ନିର୍ଣ୍ଣାୟକ ଭୂମିକା ନେବ ବିଜେଡି

ରାଜ୍ୟସଭା ଉପାଧ୍ୟକ୍ଷ ରେସରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ବର, 01/06 (ନିପ୍ର) ଜାତୀୟ ରାଜନୀତିରେ ପୁଣି ଥରେ ବିଜେଡିର ଭୁମିକାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆସନ୍ତା ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡି ଏକ ନିର୍ଣ୍ଣାୟକ ଭୂମିକା ନେବ ବୋଲି କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । ଜାତୀୟ ଗଣମାଧ୍ୟରେ ଏନେଇ ଚାଲିଥିବା ଅଙ୍କକଷା ଅନୁଯାୟୀ ହୁଏତ ବିଜେଡି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନର ପ୍ରାର୍ଥୀ ଦେଇପାରେ କିମ୍ବା କଂଗ୍ରେସ କି ତୃଣମୂଳ ପ୍ରାର୍ଥୀଙ୍କୁ ସମର୍ଥନ କରିପାରେ । ବିଜେପିକୁ ଚେକ ଦେବାକୁ ବିରୋଧୀ ମେଣ୍ଟ ମଧ୍ୟରେ ଏନେଇ ଗତ କିଛି ଦିନ ହେଲା କବାଟକିଳା ଆଲୋଚନା ଚାଲିଛି ।

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡିରୁ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏବଂ ତୃଣମୂଳ କଂଗ୍ରେସରୁ ସୁଖେନ୍ଦୁ ରାୟ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି । ଆସନ୍ତା ଜୁଲାଇ ମାସରେ ଶେଷ ହେବାକୁ ଯାଉଛି ରାଜ୍ୟସଭା ଉପାଧ୍ୟକ୍ଷ ପି. ଜେ. କୋରିୟନଙ୍କ କାର୍ଯ୍ୟକାଳ । ଉପର୍ନିବାଚନରେ ବିଜେପିକୁ ରୋକିବାର ବିରୋଧୀ ସଫଳ ହୋଇଥିବା ବେଳେ ରାଜ୍ୟସଭା ଉପାଧ୍ୟକ୍ଷ ର୍ନିବାଚନରେ ଏହି ଫର୍ମୁଲା ଆପଣାଇବାକୁ ଯାଉଛି କଂଗ୍ରେସ । ନିଜେ ପ୍ରାର୍ଥୀ ନଦେଇ ବିଜେଡି କିମ୍ବା ତୃଣମୂଳ କଂଗ୍ରେସ ସାଂସଦଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଛି କଂଗ୍ରେସ । ତେବେ ଏପରି ପ୍ରସ୍ତାବ ପାଇଲେ କି ଫଇସଲା କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଏହା ଉପରେ ସମସ୍ତଙ୍କ ନଜର ।

ଗତ ଉପନିର୍ବାଚନରେ ବିଜେପିକୁ ମାତ୍ ଦେବାରେ ବିରୋଧୀଙ୍କୁ ସଫଳତା ମିଳିବା ପରେ ଏବେ ସେମାନଙ୍କ ନଜର ରାଜ୍ୟସଭା ଉପାଧ୍ୟକ୍ଷ ପଦ ଉପରେ । ଉପନିର୍ବାଚନ ଫର୍ମୁଲାରେ ବିଜେପିକୁ ଏହି ପଦବୀ ନଦେବା ପାଇଁ ରଣନୀତି ଆରମ୍ଭ କରିଦେଇଛି କଂଗ୍ରେସ । ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ କରିବା ପାଇଁ ପ୍ରସ୍ତାବ ଦେଇପାରେ କଂଗ୍ରେସ ।

