପ୍ରସ୍ତୁତ ରହିଛି ।’’

ଆକ୍ସିସ୍ ବ୍ୟାଙ୍କର ଗ୍ରୁପ୍ ଏକ୍‌ଜିକ୍ୟୁଟିଭ୍ ଓ ହେଡ୍‌-କାର୍ଡ ପେମେଂଟଓ୍ ଆଣ୍ଡ୍ ୱେଲ୍‌ଥ ଅର୍ଜୁନ ଚୌଧୁରୀ କହିଛନ୍ତି ଯେ, “ଭାରତରେ ଏକ ଦୃଢ଼ ଗ୍ରାହକ ବ୍ୟାଙ୍କିଙ୍ଗ ବ୍ୟବସାୟ ଗଠନ କରିବା ଲାଗି ଆକ୍ସିସ୍ ବ୍ୟାଙ୍କ ପ୍ରତିବଦ୍ଧ ରହିଛି ଏବଂ ସବୁ କ୍ଷେତ୍ର ଓ ଭୌଗୋଳିକ ସ୍ଥାନରେ ଏହା ଦୃଢ଼ ବଜାର ଉପସ୍ଥିତି ରହିଛି । ସିଟିର ସମସ୍ତ ୩୨୦୦ ସହଯୋଗୀ ଯେଉଁମାନଙ୍କ ପାଖରେ ଦୃଢ଼ ଓ ବିବିଧତା ଦକ୍ଷତା ରହିଛି ସେମାନେ ଆକ୍ସିସ୍ ପରିବାରରେ ଯୋଗ ଦେବା ଏବଂ ଅଭିବୃଦ୍ଧି ଅଭିଳାଷକୁ ଆଗକୁ ବଢ଼ାଇବା ଲାଗି ଉତ୍ସାହିତ ରହିଛନ୍ତି । ଆକ୍ସିସ୍‌ର ଅଭିଜ୍ଞ ବରିଷ୍ଠ ନେତୃତ୍ୱ ଟିମ୍ ଓ ବିବିଧ ପ୍ରତିଭାଙ୍କ ସହ ଯୋଡ଼ି ହେବାକୁ ଆମେ ଚାହିଁରହିଛୁ ।’’

Share

Leave a Reply

Your email address will not be published. Required fields are marked *

5 × 5 =