Friday, October 30, 2026
Latestରାଜ୍ୟ

ସ୍ବାୟତ୍ତ ଶାସନରୁ ଆରମ୍ଭ ହେଲା ନୂଆ ସହରାଞ୍ଚଳ ସୁବିଧା

ସବୁ ପୌରାଞ୍ଚଳରେ ଖୋଲିଲା ୱାର୍ଡ ଅଫିସ

ପୁରୀର ଫନି କ୍ଷତିଗ୍ରସ୍ତ କ୍ଷୁଦ୍ର ବ୍ୟବସାୟୀଙ୍କୁ 10 ହଜାର ଟଙ୍କାର ସହାୟତା ପ୍ରଦାନ

48 ଘଣ୍ଟାରେ ବଲଡିଂ ପ୍ଲାନ ଅନୁମୋଦନ ବ୍ୟବସ୍ଥା

5-ଟିକୁ ଅନୁସରଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ବର ()  ସ୍ବାୟତ୍ତ ଶାସନ ଦିବସରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଲୋକସେବା ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବରର ସମସ୍ତ ୱାର୍ଡରେ ୱାର୍ଡ ଅଫିସ ଖୋଲିବା ସହତ ରାଜ୍ୟର ସହରାଞ୍ଚଳର ସମସ୍ତ 2035 ୱାର୍ଡରେ ୱାର୍ଡ ଅଫିସ ଖୋଲିବା କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ଏଥିସହିତ କ୍ଷୁଦ୍ର ଜୈବସାର ପ୍ରକ୍ରିୟାକରଣ କେନ୍ଦ୍ର, ବିଡିଏରେ ଅନ ଲାଇନ ବିଲଡିଂ ପ୍ଲାନ ଅନୁମୋଦନ ବ୍ୟବସ୍ଥା, ଅନ ଲାଇନ ବିବାହ ପ୍ରମାଣପତ୍ର ପ୍ରଦାନ ଆଦି ବ୍ୟବସ୍ଥା ଆଦି ଅନେକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ପୁରୀର ଫନି କ୍ଷତିଗ୍ରସ୍ତ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ମଧ୍ୟ ଅନ ଲାଇନ ଜରିଆରେ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ଏହି ଅବସରରେ ବିଭାଗୀୟ ଅଧିକାରୀ ଓ ଭିଡିଓ କନଫରେନସିଂରେ ପୁରୀ, ବ୍ରହ୍ମପୁର ଓ ଭୁବନେଶ୍ବର ସହିଦ ନଗରରେ ଉପସ୍ଥିତ ଥିବା ଜନସାଧାରଣଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସହରାଞ୍ଚଳ ସେବା ପ୍ରଦାନ କ୍ଷେତ୍ରରେ ଆଜି ଏକ ଐତିହାସିକ ଦିନ । ଆଜି ସାରା ରାଜ୍ୟର ବିଭିନ୍ନ ପୌର ସଂସ୍ଥା ପାିଁ ଅନେକ ଲୋକକୈନ୍ଦ୍ରିକ କାର୍ଯ୍ୟକ୍ରମ ଆରମ୍ଭ କରାଗଲା । ଆଜି ଭୁବନେଶ୍ବର ମୁନିସିପାଲ କର୍ପୋରେସନ ପକ୍ଷରୁ ସବୁ ୱାର୍ଡରେ ୱାର୍ଡ ଅଫିସ ଖୋଲାଗଲା । ତା ସହିତ କଠିନ ବର୍ଜ୍ୟବସ୍ତୁ ପରିଚାଳନା, କ୍ଷୁଦ୍ର ଜୈବସାର ପ୍ରକ୍ରିୟାକରଣ କେନ୍ଦ୍ର କାମ ଆରମ୍ଭ କରାଗଲା । ସେହିପରି ଫନି ବାତ୍ୟାରେ କ୍ଷତିଗ୍ରସ୍ତ ପୁରୀର କ୍ଷୁଦ୍ର ବେପାରୀଙ୍କୁ 10 ହଜାର ଟଙ୍କା ଅନଲାଇନ ଜରିଆରେ ପ୍ରଦାନ କରାଗଲା ।