ନିଜ ଦଳରୁ ପ୍ରାର୍ଥୀ ନ ଦେଇ ବିଜେଡି କିମ୍ବା ତୃଣମୂଳ କଂଗ୍ରେସରୁ ପ୍ରାର୍ଥୀ ଦେଲେ ବିରୋଧୀ ଦଳକୁ ପୁଣି ଥରେ ଏକାଠି କରିବାରେ ସମର୍ଥ ହୋଇପାରେ କଂଗ୍ରେସ । କୌଣସି ପରିସ୍ଥିତିରେ ବିଜେପି ହାତକୁ ଏହି ପଦବି ଟେକି ଦେବାକୁ ଚାହୁଁନାହିଁ ଦଳ । ଏବେ ସ୍ବାଭାବିକ ଭାବେ ପ୍ରଶ୍ନ ଉଠୁଛି, ଏପରି ସ୍ଥିତି ଉପୁଜିଲେ କ’ଣ ଫଇସଲା କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କାରଣ ଉଭୟ ବିଜେପି ଓ କଂଗ୍ରେସ ଠାରୁ ସମଦୂରତ୍ବ କଥା କହି ଆସୁଛନ୍ତି ନବୀନ ।

ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ କରିବାର ପ୍ରସ୍ତାବ ଦେବା ପଛରେ କଂଗ୍ରେସର ବଡ଼ ଉଦ୍ଦେଶ୍ୟ ରହିଛି । ପ୍ରଥମେ ବିଜେପିକୁ ଅଟକାଇବା ଏବଂ ଦ୍ବିତୀୟରେ ବିଜେଡି, ତୃଣମୂଳ କଂଗ୍ରେସ ଭଳି ଦଳର ନିକଟବର୍ତ୍ତୀ ହେବା । ଏ ସବୁ ହେଉଛି ୨୦୧୯ ରଣନୀତିର ଗୋଟିଏ ଗୋଟିଏ ଅଂଶ ।

ଦୈନିକ ଇଂରାଜୀ ଖବରକାଗଜ ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁସାରେ ଜଣେ ବରିଷ୍ଠ ବିଜେଡି ନେତା କହିଛନ୍ତି, ଅଣକଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ ଦେବ ବିଜେଡି । ତୃଳମୂଳ କଂଗ୍ରେସ ନେତା ଡାରେକ୍ ଓ ବ୍ରିଏନଙ୍କ ସହ ଆଲୋଚନା କରିଛନ୍ତି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ । ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି, ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସେ ଆଲୋଚନା କରିଛନ୍ତି । ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ପଷ୍ଟ କରିଛନ୍ତି ଯେ, ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ଦେବ ବିଜେପି ।

ଖୁବଶୀଘ୍ର ଶେଷ ହେବ ରାଜ୍ୟସଭା ଉପାଧ୍ୟକ୍ଷ ପି.ଜେ. କୋରିୟନଙ୍କ କାର୍ଯ୍ୟକାଳ । ରାଜ୍ୟସଭାରେ ବିଜେପି ନେତୃତ୍ବାଧିନ ଏନଡିଏରେ ଅଛନ୍ତି ୮୮ ଜଣ ସଦସ୍ୟ । ସେହିପରି କଂଗ୍ରେସ ନେତୃତ୍ବରେ ୟୁପିଏରେ ଅଛନ୍ତି ୫୮ ଜଣ ସଦସ୍ୟ । ତୃଣମୂଳ କଂଗ୍ରେସ, ଏଅ ।ଇଏଡ଼ିଏମକେ, ସମାଜବାଦୀ ପାର୍ଟିର ୧୩ ଜଣ ଲେଖାଏଁ ସାଂସଦ ଅଛନ୍ତି । ଏହା ତଳକୁ ରହିଛି ବିଜେଡିର ୯ ଜଣ ସାଂସଦ । ତେଣୁ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡି ଏକ ନିର୍ଣ୍ଣାୟକ ଭୂମିକା ତୁଲାଇବାକୁ ଯାଉଛି ଏଥିରେ ସନ୍ଦେହ ନାହିଁ ।

Share

Leave a Reply

Your email address will not be published. Required fields are marked *

eleven − 1 =