ବିଜିୟୁ ପକ୍ଷରୁ ଉଚ୍ଚଶିକ୍ଷାର ଗୁଣବତ୍ତା ଓ ବିଶ୍ୱସ୍ତରୀୟ ପ୍ରତିସ୍ପର୍ଦ୍ଧା ଉପରେ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ
ଭୁବନେଶ୍ୱର : ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟିର ଇଣ୍ଟରନାଲ୍ କ୍ୱାଲିଟି ଆସୁରାନ୍ସ ସେଲ୍ (ଆଇକ୍ୟୁଏସି) ଆନୁକୂଲ୍ୟରେ “ଉଚ୍ଚଶିକ୍ଷାରେ ଗୁଣବତ୍ତାର ପୁନର୍ବିନ୍ୟାସ: ନବୋନ୍ମେଷ, ମାନ୍ୟତା ଏବଂ ବିଶ୍ୱସ୍ତରୀୟ ପ୍ରତିସ୍ପର୍ଦ୍ଧା’ ଶୀର୍ଷକ ଏକ ଜାତୀୟ ସେମିନାର ଆୟୋଜିତ ହୋଇଯାଇଛି, ଯେଉଁଥିରେ ଭାରତର ଉଚ୍ଚଶିକ୍ଷା ବ୍ୟବସ୍ଥାରେ ଏକ ପରିବର୍ତ୍ତନଶୀଳ ରୋଡମ୍ୟାପ୍ ପ୍ରସ୍ତୁତ କରିବା ପାଇଁ ଶିକ୍ଷାବିତ୍ ଓ ଜାତୀୟସ୍ତରର ବିଶେଷଜ୍ଞମାନେ ଏକତ୍ରିତ ହୋଇଥିଲେ।
ଉଦ୍ଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଶ୍ରୀ କାଳୀ ପ୍ରସନ୍ନ ମହାପାତ୍ର, ଆଇଏଏସ୍, କହିଥିଲେ ଯେ ସ୍ୱାଧୀନତା ପରଠାରୁ ଭାରତ ନିଜକୁ ସ୍ଥିର ଭାବେ ଗଢ଼ି ତୋଳିଛି, କିନ୍ତୁ ବର୍ତ୍ତମାନ ଆମକୁ ଆଗାମୀ ୫୦ ରୁ ୧୦୦ ବର୍ଷ ପାଇଁ ଶିକ୍ଷାର ଉନ୍ନତି ଦିଗରେ ଏକ ଦୂରଦୃଷ୍ଟିସମ୍ପନ୍ନ ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ ହେବ।
ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଇଆଇଟି ଖଡ଼ଗପୁରର ପୂର୍ବତନ ନିର୍ଦ୍ଦେଶକ ତଥା ଏଆଇସିଟିଇର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ଏକକାଳୀନ ଦ୍ୱିତୀୟ ଡିଗ୍ରୀ କାର୍ଯ୍ୟକ୍ରମ ଏବଂ ଛଅ ମାସର ବାଧ୍ୟତାମୂଳକ ଇଣ୍ଟର୍ନସିପ୍କୁ ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକୁ କାର୍ଯ୍ୟକାରୀ କରାଯିବା ନେଇ ଆହ୍ୱାନ କରିଥିଲେ। ଯାହା ଶିକ୍ଷାର୍ଥୀମାନଙ୍କୁ ଶିଳ୍ପ-ଉପଯୋଗୀ କରିବା ପାଇଁ ଏକ ଶ୍ରେଷ୍ଠ ପଦକ୍ଷେପ ହେବ ବୋଲି ଅଭିହିତ କରିଥିଲେ ।
ସେହିପରି ବିଜିୟୁର କୁଳପତି ପ୍ରଫେସର କୁଳଭୂଷଣ ବଲୁନି ନିଜ ବକ୍ତବ୍ୟରେ କହିଥିଲେ ଯେ, ଭାରତୀୟ ଅନୁଷ୍ଠାନଗୁଡ଼ିକୁ ବିଶ୍ୱସ୍ତରୀୟ ମାନଦଣ୍ଡ ଅନୁସରଣ କରିବାକୁ ହେବ ଏବଂ ଆନ୍ତର୍ଜାତୀୟ ସ୍ତରରେ ପ୍ରତିଯୋଗିତା କରିବା ପାଇଁ ଶିକ୍ଷା କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ଓ ପ୍ରୟାସର ଆବଶ୍ୟକତା ରହିଛି।
