Business

କୁଞ୍ଜମହୁଲ ଗାଁ ହେଲା ପଶ୍ଚିମ ଓଡ଼ିଶାର ପ୍ରଥମ ‘ସୂର୍ଯ୍ୟଘର ଗ୍ରାମ’, ସମସ୍ତ ଗ୍ରାମବାସୀଙ୍କ ଛାତ ଉପରେ ବସିଲା ସୌର ପ୍ୟାନେଲ୍

ପଶ୍ଚିମ ଓଡ଼ିଶାର ଅନେକ ଅପହଞ୍ଚ ଗ୍ରାମ ମଧ୍ୟରୁ ସୋନପୁର ଜିଲ୍ଲା ପିତାମହୁଲ ଗ୍ରାମ ପଞ୍ଚାୟତର କୁଞ୍ଜାମହୁଲ ଗ୍ରାମଟି ଅନ୍ୟତମ ଗାଁ ଅଟେ । ଏହି ଗ୍ରାମରେ ୩୨ ଜଣ ପରିବାର ବସବାସ କରନ୍ତି । ଏହି ୩୨ ପରିବାରଙ୍କ ମଧ୍ୟରୁ ଯୋଗ୍ୟ ୨୮ ପରିବାରଙ୍କ ଛାତ ଉପରେ ଏବେ ସ୍ଥାପନ ହୋଇଛି ସୋଲାର ପ୍ୟାନେଲ୍ ।

‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା’ ଅନ୍ତର୍ଗତ ତଥା ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ଼ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ପ୍ରଚଳିତ ‘ୟୁଟିଲିଟି ଲେଡ ଏଗ୍ରିଗେସନ୍’ (ଉଲା) ଯୋଜନାରେ ମାତ୍ର ୧୮୭୫ ଟଙ୍କା ବ୍ୟୟରେ ଗାଁର ସମସ୍ତ ଯୋଗ୍ୟ ବିଦ୍ୟୁତ୍ ଗ୍ରାହକଙ୍କ ଛାତ ଉପରେ ଏକ କିଲୋୱାଟର ସୌର ପ୍ୟାନେଲ୍ ସ୍ଥାପନ କରାଯାଇଅଛି ।

କୁଞ୍ଜାମହୁଲ ଗ୍ରାମବାସୀଙ୍କ ସହ କମ୍ପାନୀ ପକ୍ଷରୁ ସଚେତନତା ମୂଳକ ଅଲୋଚନା ପରେ ସମସ୍ତେ ଏହି ‘ଉଲା ଯୋଜନା’ ଅଧିନରେ ନିଜ ଘରର ଛାତ ଉପରେ ସୌର ପ୍ୟାନେଲ୍ ସ୍ଥାପନ କରିବା ପାଇଁ ସହମତି ପ୍ରକାଶ କରିଥିଲେ । ପରେ ଯୋଗ୍ୟ ୨୮ ଜଣ ବିଦ୍ୟୁତ୍ ଗ୍ରାହକ ମାତ୍ର ୧୮୭୫ ଟଙ୍କା ପୈଠ କରି ନିଜ ନିଜ ଘରର ଛାତ ଉପରେ ସୌର ପ୍ୟାନେଲ୍ ସ୍ଥାନର କରିପାରିଛନ୍ତି ।

ଏହି ଗ୍ରାହକ କଲ୍ୟାଣକାରୀ ଯୋଜନା ଏବଂ ଏହାର ଦୃତ ଗତିରେ କାର୍ଯ୍ୟକାରିତାକୁ ପ୍ରଶଂସା କରିବା ସହିତ କୁଞ୍ଜମହୁଲ ଗାଁର ଜଣେ ହିତାଧିକାରୀ ଶ୍ରୀ ସଦାନନ୍ଦ ଗାଇଘରିଆ କହିଛନ୍ତି, “ପୂର୍ବରୁ, ଆମେ କେବଳ ସୌରଶକ୍ତି ବିଷୟରେ ଶୁଣିଥିଲୁ । ଆଜି, ଏହା ଆମର ନିଜ ଛାତ ଉପରେ ସ୍ଥାପିତ ହୋଇଛି । ଆମେ ଖୁସି ଏବଂ ଏହି ସୌରଶକ୍ତି ବ୍ୟବସ୍ଥା ସହିତ, ଆମେ ଆମର ବିଦ୍ୟୁତ୍ ବିଲରେ ଅଧିକରୁ ଅଧିକ ସଞ୍ଚୟ କରି ଆମ ପରିବାର ପାଇଁ ଏକ ଉନ୍ନତ ଭବିଷ୍ୟତ ପ୍ରଦାନ କରିବାକୁ ଆଶା କରୁଛୁ।”

