ରନ୍ଧନ ଗ୍ୟାସ୍‍ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ବିଜୁ ମହିଳା ଜନତା ଦଳର ବିକ୍ଷୋଭ

ଭୁବନେଶ୍ବର, 01/06 (ନିପ୍ର) ରନ୍ଧନ ଗ୍ୟାସ୍‍ ସିଲିଣ୍ଡର ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଆଜି ବିଜୁ ମହିଳା ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶତାଧିକ ବିଜୁ ମହିଳା ଜନତା ଦଳ ସଦସ୍ୟ ଓ କର୍ମକର୍ତ୍ତାମାନେ ରାଜମହଲ ଛକରେ ଏକତ୍ରିତ ହୋଇ ସବ୍‍ସିଡି ଯୁକ୍ତ ଓ ଅଣସବ୍‍ସିଡି ରନ୍ଧନ ଗ୍ୟାସ୍‍ ସିଲିଣ୍ଡର ଦରବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ୍‍ ଦେଇ ପ୍ରତିବାଦ ଜଣାଇଥିଲେ । ରାଜମହଲ ଛକରୁ ମହିଳା ବିଜେଡିର ରାଲି ମାଷ୍ଟର କ୍ୟାଣ୍ଟିନ୍‍ ଅଭିମୁଖେ ଯାଇ ସେଠାରେ ପହଞ୍ଚିବା ପରେ ଏକ ପଥପ୍ରାନ୍ତ ସଭା କରାଯାଇଥିଲା ।

ଦଳୀୟ ମହିଳା ସଦସ୍ୟାମାନେ କେନ୍ଦ୍ର ସରକାରଙ୍କ ରନ୍ଧନ ଗ୍ୟାସ୍‍ ଦରବୃଦ୍ଧିର ନିନ୍ଦା କରି କହିଥିଲେ ଯେ କେନ୍ଦ୍ର ପେଟ୍ରୋଲିୟମ୍‍ ମନ୍ତ୍ରାଳୟ ପ୍ରଥମେ ପେଟ୍ରୋଲ ଓ ଡିଜେଲ୍‍ ଦର କ୍ରମାଗତ ଭାବେ ବୃଦ୍ଧି କଲା । ପୁଣି ଏହାର ଦର କମାଇବାକୁ ଯାଇ ଉଭୟ ପେଟ୍ରୋଲ ଓ ଡିଜେଲ୍‍ ଲିଟର ପିଛା ବୁଧବାର ମାତ୍ର ୧ ପଇସା କମାଇଲା, ଯାହା ଅତ୍ୟନ୍ତ ହାସ୍ୟାସ୍ପଦ । ପେଟ୍ରୋଲ ଓ ଡିଜେଲ୍‍ର ବର୍ଦ୍ଧିତ ଦରରେ ଜନସାଧାରଣ ସନ୍ତୁଳି ହେଉଥିବା ବେଳେ ଏବେ କେନ୍ଦ୍ର ସରକାର ହାଣ୍ଡିଶାଳକୁ ଆକ୍ରମଣ କରିଛନ୍ତି । ଅଣସବ୍‍ସିଡି ରନ୍ଧନ ଗ୍ୟାସ୍‍ ସିଲିଣ୍ଡର ପିଛା ୪୮ ଟଙ୍କା ଓ ସବ୍‍ସିଡି ରନ୍ଧନ ଗ୍ୟାସ୍‍ ସିଲିଣ୍ଡର ପିଛା ୨ଟଙ୍କା ୩୪ ପଇସା ବୃଦ୍ଧି କରିବା କେନ୍ଦ୍ର ସରକାରଙ୍କ ଅପରିଣାମଦର୍ଶୀ ପଦକ୍ଷେପ । ବିଜେପି ନେତୃତ୍ବରେ ଗଠିତ କେନ୍ଦ୍ର ସରକାର ଏ ଦେଶର ମହିଳାମାନଙ୍କ ପାଇଁ ରନ୍ଧନ ଗ୍ୟାସ୍‍ କ୍ଷେତ୍ରରେ ସୁବିଧା ଦେବାକୁ ଯାଇ ‘ଉଜ୍ଜ୍ୱଳା ଯୋଜନା’ କରିବା ପରେ ସବ୍‍ସିଡି ଯୁକ୍ତ ରନ୍ଧନ ଗ୍ୟାସ୍‍ ମୂଲ୍ୟ ବଢ଼ାଇବା ଦ୍ୱାରା ଯୋଜନାର ହିତାଧିକାରୀଙ୍କୁ ଉପହାସ କରିଛି । ଏବେ ସେମାନେ ରନ୍ଧନ ଗ୍ୟାସ୍‍ ପାଇଁ ହନ୍ତସନ୍ତ ହେବେ । କେନ୍ଦ୍ର ସରକାର ସାଧାରଣ ଲୋକଙ୍କ ସମସ୍ୟା, ବିଶେଷତଃ ମହିଳାମାନଙ୍କ ରୋଷେଇ ସମସ୍ୟାକୁ ବୁଝିବା ପରିବର୍ତ୍ତେ ପ୍ରଥମେ ଲଗାତାର ପେଟ୍ରୋଲ ଓ ଡିଜେଲ୍‍ ଦର ବୃଦ୍ଧି କରି ଚାଲିବା ପରେ ଏବେ ରନ୍ଧନ ଗ୍ୟାସ୍‍ ମୂଲ୍ୟ ବୃଦ୍ଧି କରି ଦେଶବାସୀଙ୍କ ରୋଷେଇ ଘରକୁ ଲାତ ମାରିଛନ୍ତି । ରନ୍ଧନ ଗ୍ୟାସ୍‍ ଦରବୃଦ୍ଧିକୁ ଶୀଘ୍ର ପ୍ରତ୍ୟାହାର କରାନଗଲେ ଆଗକୁ ଏହାର ପ୍ରତିବାଦରେ ମହିଳା ବିଜେଡି ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ଆଜି ରାଲିରେ ଉପସ୍ଥିତ ମହିଳା ବିଜେଡିର ସଦସ୍ୟମାନେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

2 × five =