Friday, October 30, 2026
Business

ବର୍ଦ୍ଧିତ ଚାହିଦା ଓ ସ୍ଥିର ପ୍ରଦର୍ଶନ ସହିତ ଏମ୍‌ଏସ୍‌ଏମ୍‌ଇର ଅଭିବୃଦ୍ଧି ଧାରା ଅବ୍ୟାହତ

ଭୁବନେଶ୍ୱର: ଟ୍ରାନ୍ସୟୁନିୟନ୍ ସିବିଲ୍‌-ସିଡ୍‌ବି ଏମ୍‌ଏସଏମ୍‌ଇ ପଲ୍‌ସ ରିପୋର୍ଟକୁ ଜାରି କରାଯାଇଛି ଯେଉଁଥିରେ କୁହାଯାଇଛି ଯେ ଗ୍ରାହକଙ୍କ ବର୍ଦ୍ଧିତ ଚାହିଦା ଓ ବଜାରର ସ୍ଥିର ପ୍ରଦର୍ଶନ ପାଇଁ ଏମ୍‌ଏସ୍‌ଏମ୍‌ଇ ଋଣର ଅଭିବୃଦ୍ଧି ଧାରା ଅବ୍ୟାହତ ରହିଛି । ୨୦୨୨-୨୩ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ କମର୍ସିଆଲ୍ ଋଣ ଅଭିବୃଦ୍ଧି ବର୍ଷକୁ ବର୍ଷ ଭିତିରେ ୧୫% ରହିଛି । ଏହି ତ୍ରୈମାସିକରେ କମର୍ସିଆଲ୍ ଋଣ ପରିମାଣ ୨୭.୭ ଲକ୍ଷ କୋଟି ଟଙ୍କା ରହିଛି । ସେଥିରୁ ନୂଆ ଋଣ ହେଉଛି ୨୪୧ ହଜାର କୋଟି ଟଙ୍କା । ରିପୋର୍ଟରୁ ଜଣାପଡ଼ିଛି ଯେ ବ୍ୟବସାୟ କାର୍ଯ୍ୟକଳାପରେ ଉନ୍ନତି ସହିତ କମର୍ସିଆଲ ଋଣର ସିଧାସଳଖ ସମ୍ପର୍କ ରହିଛି । ବାଣିଜ୍ୟିକ କାର୍ଯ୍ୟକଳାପ ୩୩% ବଢ଼ିଥିବା ବେଳେ ଋଣ ଯୋଗାଣରେ ୧୧ ପ୍ରତିଶତ ବୃଦ୍ଧି ହୋଇଛି । ଅଣୁ ଓ କ୍ଷୁଦ୍ର ବର୍ଗକୁ ଋଣ ଯୋଗାଣ ଯଥାକ୍ରମେ ୧୬% ଓ ୧% ବୃଦ୍ଧି ପାଇଥିବା ବେଳେ ମଧ୍ୟମ କ୍ଷେତ୍ରକୁ ୮% କମ୍ ହୋଇଛି ।
ଏହି ରିପୋର୍ଟ ସମ୍ପର୍କରେ ସିଡ୍‌ବିର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶିବସୁବ୍ରମଣ୍ୟମ ରମଣ କହିଛନ୍ତି ଯେ, “ଏମଏସ୍‌ଏମ୍‌ଇ କ୍ଷେତ୍ର ପାଇଁ ସରକାର କାର୍ଯ୍ୟକାରୀ କରିଥିବା ପ୍ରଗତିଶୀଳ ସଂସ୍କାରର ପ୍ରଭାବରେ ବିଭିନ୍ନ ବ୍ୟବସାୟ କାର୍ଯ୍ୟକଳାପରେ ଉନ୍ନତି ହୋଇଛି ଏବଂ ଅଣୁ ଓ କ୍ଷୁଦ୍ର କ୍ଷେତ୍ରକୁ ଋଣ ଯୋଗାଣ ବୃଦ୍ଧି ପାଇଛି । ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ସଠିକ୍ କ୍ରମରେ ଋଣ ପ୍ରଦାନ କରିବାର ସୁଯୋଗକୁ ହାସଲ କରି ସେମାନଙ୍କୁ ସହଯୋଗ କରିବା ଲାଗି ଆମେ ଋଣ ପ୍ରଦାନକାରୀ ଶିଳ୍ପକୁ ଆହ୍ୱାନ ଦେଉଛୁ । ଏହା ହେଲେ ଏହି କ୍ଷେତ୍ରର ଅଭିବୃଦ୍ଧି ବଜାୟ ରହିପାରିବ ଏବଂ ଅର୍ଥନୀତିକୁ ୫ ଟ୍ରିଲିଅନ ଡଲାରରେ ପହଂଚାଇବାରେ ସରକାରଙ୍କ ଲକ୍ଷ୍ୟ ପୂରଣ ହୋଇପାରିବ ।’’