ବିଜିୟୁ ରେଜିଷ୍ଟ୍ରାର ଡ. ବି.କେ. ଦାସ ଶିକ୍ଷାର ଗୁଣବତ୍ତା ଅନୁଷ୍ଠାନର ଶ୍ରେଷ୍ଠତାକୁ ପ୍ରତିଫଳିତ କରେ ବୋଲି କହିବା ସହ ନବୋନ୍ମେଷ ଓ ସାମାଜିକ ପ୍ରତିବଦ୍ଧତା ଉପରେ ବିଶ୍ୱବିଦ୍ୟାଳୟର ପ୍ରୟାସ ବିଷୟରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମର ଆରମ୍ଭରେ ସେମିନାର ଆବାହକ ତଥା ଆଇକ୍ୟୁଏସି ନିର୍ଦ୍ଦେଶକ ଡ. ମଣିଦତ୍ତ ରାୟ କାର୍ଯ୍ୟକ୍ରମର ଅତିଥିଙ୍କୁ ସ୍ବଗତ ସମ୍ଭାଷଣ ପ୍ରଦାନ କରିବା ସହ ମୁଖ୍ୟ ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ।
ଆଲୋଚନା ଚକ୍ରର ବୈଷୟିକ ଅଧିବେଶନରେ ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନର ବିଶେଷଜ୍ଞମାନେ ଭାଗ ନେଇଥିଲେ। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଭାସ୍କର ଭଟ୍ଟାଚାର୍ଯ୍ୟ ମାନ୍ୟତା ଏବଂ ସ୍ଥାୟୀ ବିକାଶ ଉପରେ ନିଜର ମତ ରଖିଥିବା ବେଳେ ଆଇଆଇଟି ଭୁବନେଶ୍ୱରର ପ୍ରଫେସର ଚନ୍ଦ୍ରଶେଖର ନାରାୟଣ ଭେନ୍ଦେ ନବୋନ୍ମେଷ ଓ ବିଶ୍ୱସ୍ତରୀୟ ମାନଦଣ୍ଡ ଉପରେ ଆଲୋଚନା କରିଥିଲେ । ସେହିପରି ଆଇଆଇଏମ କୋଝିକୋଡର ପ୍ରଫେସର ସିଦ୍ଧାର୍ଥ ଏସ୍. ପାଢୀ ଅନୁଷ୍ଠାନର ଅଭିବୃଦ୍ଧି ପାଇଁ ର୍ୟାଙ୍କିଙ୍ଗର ରଣନୀତିକ ଗୁରୁତ୍ୱ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର ପି. ଆର. ଦାଶ ର୍ୟାଙ୍କିଙ୍ଗ୍ ବ୍ୟବସ୍ଥାର ପ୍ରାୟୋଗିକ ଆହ୍ୱାନଗୁଡ଼ିକ ବିଷୟରେ ବୁଝାଇଥିଲେ ।
କାର୍ଯ୍ୟକ୍ରମର ଶେଷ ଭାଗରେ ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ ଅନୁଷ୍ଠାନିକ ଶ୍ରେଷ୍ଠ ପଦକ୍ଷେପଗୁଡ଼ିକୁ ଆଲୋଚନା କରାଯାଇଥିଲା । ଏହାପରେ ଆଇକ୍ୟୁଏସିର ଉପ-ନିର୍ଦ୍ଦେଶକ ଡ. ଆର.କେ. ମିଶ୍ରଙ୍କ ଦ୍ୱାରା ସେମିନାରର ଉପସ୍ଥାପିତ ବିଷୟଗୁଡିକର ସଂକ୍ଷିପ୍ତ ବିବରଣୀ ପ୍ରଦାନ କରାଯିବା ସହ ପ୍ରମାଣପତ୍ର ବିତରଣ କରାଯାଇଥିଲା ଏବଂ ଶେଷରେ ଡ. ପୁନମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

