ଓଡ଼ିଶାରୁ ଜ୍ୟୋତିର୍ବିଜ୍ଞାନୀ ଅନ୍ୱେଷଣ (ୟାଟ୍‌ସ)ର ୨୦ ବିଜେତାଙ୍କ ଇସ୍ରୋ ଅହମ୍ମଦାବାଦରେ ମହାକାଶ ଚମତ୍କାରିତା ଅନୁସନ୍ଧାନ

ଭୁବନେଶ୍ୱର: ଅହମ୍ମଦାବାଦ ସ୍ଥିତ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ମହାକାଶ ପ୍ରୟୋଗ କେନ୍ଦ୍ର (ଏସ୍‌ଏସି)ର ସ୍ୱପ୍ନର ପରିଦର୍ଶନରୁ ଓଡ଼ିଶାର ଯୁବ ଜ୍ୟୋତିର୍ବିଜ୍ଞାନୀ ଅନ୍ୱେଷଣ (ୟାଟ୍‌ସ) ୨୦୨୨-୨୩ ବିଜେତାମାନେ ପ୍ରତ୍ୟାବର୍ତନ କରିଛନ୍ତି । ଏଥି ସହିତ ଚଳିତ ବର୍ଷ ୟାଟ୍‌ସ କାର୍ଯ୍ୟକ୍ରମର ସଫଳ ସମାପନ ହୋଇଛି । ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଅଧୀନରେ ଥିବା ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍ ସହଯୋଗିତାରେ ସାରା ରାଜ୍ୟର ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଜ୍ୟୋତିିର୍ବିଜ୍ଞାନ ଓ ମହାକାଶ ବିଜ୍ଞାନକୁ ନେଇ ଆଗ୍ରହ ଓ ଅଭିଳାଷ ସୃଷ୍ଟି କରିବା ଲକ୍ଷ୍ୟ ରଖି ଟାଟା ଷ୍ଟିଲ୍‌ର ଏକ ସ୍ୱତନ୍ତ୍ର ଅଭିଯାନ ହେଉଛି ୟାଟ୍‌ସ ।

ୟାଟ୍‌ସର ୧୬ତମ ସଂସ୍କରଣର ବିଜେତାମାନଙ୍କୁ ୭୫,୫୦୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଚୟନ କରାଯାଇଥିଲା ଯେଉଁମାନେ “ବ୍ରହ୍ମାଣ୍ଡର ଅନୁସନ୍ଧାନ’ ବିଷୟବସ୍ତୁ ଉପରେ ଆଧାରିତ ବିଭିନ୍ନ ପ୍ରତିଯୋଗିତା ଓ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିିଥିଲେ । ସେମାନେ ନିଜର ମାର୍ଗଦର୍ଶକ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ସହ ସପ୍ତାହବ୍ୟାପୀ ପରିଦର୍ଶନରେ ଯାଇଥିଲେ ଯେଉଁଠାରେ ସେମାନେ ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତି ଉପରେ ଆଧାରିତ କେତେକ ସମ୍ମାନଜନକ ଅନୁଷ୍ଠାନ ଏବଂ ପ୍ରଦର୍ଶନୀ ପରିଦର୍ଶନ କରିଥିଲେ ।

ଏସ୍‌ଏସି ଅହମ୍ମଦାବାଦରେ ସେମାନେ ଇସ୍ରୋ ଏସ୍‌ଏସିର ନିର୍ଦେଶକ ଶ୍ରୀ ନିଲେଶ ଏମ୍ ଦେଶାଇଙ୍କ ସହିତ ଏକ ବିରଳ ସ୍ୱତନ୍ତ୍ର ଭାବ ବିନିମୟ କାର୍ଯ୍ୟକ୍ରମରେ ଯୋଗ ଦେବାର ସୁଯୋଗ ପାଇଥିଲେ । ସେ ଛାତ୍ରଛାତ୍ରୀମାନଙ୍କୁ ଇସ୍ରୋ ବ୍ୟବସ୍ଥାର ବିବିଧ ବର୍ଗ ଏବଂ ପ୍ରକଳ୍ପ ବିଷୟରେ ବିବରଣୀ ପ୍ରଦାନ କରିଥିଲେ । ସେମାନେ ବିଭିନ୍ନ ଲାବୋରେଟୋରି ପରିଦର୍ଶନ କରିଥିଲେ ଏବଂ ଦେଶର ମହାକାଶ ବିଜ୍ଞାନୀମାନଙ୍କଠାରୁ ଜାରି ରହିଥିବା ଗବେଷଣା କାର୍ଯ୍ୟ ବିଷୟରେ ଜାଣିଥିଲେ ।