ଟ୍ରାନ୍ସୟୁନିୟନ୍ ସିବିଲ୍‌ର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଶ୍ରୀ ରାଜେଶ କୁମାର କହିଛନ୍ତି ଯେ, “ଚାହିଦା ଓ ଯୋଗାଣ ଅନ୍ତର ଦୂର କରିବା ହେଉଛି ଋଣ ପ୍ରଦାନକାରୀଙ୍କ ପାଇଁ ପ୍ରାଥମିକ ଆହ୍ୱାନ । ଚାହିଦାରେ ବୃଦ୍ଧି, ଉନ୍ନତ ଋଣ ପ୍ରଦର୍ଶନ ଓ ପ୍ରତିଶ୍ରୁତିପୂର୍ଣ୍ଣ ଅଭିବୃଦ୍ଧି ସମ୍ଭାବନାକୁ ନେଇ ଏମ୍‌ଏସ୍‌ଏମ୍‌ଇ ଋଣ ପୋର୍ଟଫୋଲିଓକୁ ବ୍ୟାପକ କରିବା ପାଇଁ ଋଣ ପ୍ରଦାନକାରୀଙ୍କ ନିମନ୍ତେ ଏହା ଅନୁକୂଳ ପରିବେଶ । ଭାରତରେ ୬୩୦ ଲକ୍ଷ ଏମ୍‌ଏସ୍‌ଏମ୍‌ଇ ସଂସ୍ଥା ଥିବା ବେଳେ ସେଥିରୁ ମାତ୍ର ୨୫୦ ଲକ୍ଷ ସଂସ୍ଥା ପାଖରେ ଋଣ ପହଂଚିପାରିଛି । ଏହି କ୍ଷେତ୍ର ବାର୍ଷିକ ଚକ୍ରବୃଦ୍ଧି ହାର ୨.୫%ରେ ଆଗକୁ ବଢ଼ିବ ବୋଲି ଆକଳନ କରାଯାଇଥିବା ବେଳେ ୨୦୨୨-୨୩ ଆର୍ଥିକ ବର୍ଷରେ ଏମ୍‌ଏସ୍‌ଏମ୍‌ଇ କର୍ପୋରେଟ୍ ସଂସ୍ଥା ସଂଖ୍ୟା ୭୫୦ ଲକ୍ଷ ସ୍ପର୍ଶ କରିବା ଆକଳନ କରାଯାଇଛି । ସେଥିରୁ ୫୦୦ ଲକ୍ଷ ହେବେ ଋଣ ପାଇଁ ନୂଆ ଏମ୍‌ଏସ୍‌ଏମ୍‌ଇ । ଯୋଗ୍ୟ ନୂଆ ଏମ୍‌ଏସ୍‌ଏମ୍‌ଇକୁ ଚିହ୍ନଟ କରି ଏବଂ ସେମାନଙ୍କ ସହିତ ଯୋଡ଼ି ହୋଇ ସେମାନଙ୍କୁ ସୁହାଇବା ଭଳି ଉତ୍ପାଦ ଯୋଗାଇ ଋଣ ପ୍ରଦାନକାରୀମାନେ ଏହି ବିପୁଳ ସୁଯୋଗକୁ ହାସଲ କରିପାରିବେ ।’’
ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ସେମାନଙ୍କ ଋଣ ଦାୟିତ୍ୱ ନିର୍ବାହ କରୁଥିବାରୁ ଖିଲାପ ହାର ତିନି ବର୍ଷରେ ସର୍ବନିମ୍ନ ହୋଇଛି । ୨୦୨୨-୨୩ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ ଖିଲାପ ହାର ୧.୪%କୁ ହ୍ରାସ ପାଇଛି । ଏନ୍‌ବିଏଫ୍‌ସିଗୁଡ଼ିକର ଖିଲାପ ହାର ୩.୬ ପ୍ରତିଶତକୁ ହ୍ରାସ ପାଇଛି ।
ଲଘୁ କ୍ଷେତ୍ରକୁ ଋଣ ପ୍ରଦାନ କରିବାରେ ସର୍ବାଧିକ ୨୩ ପ୍ରତିଶତ ବୃଦ୍ଧି ଘଟିଛି । ରାଜ୍ୟଗୁଡ଼ିକ ଭିତରେ ଉତରପ୍ରଦେଶ, କର୍ଣ୍ଣାଟକ, ତେଲେଙ୍ଗାନା ଓ ହରିୟାଣାରେ ଲଘଉ ଉଦ୍ୟୋଗକୁ ଅଧିକ ଋଣ ଦିଆଯାଇଛି । କର୍ଣ୍ଣାଟକରେ ଅଭିବୃଦ୍ଧି ହାର ସର୍ବାଧିକ ୮% ରହିଛି । ଏହି ରିପୋର୍ଟରେ ଆକଳନ କରାଯାଇଛି ଯେ ଋଣ ପାଇଁ ନୂଆ ଥିବା ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ପ୍ରଭାବରେ ଆଗାମୀ ଦିନରେ ଏମ୍‌ଏସ୍‌ଏମ୍‌ଇ ଋଣ ତ୍ୱରାନ୍ୱିତ ହେବ ।

Share

Leave a Reply

Your email address will not be published. Required fields are marked *

nineteen − ten =