ରାଜ୍ୟର ୧୦ ଜିଲ୍ଲାରେ କମିଛି ସଂକ୍ରମଣ ହାର

ଭୁବନେଶ୍ବର: ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା ସାହାଯ୍ୟରେ ରାଜ୍ୟରେ ଖୁବଶୀଘ୍ର ଦୂର ହେବ ଟିକା ଅଭାବ । ବିଶ୍ୱ ବଜାରରୁ ଭ୍ୟାକ୍ସିନ୍ କିଣିବ ଓଡିଶା ।ଏ ନେଇ ଆଜି ପ୍ରେସ ମିଟ୍ ଜରିଆରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା ଆହ୍ୱାନ କରାଯାଇଥିବା ସମୟରେ ଆସନ୍ତା ୨୮ ତାରିଖରେ ରାଜ୍ୟ ସରକାର ଭ୍ୟାକ୍ସିନ କିଣିବେ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ଅନ୍ୟପକ୍ଷେ, ଏହି ଟେଣ୍ଡର ପ୍ରକ୍ରିୟାରେ ଆସନ୍ତା ୪ ମାସ ଭିତରେ ନିର୍ଦ୍ଧିଷ୍ଟ କମ୍ପାନୀ ଓଡିଶାକୁ ଏହି ଟିକା ଯୋଗାଇବ । ବିଶ୍ୱର ଯେକୌଣସି କୋଣରୁ କୌଣସି କମ୍ପାନି ଯୋଗ ଦେଇପାରିବେ ବୋଲି କୁହାଯାଇଛି । ଏନେଇ ଗତ କ୍ୟାବିନେଟ୍ ବୈଠକରେ ପ୍ରସ୍ତାବ ପାରିତ ହୋଇଥିଲା ।ଏହା ବ୍ୟତୀତ ଲକଡାଉନ୍ କାରଣରୁ ରାଜ୍ୟର ୧୦ ଜିଲ୍ଲାରେ ସଂକ୍ରମଣ ହାର କମିଛି । ତେଣୁ ଆଉ ୧୦ରୁ ୧୫ ଦିନ କୋଭିଡ୍ ନିୟମ କଡାକଡି ଭାବେ ପାଳନ କରିବା ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟ ଶାସନ ସଚିବ । ଏହା ସହିତ ସମସ୍ତେ ପୂର୍ବଭଳି ମାସ୍କ ଓ ସାମାଜିକ ଦୂରତା ପାଳନ କରିବା ସହିତ ଭୂତାଣୁକୁ ମାତ୍ ଦିଅନ୍ତୁ ବୋଲି ମଧ୍ୟ ସେ କହିଛନ୍ତି ।

ସେହିଭଳି ଟିକାକରଣ ଓ କୋଭିଡ୍ ସମ୍ପର୍କରେ ରାଜ୍ୟ ସରକାର ଏକ ପରାମର୍ଶଦାତା କମିଟି ଗଠନ କରିଥିବା କଥା କହିଛନ୍ତି ସୁରେଶ ମହାପାତ୍ର। ଏହି କମିଟିରେ ଥିବା ବିଶେଷଜ୍ଞ ଟିମ୍ ରାଜ୍ୟ ସରକାରଙ୍କୁ ଏ ସମ୍ପର୍କରେ ଅବଗତ କରିବା ସହିତ ପରାମର୍ଶ ଦେବ । ଆଗାମୀ ଦିନରେ ରାଜ୍ୟ ସରକାର କୋଭିଡ ସ୍ଥିତିକୁ କିପରି ଦୃଢତାର ସହ ମୁକାବିଲା କରିବେ ସେନେଇ ମଧ୍ୟ ଏହି ଟିମ୍ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

1 × 4 =