ପୁରୀରୁ ଜଣେ ବିଜୟୀ ଛାତ୍ର ସାଇରାମ ମଙ୍ଗରାଜ କହିଛନ୍ତି ଯେ, “ବିଚକ୍ଷଣ ବୈଜ୍ଞାନିକମାନଙ୍କ ସହ ଭାବବିନିମୟ ଏକ ଆଶିର୍ବାଦ ଭଳି । ଇସ୍ରୋ ଓ ବିକ୍ରମ ସରାଭାଇ ପ୍ରଦର୍ଶନୀ କେନ୍ଦ୍ର ପରିଦର୍ଶନ କରିବା ବେଶ ଉଲ୍ଲେଖନୀୟ ଥିଲା । ଏହି ସୁଯୋଗ ଦେଇଥିବାରୁ ଟାଟା ଷ୍ଟିଲ୍ ଓ ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍‌କୁ ଧନ୍ୟବାଦ ।’’

ଅହମ୍ମଦାବାଦ ସ୍ଥିତ ଗୁଜରାଟ ସାଇନ୍ସ ସିଟି, ଆଇଆଇଟି ଗାନ୍ଧୀନଗର ଓ ବିକ୍ରମ ସରାଭାଇ ମହାକାଶ ପ୍ରଦର୍ଶନୀ (ଭିଏସଏସ୍‌ଇ) ପରିଦର୍ଶନ କରିଥିବା ଛାତ୍ରଛାତ୍ରୀମାନେ ଚମତ୍କାର ବିଜ୍ଞାନ ଓ ନବସୃଜନ ଦୁନିଆ ବିଷୟରେ ଗଭୀର ଜ୍ଞାନ ଆହରଣ କରିପାରିଥିଲେ । କେନ୍ଦ୍ରାପଡ଼ାର ସ୍ୱାତୀ ପ୍ରଜ୍ଞା ରଥ କହିଛନ୍ତି ଯେ, “ଅହମ୍ମଦାବାଦ ସାଇନ୍ସ ସିଟି ପରିଦର୍ଶନ ବେଳେ ଆମେ ନିର୍ଦେଶକଙ୍କୁ ଭେଟିଥିଲୁ ଏବଂ ରୋବୋଟିକ୍ସ ବିଷୟରେ ଜାଣିଥିଲୁ । ସାଇନ୍ସ ସିଟି ପରିଦର୍ଶନ ଡିଜିଟାଲ ଦୁନିଆ ପାଇଁ ଗୁରୁତ୍ୱପୂର୍ଣ୍ଣ ଆର୍ଟିଫିସିଆଲ ଇଟେଂଲିଜେନ୍ସ ଓ ରୋବୋଟିକ୍ସ ଉପରେ ଜ୍ଞାନ ପ୍ରଦାନ କରିଥିଲା ।’’
ଛାତ୍ରଛାତ୍ରୀଙ୍କ ସହ ପରିଦର୍ଶନରେ ଯାଇଥିବା କେନ୍ଦ୍ରାପଡ଼ାର ଶିକ୍ଷକ ଆଶୁତୋଷ ଶତପଥୀ କହିଛନ୍ତି ଯେ, “ଏହି ପରିଦର୍ଶନ ବିଜ୍ଞାନ ଓ ଜ୍ୟୋତିର୍ବିଜ୍ଞାନକୁ ଛାତ୍ରଛାତ୍ରୀମାନେ ବୁଝିବାରେ ଉନ୍ନତି ଆଣିଛି । ଇସ୍ରୋ ଅହମ୍ମଦାବାଦ ପରିଦର୍ଶନ ବେଶ ସ୍ମରଣୀୟ ଥିଲା ।’’

ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି, ସରକାରୀ ଉଦ୍ୟୋଗ ଓ ସାମାଜିକ ନ୍ୟାୟ ଓ ଦିବ୍ୟାଙ୍ଗ ଜନଙ୍କ ସଶକ୍ତୀକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ୨୦୨୩ ମେ’ ୨୨ରେ ଏହି ପରିଦର୍ଶନ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ।

ଗତ ୧୬ ବର୍ଷ ଧରି ଓଡ଼ିଶାର ପ୍ରେରଣାଦାୟୀ ଯୁବ ପ୍ରତିଭାଙ୍କ ପାଇଁ ଏକ ସଫଳ ମଂଚରେ ପରିଣତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମର ବିଭିନ୍ନ ସଂସ୍କରଣରେ ୨,୭୦,୦୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ୧୮୦ ଜଣ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଭାରତର ବିଭିନ୍ନ ଇସ୍ରୋ ବ୍ୟବସ୍ଥା ପରିଦର୍ଶନ କରିବାର ସୁଯୋଗ ପ୍ରଦାନ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

four × five =