ଆଜି ଭୁବନେଶ୍ବର ପାଇଁ ଫାଷ୍ଟ ଟ୍ରାକ ବିଲଡିଂ ପ୍ଲାନ ଅନୁମୋଦନ ବ୍ୟବସ୍ଥା ଆରମ୍ଭ ହେଲା । ଏସବୁ କାମରେ 5-ଟି ମନ୍ତ୍ରର ଉପଯୋଗ ଭଲ ଭାବରେ କରାଯାଇଛି । ନଗର ଉନ୍ନୟନ ବିଭାଗ ଏକ ମାସ ମଧ୍ୟରେ ଏଥିପାଇଁ ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଆସନ୍ତା ଏକ ବର୍ଷ ମଧ୍ୟରେ ରାଜ୍ୟର ସବୁ ପୌରାଞ୍ଚଳକୁ ଆବର୍ଜନା ମୁକ୍ତ ସହର କରିବା ପାଇଁ ଲକ୍ଷ ରଖାଯାଇଛି । ତା ସହିତ ଏହି କାର୍ଯ୍ୟକ୍ରମରେ ମାମାନଙ୍କୁ ସାମିଲ କରିବା ଏକ ଭଲ ଉଦ୍ୟମ ବୋଲି ସେ କହିଥିଲେ । ଉତ୍ତମ ନାଗରିକ ସେବା, ସ୍ବାୟତ୍ତ ଶାସନ ବ୍ୟବସ୍ଥାର ମୁଖ୍ୟ ଲକ୍ଷ୍ୟ । ଆଜିକାଲି ସହରାଞ୍ଚଳରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ପରିଚାଳନା ଏକ ଆହ୍ବାନ ହୋଇଛି । କିନ୍ତୁ ଯଦି ଆମେ ଜନସାଧାରଣଙ୍କୁ ଆମର ସମସ୍ତ କାର୍ଯ୍ୟକ୍ରମର କେନ୍ଦ୍ରେ ରଖି କାର୍ଯ୍ୟ କରିବା ଓ 5-ଟିର ନୀତିକୁ ଅନୁସରଣ କରିବା, ତେବେ ସାଧାରଣ ଲୋକେ ଚାହୁଁଥିବା ପରିବର୍ତ୍ତନକୁ ଆମେ ନିଶ୍ଚିତ ବାବେ ହାସଲ କରିପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ରାଜ୍ୟର 114ଟି ପୌରସଂସ୍ଥାରେ 342ଟି କ୍ଷୁଦ୍ର ଜୈବସାର ପ୍ରକ୍ରିୟାକରଣ କେନ୍ଦ୍ର କରାଯିବା ସହିତ 26ଟି ପୌରସଂସ୍ଥାରେ 70 କୋଟି ଟଙ୍କା ବ୍ୟୟରେ 40ଟି ମଳପଙ୍କ ବିଶୋଧନ ବ୍ୟବସ୍ଥା ପାଇଁ ଶିଳାନ୍ୟାସ କରାଗଲା । ଏହାଦ୍ବାରା ଦୈନିକ 4 ଲକ୍ଷ ଲିଟର ମଳପଙ୍କ ବିଶୋଧିତ ହୋଇପାରିବ ଏବଂ 8 ଲକ୍ଷ ଲୋକ ଉପକାର ପାଇପାରିବେ । ସେହିପରି ଫନି ବାତ୍ୟା ସମୟରେ ପୁରୀର 410ଜଣ ରାସ୍ତାକଡ ବ୍ୟବସାୟୀ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଆଜି ପ୍ରଥମ ପର୍ଯ୍ୟାୟରେ 1369ଜଣଙ୍କୁ 10 ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି ।

ଭୁବନେଶ୍ବରରେ ଛୋଟ ଛୋଟ ଘର ନିର୍ମାଣ କରିବାକୁ ଚାହୁଁଥିବା ନାଗରିକଙ୍କୁ 48 ଘଣ୍ଟାରେ ବିଲଡିଂ ପ୍ଲାନ ଅନୁମୋଦନ ବ୍ୟବସ୍ଥାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଜଣଙ୍କୁ ବଲଡିଂ ପ୍ଲାନ ଅନୁମୋଦନ ପତ୍ର ପ୍ରଦାନ କରିଛନ୍ତି । ଏହି ବ୍ୟବସ୍ଥା ଦ୍ବାରା ଭୁବନେଶ୍ବରର ନାଗରିକମାନେ 100ଟି ପୂର୍ବ ଅନୁମୋଦିତ ନକ୍ସାକୁ ଭତ୍ତିକରି ଆବେଦନ କରିପାରିବେ । ଏହି ବ୍ୟବସ୍ଥା ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟର ସବୁ ସହରରେ କାର୍ଯ୍ୟକାରୀ ହେବ । ସେହିପରି ସହିଦନଗର ୱାର୍ଡ ଅଫିସରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଜଣେ ହିତଧିକାରୀଙ୍କୁ ଅନ ଲାଇନ ବିବାହ ପ୍ରମାଣପତ୍ର ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଲୋକସଭା ଭବନରେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, କୃଷି ଉତ୍ପାଦନ କମିଶନର, ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ଶାସନ ସଚିବ ଉପସ୍ଥିତ ଥିବା ବେଳେ ଭୁବନେଶ୍ବରର ସହିଦ ନଗରରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ବର ଉତ୍ତର ଓ ମଧ୍ୟ ବିଧାୟକ, ପୁରୀରେ ସାଂସଦ ଓ ବିଧାୟକ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

18 − eleven =