ଅନ୍ୟପଟେ ଏହି ସଫଳତା ସମ୍ପର୍କରେ ପ୍ରକାଶ କରି ଟିପିଡବ୍ଲ୍ୟୁଓଡିଏଲ୍‌ର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା କହିଛନ୍ତି, “କୁଞ୍ଜାମହୁଲର ପଶ୍ଚିମ ଓଡ଼ିଶାର ପ୍ରଥମ ‘ସୂର୍ଯ୍ୟଘର ଗ୍ରାମ’ ଭାବେ ପରିଣତ ହେବା ଦର୍ଶାଉଛି ଯେ, ଯେତେବେଳେ କୌଣସି ସମୁଦାୟ ଏକାଠି ହୋଇ ଉନ୍ନୟନମୂଳକ ପଦକ୍ଷେପକୁ ଗ୍ରହଣ କରନ୍ତି, ସେତେବେଳେ ସବୁଜ ଶକ୍ତି ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିପାରେ। ଏହି ସଫଳତାର ସବୁଠାରୁ ବଡ଼ ବିଶେଷତା ହେଉଛି ଗ୍ରାମର ପ୍ରତ୍ୟେକ ଯୋଗ୍ୟ ପରିବାର ସୋଲାର ଶକ୍ତିକୁ ଆପଣାଇଛନ୍ତି। ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ଏବଂ ୟୁଏଲଏ ପଦକ୍ଷେପ ମାଧ୍ୟମରେ ଆମେ ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଖରେ ମଧ୍ୟ ସୁଲଭରେ ମୂଲ୍ୟରେ ସୌର ଶକ୍ତି ପହଞ୍ଚାଇ ପାରୁଛୁ । କୁଞ୍ଜାମହୁଲର ଏହି ସଫଳତା ଆଗାମୀ ଦିନରେ ଅନ୍ୟ ଗ୍ରାମମାନଙ୍କୁ ମଧ୍ୟ ସୌର ଶକ୍ତି ଆପଣାଇବାକୁ ପ୍ରେରଣା ଦେବ ବୋଲି ଆମର ବିଶ୍ୱାସ ।”

ଉଲ୍ଲେଖଯୋଗ୍ୟ ଯେ, କେବଳ ଗୋଟିଏ ଦିନରେ ହିଁ ସମସ୍ତ ୨୮ ଗ୍ରାମବାସୀଙ୍କ ଘରର ଛାତ ଉପରେ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ସୌର ପ୍ୟାନେଲ୍ ସ୍ଥାପନ କରାଯିବା ସହ ଏହାକୁ କାର୍ଯ୍ୟକ୍ଷମ କରାଯାଇଥିଲା । ଏହି ସୌର ପ୍ୟାନେଲ୍ ଦ୍ୱାରା ପ୍ରତ୍ୟେକ ଗ୍ରାମବାସୀ ମାସିକ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ଉତ୍ପାଦନ କରିପାରିବେ ଏବଂ ବାର୍ଷିକ ବିଜୁଳି ଖର୍ଚ୍ଚରେ ୫୦୦୦ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ ।

ତେବେ ଗ୍ରାମର ୮୮ ପ୍ରତିଶତ ଘରର ଛାତ ଉପରେ ଏବେ ସୌର ପ୍ୟାନେଲ୍ ସ୍ଥାପନ ହେବା ପରେ କୁଞ୍ଜାମହୁଲ ଗ୍ରାମ ଏବେ କେବଳ ଯେ ସୋନପୁର ଜିଲ୍ଲା ନୁହେଁ ବରଂ ପଶ୍ଚିମ ଓଡ଼ିଶାର ପ୍ରଥମ ‘ସୂର୍ଯ୍ୟଘର ଗ୍ରାମ’ରେ ପରିଣତ ହୋଇପାରିଛି । ଯାହା ଗ୍ରାମର ସଶକ୍ତିକରଣ, ଆର୍ଥିକ ସଞ୍ଚୟ ଏବଂ ଏକ ସବୁଜ ଭବିଷ୍ୟତ ପାଇଁ ରାସ୍ତା ଦେଖାଇଛି ।

Share

Leave a Reply

Your email address will not be published. Required fields are marked *

19 − seventeen =