Friday, October 30, 2026
Latestରାଜ୍ୟ

ପୁରୀର ରୂପାନ୍ତରଣ ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟ ପ୍ରଶଂସନୀୟ

ଭୁବନେଶ୍ବର () ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟ ସହରରେ ରୂପାନ୍ତରିତ କରିବାକୁ ରାଜ୍ୟ ସରକାର ଯେଉଁ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ତାହା ନିୟମ ଅନୁଯାୟୀ ଚାଲିଛି। ସମସ୍ତଙ୍କ ସୁରକ୍ଷା ଓ ପୁରୀର ବିକାଶ ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟ ପ୍ରଶଂସନୀୟ । ଏହାଦ୍ବାରା କାହାର କ୍ଷତି ହେବନି, ବରଂ ଲାଭ ହେବ । ଏହାଦ୍ବାରା ପୁରୀର ବିକାଶ ହେବା ସହ ଅଧିକରୁ ଅଧିକ ଭକ୍ତଙ୍କ ଆଗମନ ହେବ ଏବଂ ପୁରୀକୁ ଐତିହ୍ୟ ସହରରେ ରୂପାନ୍ତରିତ କାର୍ଯ୍ୟ ପ୍ରଶଂସନୀୟ । ଆଜି ପୁରୀ ଗସ୍ତରେ ଆସିଥିବା ଆମିକସ କ୍ୟୁରି ରଂଜିତ କୁମାର ରାଜ୍ୟ ସରକାରଙ୍କୁ ଏହି ସାର୍ଟିଫିକେଟ ଦେଇଛନ୍ତି ।

ପୁରୀରେ ବର୍ତ୍ତମାନ ଚାଲିଥିବା ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଠିକଠାକ ଚାଲିଛି । କାହାକୁ ଜବରଦସ୍ତ ଉଚ୍ଛେଦ କରାଯାଉନି । ସବୁକିଛି ଆଲୋଚନା ଓ ଆପୋଷ ବୁଝାମଣା ଜରିଆରେ ହେଉଛି । 25 ବର୍ଷରେ ଥରେ ହେଉଥିବା ନାଗାର୍ଜୁନ ବେଶ ଆସନ୍ତା ବର୍ଷ ଅନୁଷ୍ଠିତ ହେବ । ଏଥିପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ପାଖାପାଖି ୧୫ ଲକ୍ଷଙ୍କ ଭକ୍ତ ସମାଗମ ହେବାର ସମ୍ଭାବନା ରହିଛି । ଏନେଇ ଶ୍ରୀମନ୍ଦିର ଆଖପାଖରେ ସ୍ବଚ୍ଛତା ଜରୁରୀ । ପୁରୀର ଉନ୍ନତି ପାଇଁ ଏହି ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି ।

ପୁରୀରେ ପହଁଚିଥିବା ଆମିକସ କ୍ୟୁରୀ ଓ ସିଲିସିଟର ଜେନେରାଲ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ସାଧାରଣ ଲୋକ, ବ୍ୟବସାୟୀ ଓ ଦୋକାନୀଙ୍କ ଆପତ୍ତି ଅଭିଯୋଗ ଶୁଣୁଛନ୍ତି । ଏହା ସହିତ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ଏହା ପୂର୍ବରୁ ରାଜ ନଅରରେ ଗଜପତି ମହାରାଜଙ୍କ ସହ ଆଲୋଚନା କରଥିଲେ ଆମିକସକ୍ୟୁରୀ ଓ ସିଲିସିଟର ଜେନେରାଲ୍ । ଆମିକସ କ୍ୟୁରୀ ଓ ସିଲିସିଟର ଜେନେରାଲଙ୍କ ସହ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ, ଏସପି ଉମାଶଙ୍କର ଦାଶ ଓ କେନ୍ଦ୍ରାଂଚଳ ଜିଆଇଜି ଆଶିଷ ସିଂହ ଅଛନ୍ତି । ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀମନ୍ଦିର ଠାରୁ ୭୫ ମିଟର ଭିତରେ ଉଚ୍ଛେଦ ଚାଲିଥିବା ବେଳେ ଓ ଏହାକୁ ନେଇ ବିରୋଧ ଦେଖାଦେଇଥିଲା। ଆଉ ଏହା ମଧ୍ୟରେ ପୁରୀରେ ପହଂଚିଥିଲେ ଆମିକସକ୍ୟୁରୀ ଓ ସଲିସିଟର ଜେନେରାଲ । ଆଜି ସକାଳ ସାଢେ ୭ଟା ଶ୍ରୀମନ୍ଦିରରେ ପହଁଚିଛନ୍ତି ଆମିକସକ୍ୟୁରୀ ରଂଜିତ୍ କୁମାର ଓ ସିଲିସିଟର ଜେନେରାଲ ତୁଷାର ମେହଟା । ପୁରୀରେ ପହଁଚିବା ପରେ ଚାହଁଣି ମଣ୍ଡପରୁ ଉଭୟ, ଉଛେଦ କାର୍ଯ୍ୟର ଅନୁଧ୍ୟାନ କରିଥିଲେ।

ବିଭିନ୍ନ ବର୍ଗ ସହ ଆଲୋଚନା ଓ ଅନୁଧ୍ୟାନ ପରେ ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ସେନେଇ ସେ ସନ୍ତୋଷ ପ୍ରକାଶ କରିଛନ୍ତି । ପୁରୀର ସର୍ବାଙ୍ଗିନ ବିକାଶ ଓ ଏହାକୁ ଏକ ଐତିହ୍ୟ ସହରରେ ରୂପାନ୍ତରିତ କରିବାକୁ ରାଜ୍ୟ ସରକାର ସମୁଚିତ ପଦକ୍ଷେପ ନେଇଥିବା ସେ କହିଛନ୍ତି ।

ଆମିକସ କ୍ୟୁରି କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଦ୍ବାରା ପୁରୀରେ ଚାଲିଥିବା ମେଘନାଦ ପାଚେରୀରୁ 75 ମିଟର ଦୂରତାରେ ଜବରଦଖଲ ଉଚ୍ଛେଦ ଅଭିଯାନର ସମୀକ୍ଷା କଲି ଓ ସ୍ଥାନାନ୍ତରିତ ବାସିନ୍ଦା ଓ ବ୍ୟବସାୟୀଙ୍କ ସହ ସାକ୍ଷାତ କରି ଆଲୋଚନା କରିଛି । ସରକାର ବାସ୍ତବରେ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏଭଳି ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ପୁରୀ ସହର ପରିସ୍କାର ପରିଚ୍ଛନ ହେବା ସହ ଅଧିକ ସୁରକ୍ଷିତ ହେବା ଦ୍ବାରା ଅଧିକ ଭକ୍ତଙ୍କ ଆଗମନ ହୋଇପାରିବ । ଉଚ୍ଛେଦ ପରେ ସରକାର ଉପଯୁକ୍ତ କ୍ଷତିପୂରଣ ବ୍ୟବସ୍ଥା କରିଛନ୍ତି । ଆଗକୁ ଏହାର ସୁଫଳ ସମସ୍ତେ ପାଇବେ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

eleven + 2 =